/odishatv-khabar/media/post_attachments/uploadimage/library/16_9/16_9_0/Sweta_1661445906.jpg)
Sweta
୨୫ ବର୍ଷିୟା ଯୁବ ଇଞ୍ଜିନିୟର ଶ୍ୱେତା ମୃତ୍ୟୁର ଗୁମର ଖୋଲିବେ କି ୪ ସାଙ୍ଗ ? ୪ ସାଙ୍ଗ ବଖାଣିବେ କି ଶ୍ୱେତା ଆତ୍ମହତ୍ୟା ପଛରେ ପ୍ରତାରଣାର କାହାଣୀ ? ୩୦୬ ଦଫା ସପକ୍ଷରେ ଦେବେ କି ବଳିଷ୍ଠ ପ୍ରମାଣ ? କାରଣ ଶ୍ୱେତା-ସୌମ୍ୟଜିତ ଓ ସସ୍ପେନ୍ସର ପରଦା ହଟାଇବାକୁ କମିଶନରେଟ୍ ପୋଲିସକୁ ୪ ସାଙ୍ଗଙ୍କ ନାଁ ଦେଇଛନ୍ତି ଶ୍ୱେତାଙ୍କ ପରିବାର । ଶ୍ୱେତାଙ୍କ ବାପା, ମା ଏବଂ ଭାଇ ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟି ୪ ସାଙ୍ଗଙ୍କ ଫୋନ୍ ନମ୍ବର ସହ ଠିକଣା ଦେଇ ତଥ୍ୟ ଆଦାୟ କରିବାକୁ ଦାବି କରିଛନ୍ତି ।
କେବଳ ଏତିକି ନୁହେଁ, ଶ୍ୱେତା ମୃତ୍ୟୁକୁ ଇତିମଧ୍ୟରେ ସପ୍ତାହେ ବିତିଯାଇଛି । ଅଥଚ ମାମଲା କୌଣସି ନିଷ୍କର୍ସରେ ପହଞ୍ଚିନାହିଁ । ତେଣୁ ଶ୍ୱେତାଙ୍କ ଲ୍ୟାପଟପ୍ ଏବଂ ମୋବାଇଲରୁ ତଥ୍ୟ ବାହାର କରି ପୋଲିସ ତୁରନ୍ତ ନ୍ୟାୟ ପ୍ରଦାନ କରୁ ବୋଲି ଦାବି କରିଛନ୍ତି ଶ୍ୱେତାଙ୍କ ପରିବାର । ତାସହ ମୃତ୍ୟୁ ପୂର୍ବରୁ ସୌମ୍ୟଜିତଙ୍କ ମାଆଙ୍କୁ ଶ୍ୱେତା ପଠାଇଥିବା ଏକ ହ୍ୱାଟ୍ସଆପ୍ ମେସେଜ୍ ବି ପୋଲିସକୁ ଦେଇଛନ୍ତି । ଯେଉଁଥିରୁ ଜଣାପଡୁଛି ଶ୍ୱେତା-ସୌମ୍ୟଜିତ ସମ୍ପର୍କରେ ଥିଲା ତିକ୍ତତା । ଏପରିକି ସୌମ୍ୟଜିତ ଫଟୋ ଭାଇରାଲ କରିଦେବାର ଧମକ ବି ଦେଇଥିବା ଶ୍ୱେତାଙ୍କ ଚାଟ୍ରୁ ଜଣାପଡ଼ିଛି ।
ତେବେ ଆଜିର ପ୍ରସଙ୍ଗରେ ଡିସିପିଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଗତକାଲି ଡିସିପି କହିଥିଲେ ତଦନ୍ତ ଚାଲିଛି । ସୌମ୍ୟଜିତଙ୍କ ପରିବାର ସହିତ ପୋଲିସ ଯୋଗାଯୋଗରେ ଅଛି ।
କମିଶନରେଟ୍ ପୋଲିସର ଏହି ତନାଘନା ଭିତରେ ଏବେ ସାମ୍ନାକୁ ଆସିଛି ଏକ ରହସ୍ୟଜନକ ଡାଏରୀ । ଯେଉଁଥିରେ ଗୋଟିଏ ପୃଷ୍ଠାରେ ଲେଖାଯାଇଛି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ସଂପର୍କର ଭାବବିହ୍ୱଳ ଲେଖା । କୁହାଯାଉଛି ଏହି ଡାଏରୀ ଶ୍ୱେତାଙ୍କର । ଏହି ଡାଏରୀରେ କେବେ ଓ କେଉଁ ପରିସ୍ଥତିରେ ଲେଖାଯାଇଛି ତାହା ଜଣାପଡ଼ିନି ।
ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଛନ୍ତ ଶ୍ୱେତାଙ୍କ ଜଣେ ବନ୍ଧୁ । କହିଛନ୍ତି, ଗତ ୬ ମାସ ତଳୁ ଉଭୟଙ୍କ ସଂପର୍କରେ ଫାଟ ହୋଇଥିଲା । ସୌମ୍ୟଜିତଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଶ୍ୱେତା । ଏହି ସର୍ତ୍ତରେ ସୌମ୍ୟଜିତଙ୍କ ସହ ପ୍ରେମ ସଂପର୍କ ବି ଗଢ଼ିଥିଲେ । କିନ୍ତୁ ସୌମ୍ୟଜିତ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାକୁ ଅଣଦେଖା କରିଦେଇଥିଲେ । କେବେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ୍ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି । ଏପରିକି କିଛି ଫଟୋ ଓ ଭିଡିଓକୁ ଭାଇରାଲ କରିବାର ଧମକ ବି ଦେଇଥିବା କହିଛନ୍ତି ଶ୍ୱେତାଙ୍କ ବନ୍ଧୁ । ତେବେ ଏଭଳି ସମ୍ବେଦନଶୀଳ ମାମଲା ଭିତରେ କୁଆଡ଼େ ଗଲେ ସୌମ୍ୟଜିତ ? କାହିଁକି ପ୍ରତିକ୍ରିୟା ରଖୁନାହାଁନ୍ତି ସୌମ୍ୟଜିତ ଓ ପରିବାର ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)