• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଶା ପାଇଁ ନାଶ ହେଲା ସଂସାର । ପରିବା କଟା ଛୁରୀରେ ପରିବାରର ସର୍ବନାଶ କରିଦେଲା ନିଶାଡ଼ି । ସ୍ୱାମୀ ଆକ୍ରମଣରେ ପତ୍ନୀ ଆରପାରିରେ । ମରଣ ସହ ସଂଘର୍ଷ କରୁଛି ଝିଅ । ଅଭିଯୁକ୍ତ ସ୍ୱାମୀ ଏବେ ଜେଲ୍‌ରେ । ଅନାଥ ହୋଇଗଲା ୪ ଦିନର ନବଜାତ । ଘାଟିକିଆରେ ପତ୍ନୀକୁ ସ୍ୱାମୀର ହତ୍ୟା ପଛରେ କାଳ ସାଜିଲା ନିଶା । ଥରୁଟିଏ ବି ପିଲାଙ୍କ କଥା ଭାବିଲାନି ଅଭିଯୁକ୍ତ ।

ସେହି ଅଭିଯୁକ୍ତ ସ୍ୱାମୀକୁ ଶେଷରେ ଗିରଫ କରି କୋର୍ଟଚାଲାଣ କରିଛି କମିଶନରେଟ୍ ପୋଲିସ । ପୋଲିସର କହିବା କଥା, ସେ ଜଣେ ଅଭ୍ୟାସଗତ ନିଶାଡ଼ି । ନିଶା ଆଉ ତାବେକାରୀ ପଣ ପାଇଁ ପତ୍ନୀ ଓ ପରିବାର ସହ ଲାଗିରହୁଥିଲା ଝଗଡ଼ା । ସେହି ବିବାଦ ଯୋଗୁ ବୁଧବାର ବିଳମ୍ବିତ ରାତିରେ ପରିବା କଟା ଛୁରୀରେ ହତ୍ୟା କରିଥିଲା ଅଭିଯୁକ୍ତ ସଂଜିତ ଦାସ । ରାତିପାହିଲା ବେଳକୁ ନିଦରୁ ଉଠିଥିବା ୬ ବର୍ଷର ଝିଅକୁ ବି ରାଗରେ ତଣ୍ଟି କାଟି ଦେଇଥିଲା ।

କିନ୍ତୁ ନବଜାତର କୌଣସି କ୍ଷତି କରିନଥିଲା । ଗୁରୁତର ଝିଅକୁ ପଡ଼ୋଶୀ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ । ଶେଷରେ ପୋଲିସ ଅଭିଯୁକ୍ତ ସଂଜିତ ଦାସକୁ ଅନ୍ୟ ଏକ ଜାଗାରେ ମଦ ପିଉଥିବା ଅବସ୍ଥାରେ ଗିରଫ କରିଥିଲା । ହତ୍ୟା ପଛରେ କେବଳ ନିଶା ନୁହେଁ, ଦ୍ୱିତୀୟ ସନ୍ତାନ ମଧ୍ୟ ଝିଅ ହୋଇଥିବାରୁ ରାଗରେ ହତ୍ୟାକାଣ୍ଡ ଭିଆଇଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।

 

କେବଳ ଘାଟିକିଆ ନୁହେଁ । ନିଶା ପାଇଁ ମୁଣ୍ଡ ଗଡୁଛି ରାଜଧାନୀରେ । ଥମୁନି ରକ୍ତପାତ । ୧୧ ମେ, ୨୦୧୮ରେ ନିଶା ମାଫିଆ ହାଡ଼ିଆ ନିଜ ଭଉଣୀକୁ କରିଥିଲା ହତ୍ୟା । ୨୪ ଡିସେମ୍ବର, ୨୦୧୯ରେ ନିଶା କାରବାରକୁ ବିରୋଧ କରିଥିବା ଅନୀଲ ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ ବାପା । ଏହି ଘଟଣା ଘଟିଥିଲା ଖଣ୍ଡଗିରି ସରକନ୍ତାରେ ।

୧୯ ମେ, ୨୦୨୨ରେ ନିଶା ପାଇଁ ବଡ଼ଗଡ଼ରେ ମାଆର ମୁଣ୍ଡ ଗଡ଼ାଇଥିଲା ପୁଅ । ୨୭ ଜୁଲାଇ, ୨୦୨୧ରେ ନିଶାରେ ଚୁର୍ ହୋଇ ମାଷ୍ଟର କ୍ୟାଣ୍ଟିନ ଛକରେ ମାରଣାସ୍ତ୍ର ବୁଲାଇଥିଲେ ଅସାମାଜିକ । ତେବେ କାହିଁକି ରୋକାଯାଇପାରୁନି ନିଶା କାରବାରକୁ ? କେଉଁ ମାଫିଆ ରାଜଧାନୀରେ ଚଳାଇଛନ୍ତି ନିଶାର ବିଷ ବେପାର ? କୁଆଡ଼େ ଗଲା କମିଶନରେଟ୍ ପୋଲିସର ଷ୍ଟୁଡେଣ୍ଟ-ପୋଲିସ ଇଣ୍ଟରଫେସ୍ ? ଡିସିପି କହିଛନ୍ତି, ରାଜଧାନୀରେ ନିଶାକୁ ରୋକିବା ପାଇଁ ଆଗକୁ ଜୋରଦାର ଧରପଗଡ଼ ହେବ । ତାସହ ଜନସଚେତନତା ସୃଷ୍ଟି କରାଯିବ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ନିଶାରେ ଅଭ୍ୟସ୍ତ ବ୍ୟକ୍ତିଙ୍କୁ ନିୟନ୍ତ୍ରଣ ପାଇଁ ତୁରନ୍ତ ଡାକ୍ତରୀ ପରାମର୍ଶ ଜରୁରୀ । ନିଶାଯୋଗୁ ହୋଇଥିବା ମାନସିକ ବିକାର, ଅବସାଦ ଏବଂ ଉନ୍ମାଦରୁ ମୁକ୍ତି ମିଳିପାରିବ । ଉଚିତ ଢଙ୍ଗରେ ଔଷଧ ସେବନ କଲେ ପ୍ରାୟ ସପ୍ତାହେ ଭିତରେ ଆରୋଗ୍ୟ ଲାଭ କରିପାରିବେ ନିଶାଡ଼ି ।