• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୁବନେଶ୍ବରରେ ସିମବକ୍ସ, ବାଂଲାଦେଶରୁ ହେଉଥିଲା ଅପରେଟ୍ । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଗୁପ୍ତ ଫୋନ୍ କଲ୍ ଆଶଙ୍କା । ଦିନେ-ଅଧେ ନୁହେଁ, ପ୍ରାୟ ବର୍ଷେ ହେଲା ବିଛାଯାଇଥିଲା ଅଦୃଶ୍ୟ ଅପରାଧର ଏହି ନେଟୱର୍କ । ମାଷ୍ଟରମାଇଣ୍ଡ ସାଜିଥିଲା ବାଂଲାଦେଶୀ ନାଗରିକ ଆସାଦ୍ଦୁର ଜମାନ୍ । ଆଉ ଯାହାର ଏଜେଣ୍ଟ ସାଜିଥିଲା ପଶ୍ଚିମବଙ୍ଗର ଏହି ଯୁବକ । ଯାହା ନାଁ ରାଜୁ ମଣ୍ଡଳ ।

ସିପିଙ୍କ କହିବା କଥା, ଗତ ଅକ୍ଟୋବର ୨୧ରେ ବାଂଲାଦେଶରୁ ଭାରତକୁ ଏଣ୍ଟ୍ରି କରିବା ପରେ ଭୁବନେଶ୍ବର ଆସିଥିଲା ଆଶାଦ୍ଦୁର । ଆଉ ରାଜୁ ମଣ୍ଡଳ ନାଁରେ କେଶୁରାରେ ମାସକୁ ୮ ହଜାର ଟଙ୍କାରେ ଘରଭଡ଼ା ନେଇ ସ୍ଥାପନ କରିଥିଲା ଏହି ସିମ୍‌ ବକ୍ସ ନେଟୱର୍କ । ରାଜୁର କାମ ଥିଲା ନିୟମିତ ବ୍ୟବଧାନରେ ସିମ୍ କାର୍ଡ ବଦଳାଇବା, ଆଉ ପାୱାର ସପ୍ଲାଏର ତଦାରଖ । ରାଜୁ ଏହି ଘରେ ରହୁନଥିଲା ସତ, କିନ୍ତୁ ସପ୍ତାହକୁ ଥରେ ଦୁଇ ଥର ପଶ୍ଚିମବଙ୍ଗରୁ ଆସୁଥିଲା ଭୁବନେଶ୍ବର । ଯାହାକୁ ଗିରଫ କରିବା ସହ ୫ଟି ଅପରେସନାଲ ସିମ୍ ବକ୍ସକୁ ଜବତ କରିଛି ପୋଲିସ । ଯେଉଁଥିରେ ୨୫୫ଟି ସିମ୍ ଆକ୍ଟିଭ ଥିଲା । ସେହିପରି ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ତା ମଧ୍ୟରୁ ଅବ୍ୟବହୃତ ଥିଲା ୫୮ଟି ସିମ୍ ।

ସିମ୍‌ ବକ୍ସ । ଏକାଧିକ ସିମକୁ ଏକକାଳୀନ ବ୍ୟବହାର କରି କଲ୍ କରାଯାଇପାରୁଥିବା ଏକ ସ୍ବତନ୍ତ୍ର ଡିଭାଇସ୍ ତଥା ନେଟୱର୍କ ବକ୍ସ । ଉଦାହରଣ ସ୍ବରୂପ, ପାକିସ୍ତାନର ISD କୋଡ୍ ହେଉଛି-92 । ଏହି 92 ଯୁକ୍ତ ନମ୍ବରରୁ ଭାରତରେ ରହୁଥିବା ମୋବାଇଲ ୟୁଜର୍ସଙ୍କ ପାଖକୁ ଯଦି କଲ୍ ଆସେ, ତେବେ ଏହି ସିମବକ୍ସ ଜରିଆରେ ଡିକୋଡ୍ ହୋଇ ଭାରତର ISD କୋଡ୍ 91 ସହ ଦୁର୍ବୃତ୍ତ ବ୍ୟବହାର କରୁଥିବା ଲୋକାଲ୍ ନମ୍ବର ସୋ’ କରିବ ।

କେବଳ ଭାରତ ନୁହେଁ, ଯେଉଁ ଦେଶରେ ସିମବକ୍ସ ଖଂଜା ଯାଇଥିବ ସେହି ରାଷ୍ଟ୍ରଗୁଡ଼ିକୁ ସ୍ଥାନୀୟ କୋଡ୍ ଅନୁଯାୟୀ ଫୋନ କଲ୍ ଯାଇପାରିବ । SMS ବି ପଠା ଯାଇପାରିବ । ଯାହା ଗୁଇନ୍ଦା ଅଧିକାରୀଙ୍କ ପକ୍ଷେ ଜାଣିପାରିବା ସହଜ ନୁହେଁ । ଭାରତରେ ସିମବକ୍ସ ବ୍ୟବହାରକୁ ନିଷେଧ କରାଯାଇଛି । ପ୍ରଶ୍ନ ଉଠୁଛି, ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? ବର୍ତ୍ତମାନ ହିଂସାରେ ଜଳୁଛି ବାଂଲାଦେଶ । ଏଭଳି ସ୍ଥିତିରେ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଆଶାଦ୍ଦୁରର ଏହି ସିମବକ୍ସ ଥିଓରୀର ରହସ୍ୟ କ’ଣ ? ଟେଲିଫୋନିକ କଲ୍ ଜରିଆରେ ରଚାଯାଉନଥିଲା ତ ଭାରତ ବିରୋଧୀ ଷଡ଼ଯନ୍ତ୍ର? ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ଏସବୁ ଦିଗ ଉପରେ କମିଶନରେଟ୍ ପୋଲିସ ଖୋଳତାଡ଼ କରୁଛି।

୨୦୧୭ରେ ବ୍ରହ୍ମପୁରରେ ଖୁଲାସା ହୋଇଥିଲା ଏଭଳି ଏକ ସିମବକ୍ସ ଅପରାଧର ନେଟୱାର୍କ। ସିମବକ୍ସ ଜରିଆରେ ହଙ୍ଗକଙ୍ଗରୁ ଫୋନ୍ କରି ମୁମ୍ବାଇର ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ କିଭଳି ଦାଦାବଟି ମାଗିଥିଲା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ, ବ୍ରହ୍ମପୁର ଘଟଣାର ତଦନ୍ତବେଳେ ଧରାପଡ଼ିଥିଲା । ୨୦୨୨ ନଭେମ୍ବରରେ ବି ସିମବକ୍ସ ଜରିଆରେ ଫ୍ରଡ୍ କଲ୍ କରି ମୟୁରଭଞ୍ଜ ଦୁର୍ଗମ ଇଲାକାରେ ସାଇବର ଠକେଇ ଚଳାଇଥିଲେ ଏକ ଗ୍ୟାଙ୍ଗ। ଆଉ ଏବେ ରାଜଧାନୀ ଭୁବନେଶ୍ବରରେ ବାଂଲାଦେଶୀ ଲିଙ୍କ୍ ପରେ ଉଦବେଗ ପ୍ରକାଶ ପାଇଛି ।

  • Reported by:
  • ATULYA BOUT , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now