• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ ଚାଞ୍ଚଲ୍ୟ । ମାଟି ତଳୁ ମିଳିଲା ନିଖୋଜ ଯୁବତୀଙ୍କ ଟୁକୁଡ଼ା ଟୁକୁଡ଼ା ମୃତଦେହ । ଗଣିଲା ବେଳକୁ ଥିଲା ୩୧ ଖଣ୍ଡ ମାଂସ ଟୁକୁଡ଼ା, ଲୁଣ ପକାଇ ପୋତିଥିଲା ହତ୍ୟାକାରୀ । ରାଇଘର ଥାନା ମୁରୁମଡ଼ିହି ଗାଁ ନିକଟ ଜଙ୍ଗଲରେ ଏହି ମୃତଦେହ ମିଳିଛି । ଯୁବତୀ ଜଣକଙ୍କ ପରିଚୟ ମିଳିସାରିଥିବା ବେଳେ, ପ୍ରେମ ଜନିତ ବ୍ୟାପାରରୁ ଯୁବତୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ପୋଲିସ ସେହି ଗାଁର ଏକ ଦଂପତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଯୁବତୀଙ୍କୁ ୩୧ ଖଣ୍ଡ କରି ପୋତିଛି ନରପିଶାଚ । ହାଡ଼ମାଂସ ଶୀଘ୍ର ସଢ଼ିଯିବା ପାଇଁ ଲୁଣ ଢାଳିଛି ଜହ୍ଲାଦ । ଜଙ୍ଗଲ ଭିତରେ ମାଟି ତଳୁ ଯୁବତୀଙ୍କ ମୃତଦେହ ୩୧ ଖଣ୍ଡରେ ଉଦ୍ଧାର ହେବା ପରେ, ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ଚାଞ୍ଚଲ୍ୟ । ଯୁବତୀଙ୍କ ପରିଚୟ ରାଇଘର ଥାନା ବାଘବେଢ଼ା ଗାଁର ଲୁଦୁ ଗଣ୍ଡଙ୍କ ଝିଅ ତିଳବତୀ ବୋଲି ଚିହ୍ନଟ କରିଛି ପୋଲିସ ।

ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି । ତେବେ ତିଳବତୀଙ୍କୁ କିଏ ମାରିଲା, କେବେ ମାରିଲା ଓ କାହିଁକି ମାରିଲା, ତାର ପତ୍ତା ପାଇନି ।

ସୂଚନା ଅନୁସାରେ, ମୁରମଡିହି ଗାଁର ଯେଉଁ ଦଂପତିଙ୍କ ଘର ପଛପଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି, ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଗତ ବୁଧବାର ଅଚାନକ ନିଖୋଜ ହୋଇଯାଇଥିଲେ ବାଘବେଢ଼ା ଗାଁର ୨୩ ବର୍ଷୀୟା ତିଳବତୀ ଗଣ୍ଡ । ୩ଦିନ ଧରି ଚାରିଆଡ଼େ ଝିଅକୁ ଖୋଜାଖୋଜି କରିଥିଲେ ପରିବାର ଲୋକେ ।

ତେବେ ତାଙ୍କର କୌଣସି ପତ୍ତା ନମିଳିବାରୁ ସେମାନେ ପହଞ୍ଚିଥିଲେ ମୁରୁମଡିହ ଗାଁରେ । ପୁର୍ବରୁ ପ୍ରେଅ ଜନିତ ବ୍ୟାପାର ଥିବାରୁ ମୁରୁମଡିହ ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଝିଅ ସମ୍ପର୍କରେ ପଚାରିଥିଲେ । ହେଲେ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଚନ୍ଦ୍ର ରାଉତଙ୍କ ଉପରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ଥାନାରେ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା ବେଳେ, ମୃତଦେହ ପୋତାଯାଇଥିବା ସ୍ଥାନ ସଂପର୍କରେ ସୁରାକ୍ ମିଳିଥିଲା ।

ଏବେ ଆଇପିସି ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରୁଛି ପୋଲିସ । ତେବେ କିଏ କଲା ଯୁବତୀଙ୍କୁ ୩୧ ଖଣ୍ଡ ? ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ରହିଛି କି ପ୍ରେମ ବ୍ୟାପାର ? ମର୍ଡର ମିଷ୍ଟ୍ରିର ଗୁମର ଖୋଲିବେ କି ଅଟକ ଦମ୍ପତି ?

  • Reported by:
  • KARTIK MALLICK