• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୁଲସ୍ତୁଲ ବିଜେବି କ୍ୟାମ୍ପସ । ରାଗିଂ ପାଇଁ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ହଲ୍‌ଚଲ୍‌ କରିଦେଇଛି ଅଭିଭାବକ ଓ ପିଲାଙ୍କ ମନକୁ । ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ହଜାରେ ପ୍ରଶ୍ନ । ରାଗିଂ କାରଣରୁ ରୁଚିକା ଆତ୍ମହତ୍ୟା କଲେ ନା ମୃତ୍ୟୁ ପଛରେ ରହିଛି କୌଣସି ବଡ଼ ଷଡ଼ଯନ୍ତ୍ର ? କାରଣ ସୁଇସାଇଡ୍ ନୋଟ୍‌ଠୁ ଆରମ୍ଭ କରି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କିଏ ସେହି ୩ ସିନିୟର ଛାତ୍ରୀ, ଯାହାଙ୍କ ରାଗିଂକୁ ସହିନପାରି ଆତ୍ମହତ୍ୟା କରିଦେଲେ ରୁଚିକା ?

ସୁଇସାଇଡ୍ ନୋଟ୍‌ରେ କାହିଁକି ସେହି ୩ ସିନିୟରଙ୍କ ନାଁ ଲେଖିଲେନି ? ଯଦି ରାଗିଂ ହେଉଥିଲା, ହଷ୍ଟେଲ କିମ୍ବା କଲେଜ କର୍ତ୍ତୃପକ୍ଷ ଜାଣିପାରିଲେନି କେମିତି ? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାକୁ ୨୪ ଘଣ୍ଟା ପୂରିଯାଇଥିଲେ ବି ସାମ୍ନାକୁ ଆସିପାରୁନି ମୃତ୍ୟୁ ପଛର ସତ । କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ଼ କରୁଛି । ଏଭଳି ରାଗିଂର ଶୀକାର ଆଉ କେଉଁ ଛାତ୍ରୀ ହୋଇଛନ୍ତି କି ? ଏଭଳି ନାନା ପ୍ରଶ୍ନ ଧରି ପୋଲିସ ଏକ ୪ ଜଣିଆ ଟିମ୍ ଗଠନ କରି ଖୋଳତାଡ଼ କରୁଛି ।

ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ରହିଛନ୍ତି ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତ, ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେକ୍ଟର । ସମସ୍ତେ ରୁଚିକା ରହୁଥିବା କାରୁବାକୀ ହଷ୍ଟେଲ୍‌ର ୧୩୪ ଜଣ ଅନ୍ତେବାସିନୀଙ୍କୁ ପଚରା ଉଚରା କରୁଛନ୍ତି । ଏପରିକି ହଷ୍ଟେଲ ଓ୍ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କ ସମେତ ୪ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

କଟକ ଆଠଗଡ଼ କଖଡ଼ି ଗାଁର ରୁଚିକା ମହାନ୍ତି । ଯୁକ୍ତ ୩ ପ୍ରଥମ ବର୍ଷ ହିଷ୍ଟ୍ରି ଅନର୍ସ ଛାତ୍ରୀ । ରାଜଧାନୀକୁ ଆସି IAS ହେବାର ସ୍ୱପ୍ନ ଦେଖୁଥିଲେ । କାରୁବାକୀ ହଷ୍ଟେଲ୍‌ର ରୁମ୍ ନମ୍ବର ୨୦୧ରେ ରହୁଥିଲେ ନିଜର ୨ ସହପାଠିନୀଙ୍କ ସହ । ୨ଜଣ ରୁମ୍‌ମେଟ୍ କ୍ଲାସ ଗଲେ, କିନ୍ତୁ ଦେହ ଭଲ ନଥିବା ଦର୍ଶାଇ ରୁଚିକା ରୁମ୍‌ରେ ରହିଗଲେ । ତାପରେ ମଧ୍ୟାହ୍ନରେ ଜଣାପଡ଼ିଥିଲା ରୁଚିକାଙ୍କ ମୃତ୍ୟୁ ମାମଲା । ମିଳିଥିବା ହାତଲେଖାରୁ ଏବଂ ପରିବାର ଲୋକଙ୍କ ଅଭିଯୋଗରୁ ଜଣାପଡୁଛି, କିଛି ସିନିୟର ଛାତ୍ରୀ ରାଗିଂ କରୁଥିବା ନେଇ ପୂର୍ବରୁ ପରିବାର ଲୋକଙ୍କୁ ବି ଫୋନ୍‌ରେ ଜଣାଇଥିଲେ ରୁଚିକା । ତେଣୁ ଯେଉଁମାନେ ରାଗିଂ କରିଥିଲେ ସେମାନଙ୍କୁ ତୁରନ୍ତ ବାହାର କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ପରିବାର ।

ଭୁବନେଶ୍ୱରର ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକୁ ଗ୍ରାସିଛି ରାଗିଂ ରୋଗ । ୨୦୦୫ର କଥା ଥରେ ମନେପକାନ୍ତୁ । ସେହି ବିଜେବି କଲେଜର ଛାତ୍ରୀ ରିଚା ମିଶ୍ର ଆତ୍ମହତ୍ୟା କରିଥିଲେ ଅଧ୍ୟାପକଙ୍କ ଆକ୍ରୋଶରୁ । କେବଳ ଶିକ୍ଷାନୁଷ୍ଠାନ ନୁହେଁ, କ୍ରୀଡ଼ାନୁଷ୍ଠାନରେ ବି ରାଗିଂ ଭଳି କୁତ୍ସିତ ପରମ୍ପରା ସାମ୍ନାକୁ ଆସିଛି ।

ଖୋଦ୍ ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ଭୋଗିଛନ୍ତି ରାଗିଂ । କହିଛନ୍ତି, ୨୦୦୬ରୁ ୨୦୦୮ ଯାଏଁ ସ୍ପୋର୍ଟସ୍ ହଷ୍ଟେଲ୍‌ରେ ରହଣୀ ସମୟରେ ସିନିୟର ଖେଳାଳି ବଡି ମସାଜ୍ ସହ କପଡ଼ା ଧୋଇବା ଭଳି କାମ କରାଉଥିଲେ । କଥା ନଶୁଣିଲେ ଟର୍ଚର କରୁଥିଲେ । ପାରିବାରିକ ଆର୍ଥିକ ସ୍ଥିତିକୁ ନେଇ କମେଣ୍ଟ କରୁଥିଲେ । ଏସମ୍ପର୍କରେ ହଷ୍ଟେଲ୍ ଇନଚାର୍ଜକୁ ଜଣାଇଲେ ଗାଳିଗୁଳଜ କରି ସହିବାକୁ କହୁଥିଲେ ବୋଲି ଓଟିଭି ସହ ଅନୁଭୂତି ବାଣ୍ଟିଛନ୍ତି ଦୂତୀ । ଦୂତୀଙ୍କ ଅଭିଯୋଗ ନେଇ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।