• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବଙ୍କ ଶବାଧାର ସାଥିରେ ଚାଲୁଥିଲେ ଶହ ଶହ ଜନତା । ସରବାହାଲ ଘରୁ ଖେରୁଆଲ ଶ୍ମଶାନ ଯାଏଁ ଚାଲିଥିଲା ଅନ୍ତିମ ଶୋଭାଯାତ୍ରା । ସମର୍ଥକଙ୍କ ନବ ଦାଦା ଅମର ରହେ ଧ୍ୱନିରେ କମ୍ପୁଥିଲା ପରିବେଶ । ତେଣେ ବାପାଙ୍କ ପାର୍ଥିବ ଶରୀର ପାଖେ ଥାଇ କଇଁ କଇଁ ହୋଇ କାନ୍ଦୁଥିଲେ ଝିଅ ଦୀପାଳି । ବାହାରେ ଥିବାରୁ ଗତକାଲି ଆସି ପାରିନଥିବାର ଲୁହ ସାଙ୍ଗକୁ ବାପାଙ୍କ ଆକସ୍ମିକ ବିୟୋଗର କୋହ, ଯେମିତି ଦିପାଳୀଙ୍କୁ ଦୋହଲାଇ ଦେଇଥିଲା । ପାର୍ଥିବ ଶରୀର ଥିବା ଗାଡ଼ି ଉପରକୁ ଚଢ଼ି ମ୍ରିୟମାଣ ହୋଇ ପଡ଼ିଥିଲେ ମଝିରେ ମଝିରେ ଭାଇ କାନ୍ଧରେ ଲୋଟି ପଡ଼ୁଥିଲେ, ବାପା ଆଉ ନାହାନ୍ତି ବୋଲି ବିଶ୍ୱାସ କରିପାରୁ ନଥିଲେ ।

ଶବାଧାର ଚାଲୁଥିଲା, ସହରର ବେହେରାମାଲ୍ ହେଉ କି ମନମୋହନ ପଡ଼ିଆ, ସବୁଠି ନିଜ ପ୍ରିୟ ନେତାଙ୍କ ଶେଷ ଝଲକ ଟିକେ ପାଇବାକୁ ଅପେକ୍ଷା କରି ରହିଥିଲେ ଶୋକାକୁଳ ଜନତା । ଅପରାହ୍ନ ପ୍ରାୟ ୪ଟା ବେଳକୁ ଖେରୁଆଲ୍ ଶ୍ମଶାନରେ ପହଞ୍ଚିଥିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ପାର୍ଥିବ ଶରୀର । ମରଶରୀର ଉପରେ ତ୍ରିରଙ୍ଗା ପଡିଥିଲା, ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ସଲାମି ଦିଆଯାଇଥିଲା । ସେଠି ବି ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ ।

ଅଧିକ ପଢ଼ନ୍ତୁ: କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲେ ASI ଗୋପାଳ ଦାସ ?

ନିଜ ଓ ଅନ୍ୟ ଦଳର ନେତା ଏବଂ ସାଧାରଣ ଜନତା ବି ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ପହଞ୍ଚିଥିଲେ । ତେଣେ ଶ୍ମଶାନରେ ପୂର୍ବରୁ ପହଞ୍ଚି ସାରିଥିବା ନବ ଦାସଙ୍କ ବାପା ବି ଚାପି ରଖିପାରିନଥିଲେ ଅନ୍ତର ଭିତରର କୋହ । କିଛି ପାରମ୍ପରିକ ବିଧି ପରେ ନବଙ୍କ ପୁଅ ବିଶାଳ ଦେଇଥିଲେ ମୁଖାଗ୍ନି । ଏହା ପରେ ପଞ୍ଚଭୁତରେ ବିଲୀନ ହୋଇଯାଇଥିଲା ଜଣେ ମାଟିର ପୁଅର ମରଶରୀର ।

ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ପାଇଁ କର୍ମଭୂମୀ ଝାରସୁଗୁଡ଼ା ନିଆଯିବା ପୂର୍ବରୁ ଆଜି ସକାଳେ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବି ଶେଷଦର୍ଶନ ପାଇଁ ଗହଳି ଲାଗିଥିଲା । ତେବେ ସେତେବେଳେ ନବଙ୍କ ଅସୁସ୍ଥ ପତ୍ନୀ, ସ୍ୱାମୀଙ୍କୁ ବାହୁନି ବାହୁନି କାନ୍ଦୁଥିବାରୁ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । କାନ୍ଦି କାନ୍ଦି କହୁଥିଲେ ତୁମେ ଉଠ, ତୁମେ ଉଠ.. ତୁମ ବିନା ମୁଁ କେମିତି ବଞ୍ଚିବି.. ତୁମେ କୁଆଡ଼େ ଗଲ, ଫେରିଆସ ।

ସକାଳ ପ୍ରାୟ ୮ଟା ୪୫ ମିନିଟ୍‌ରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ନବଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ଏହାର କିଛି ସମୟ ପରେ ଶ୍ରଦ୍ଧାସୁମନ ଜଣାଇବାକୁ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ୯ଟା ବେଳକୁ ନବଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା ବିଜେଡି ପାର୍ଟି ଅଫିସ୍‌ । ସେଠାରେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷାରତ ଦଳର ନେତା ଓ କର୍ମୀମାନେ ଶେଷ ଦର୍ଶନ କରିଥିଲେ । ସେଠାରୁ ସିଧା ବିମାନ ବନ୍ଦର ନିଆଯିବାପରେ ଦିନ ୧୦ଟାରେ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ଅଭିମୁଖେ ଯାଇଥିଲା ନବଙ୍କ ମରଦେହ ।

୧୯୮୦ ଦଶକରେ ଜଣେ ପ୍ରଭାବୀ ଛାତ୍ରନେତାରୁ ସଫଳ ରାଜନେତା ନବ ଦାସଙ୍କ ଅବର୍ତ୍ତମାନରେ କେବଳ ଝାରସୁଗୁଡ଼ା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ଜଣେ ଲଢୁଆ ନେତାଙ୍କ ଯୁଗର ଅବସାନ ଘଟିଲା ବୋଲି ସବୁରି ମୁହଁରେ ଆଲୋଚନା ।