• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଡ଼ ହୋଇ ଫସଲ ଖାଇଗଲେ ନିଜେ ତହସିଲଦାର ! ସାଧାରଣ ଲୋକଙ୍କ ଜମିର ସୁରକ୍ଷା ବଦଳରେ ଯୋଜନାବଦ୍ଧ ଲୁଟ୍‌ରେ ସହଯୋଗ କରି ହଡ଼ପ କରିନେଲେ ବହୁ ମୂଲ୍ୟବାନ ଜମି ! ସାଧାରଣ ଲୋକଙ୍କ ଜମିବାଡ଼ିର ସୁରକ୍ଷାକର୍ତ୍ତା ହେଉଛନ୍ତି ତହସିଲଦାର । କିନ୍ତୁ ସେ ନିଜେ ଯଦି ଅନ୍ୟାୟ ଓ ଅନୀତି କରି ଗରିବ ଗୁରୁବାଙ୍କ ଜମି ହଡ଼ପରେ ସହଯୋଗ କରିବେ, ତେବେ ଲୋକେ ଗୁହାରି କରିବେ କାହାକୁ ? ବଲାଙ୍ଗିର ଜିଲ୍ଲାର କେଉଁ ଉପାନ୍ତ ନୁହେଁ, ଖୋଦ ସହରର ଛାତି ଉପରେ ଏମିତି କୋଟି କୋଟିର ମୂଲ୍ୟବାନ ଜମି କେଳେଙ୍କାରୀରେ ସାମିଲ ଅଛନ୍ତି ନିଜେ ତହସିଲଦାର । ଯେଉଁଥିପାଇଁ ତାଙ୍କ ନାଁରେ ଧାରା ୪୨୦ରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ।

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ । ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ୫୦ ଡେସିମିଲ ଜମି ଚଞ୍ଚକତାରେ ବିକ୍ରି ହୋଇଛି । ଯାହାର କ୍ରେତା ହେଉଛନ୍ତି, ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି । ଖାଲି ସେତିକି ନୁହେଁ, ହର୍ଷଙ୍କ ଅବଶିଷ୍ଟ ଦେଢ଼ ଏକର ଜମିକୁ ଫର୍ଜରି କରି ନିଜ ନାଁରେ ପଟ୍ଟା ବି କରାଇ ନେଇଛନ୍ତି ପୃଷ୍ଟି ଦମ୍ପତ୍ତି । ତେବେ ପ୍ରାୟ ବର୍ଷେ ପରେ ଏ ଜମି ହଡ଼ପ ସମ୍ପର୍କରେ ଜାଣିବା ପରେ ହର୍ଷଙ୍କ ପରିବାର ଲୋକେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନପାଇବାରୁ ଶେଷରେ ଥାନାର ଆଶ୍ରୟ ନେଇଥିଲେ ହର୍ଷଙ୍କ ପରିବାର ।

ଆଜିକାର ଏ ଡିଜିଟାଲ ଯୁଗରେ ବିନା ବିକ୍ରେତାରେ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ହେଲା କେମିତି ? କୁହାଯାଉଛି ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ପ୍ରସ୍ତୁତ ହୋଇଥିଲା ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ଜମିର ଅସଲି ମାଲିକ ଦିନ ମଜୁରିଆ ସ୍ୱର୍ଗତ ହର୍ଷ ଷାଣ୍ଡଙ୍କ ମୃତ୍ୟୁ ପରେ, ତାଙ୍କ ପରିବାରର ଗରିବି ଓ ଅସହାୟତାର ସୁଯୋଗ ନେଇ ତାଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଛଦ୍ମ ବିକ୍ରେତା ଭାବେ ଛିଡ଼ା ହୋଇଥିଲେ ଉତ୍ତମ ନାଗ ନାମକ ବ୍ୟକ୍ତି । ହର୍ଷଙ୍କ ସ୍ଥାନରେ ଉତ୍ତମଙ୍କ ଫଟୋ ଲଗାଇ ତାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ନେଇ ପ୍ରସ୍ତୁତ ହୋଇଥିଲା ଦଲିଲ ।

ମାମଲାରେ ବଲାଙ୍ଗିର ସଦର ଥାନା ପୋଲିସ ପାରିପାର୍ଶ୍ୱିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ସମେତ ଜମି ଦଲାଲ ସିଣ୍ଡିକେଟରେ ସାମିଲ ଥିବା ମୋଟ ୯ ଜଣଙ୍କ ବିରୋଧରେ ୪୨୦ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିଲେ, ସେ ବାଆଁରେଇ ଉତ୍ତର ଦେଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବା କହି ମୁହଁ ଖୋଲିନାହାନ୍ତି ଜିଲ୍ଲାପାଳ କି ଏସପି ।