• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସ ସ୍ୱାଇଁ ହତ୍ୟା ମାମଲାରୁ ଖସିବାକୁ ତିଆରି ହୋଇଥିଲା ଖସଡ଼ା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ ଓ ସହଯୋଗୀ ବନେଇଥିଲେ ପ୍ଲାନ୍ । କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ସାମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ । ଏମିତିକି ମାନସଙ୍କ ନାଁରେ ଅଭିଯୁକ୍ତମାନେ ଏକ ମିଛ ଅଣ୍ଡରଟେକିଂ ଲେଖିଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିରେ ସେମାନେ ମେମୋରି ଚିପ୍ ପାଇସାରିଥିବା ଓ ମାନସଙ୍କୁ ଛାଡ଼ି ଦେଇଥିବା ଲେଖା ଅଛି । ଉକ୍ତ ଅଣ୍ଡରଟେକିଂରେ ମୃତ ମାନସଙ୍କ ଦସ୍ତଖତ ବି ରହିଛି ।

ତେବେ ନିଜକୁ ବଞ୍ଚାଇବାକୁ ଅଭିଯୁକ୍ତମାନେ ଲେଖାଇଥିବା ଏହି ଅଣ୍ଡରଟେକିଂର ସତ୍ୟତା କେତେ ? ତାକୁ ଜାଣିବାକୁ ଫୋରେନସିକ୍ ଲ୍ୟାବ୍ ସ୍ଥିତ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି କ୍ରାଇମବ୍ରାଞ୍ଚ । ଏମିତିକି ନିରଞ୍ଜନ ସେଠୀ ଓ ଶର୍ମିଷ୍ଠାର ପ୍ରରୋରଚନାରେ ସହଯୋଗୀ ଝୁନା ଭୋଇ ଉକ୍ତ ଅଣ୍ଡରଟେକିଂ ଲେଖିଥିବା ଜେରା ବେଳେ ପଦାକୁ ଆସିଛି ।

ତାସହ ଦୟାଲ ଆଶ୍ରାମ ସାମ୍ନାରେ ଠିଆ ହୋଇ ଶର୍ମିଷ୍ଠା ଅଣ୍ଡରଟେକିଂ ସମ୍ପର୍କରେ କହୁଥିବାର ଏକ ଭାଇରାଲ୍ ଭିଡିଓକୁ ନେଇ ବି ତନାଘନା ଚାଲିଥିବା ବେଳେ, ଏହା ସୁଚିନ୍ତିତ ଭିଡିଓ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ କେବଳ ଶର୍ମିଷ୍ଠାଠାରୁ ମାନସ ମୃତ୍ୟୁ ରହସ୍ୟ ଓଗାଳିବାକୁ ସ୍ୱତନ୍ତ୍ର ୨ଟି ଟିମ୍ ଲାଗିଛନ୍ତି । ଗତକାଲି ରାତି ଗୋଟାଏ ପର୍ଯ୍ୟନ୍ତ ଶର୍ମିଷ୍ଠାକୁ ଜେରା ହୋଇଥିବା ସୂଚନା ମିଳିଛି ।

 

ହତ୍ୟାକାଣ୍ଡ ପରେ ଶର୍ମିଷ୍ଠା ଓ ଝୁନା ଭୋଇ କେମିତି ପୋଲିସ ଆଖିରୁ ଖସିବାକୁ ପ୍ଲାନ ବନାଇଥିଲେ, ତା ବି ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ପୋଲିସକୁ ଚକ୍‌ମା ଦେବାକୁ ଭୁବନେଶ୍ୱରସ୍ଥିତ ଫ୍ଲାଟ୍‌ରେ ମୋବାଇଲ୍ ଛାଡ଼ି ପଳାଇଥିଲା ଶର୍ମିଷ୍ଠା । ଭଦ୍ରକ ଅଗରପଡ଼ାରୁ ଗୋଟିଏ ଓ କୋଲକାତାରୁ ୨ଟି ସିମ୍ କାର୍ଡ କିଣି ସମ୍ପର୍କୀୟଙ୍କ ସହ ଯୋଗାଯୋଗ ରଖିଥିଲା ।

ମାର୍ଚ୍ଚ ୭ରେ ଶାଶୁ ଘର ଯୋଜପୁର ପୁଲିପୁଶି ଗାଁକୁ ଯାଇ ସେଠି ୩ଦିନ ରହିଥିଲା ଶର୍ମିଷ୍ଠା । ପରେ ୧୦ ତାରିଖରେ ଭଦ୍ରକ ପୁରୁଷଣ୍ଢାରେ ଥିବା ନଣନ୍ଦ ଘରେ ୩ ଦିନ ରହିଥିଲା । ମାର୍ଚ୍ଚ ୧୩ରେ ଏକ ଅଟୋରେ ଭଦ୍ରକ କୁପାରି ବସଷ୍ଟାଣ୍ଡକୁ ଯାଇ ସେଠୁ ବାଲେଶ୍ୱରରୁ କୋଲକାତାକୁ ଚମ୍ପଟ ମାରିଥିଲା । ପ୍ରଥମେ ନଦିୟା ଜିଲାର କଲ୍ୟାଣୀପୁର ଓ ପରେ ମାୟାପୁରୀରେ ରହିଥିଲା । ଯେଉଁଠି ଭାଇ ପରମେଶ୍ୱରର ପରିଚୟ ଦେଇ ଅସୀମା ଦାସ ନାମ୍ନୀ ଜଣଙ୍କ ପାଖରେ ରହିଥିଲା । ସେଠୁ ଜଲପାଇଗୁଡ଼ି ଓ କୋଲକାତାରେ ପୁଣି କିଛି ଦିନ ରହି ଅର୍ଥାଭାବରୁ ଓଡ଼ିଶା ଫେରିବାବେଳେ ତାକୁ କାବୁ କରିଥିଲା ପୋଲିସ୍ ।

ଏସବୁ ଭିତରେ ସାମ୍ନାକୁ ଆସିଛି ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଯେଉଁଥିରେ ତାଙ୍କ ଛାତିରେ ଆଘାତ ଯୋଗୁଁ ପିଞ୍ଜରା ହାଡ଼ ଭାଙ୍ଗିଥିବା ଦର୍ଶାଯାଇଛି । ତାସହିତ ମେରୁଦଣ୍ଡରେ ଆଘାତ ସହ ଇଣ୍ଟରନାଲ୍ ବ୍ଲିଡିଂ ମଧ୍ୟ ହୋଇଛି । ତେଣୁ ପାରିପାର୍ଶ୍ୱିକ ପ୍ରମାଣ ସହ ସାକ୍ଷୀମାନଙ୍କ ବୟାନ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଏକାଠି କରି ଏଣ୍ଡ ପଏଣ୍ଟରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ତେଣେ ଅଭିଯୁକ୍ତ ନିରଞ୍ଜନ ସେଠୀ ପୁରୀ ବେଳାଭୂମିରେ ଅଭିନୟ କରିଥିବା ଏକ ସର୍ଟ ଫିଲ୍ମ ଭିଡିଓ ସାମ୍ନାକୁ ଆସିଛି । ତେବେ କଣ ଏହି ଭିଡ଼ିଓଟିକୁ ଡିଲିଟ୍ କରିଥିବାରୁ ମାନସଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି ଗୋପନୀୟ ଭିଡିଓ ପାଇଁ ଏତେବଡ଼ କାଣ୍ଡ ଘଟିଛି, ତାକୁ ନେଇ ଚାଲିଛି ଖୋଳାତାଡ଼ ।