Advertisment

ଗୁଣ୍ଡାଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ୍ ଆଣିବେ ରାଜ୍ୟ ସରକାର

ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ।

author-image
Chandan Shishu
undefined

Effective Implementation Of ‘Goonda Bill’ In Odisha

ଭୁବନେଶ୍ୱର: ବଢୁଛି ଦାଦାଗିରି, ମାତିଛନ୍ତି ଅପରାଧୀ ଗ୍ୟାଙ୍ଗ ରୋକିବାକୁ ଆସିବ ସ୍ୱତନ୍ତ୍ର ଗୁଣ୍ଡା ନିରୋଧୀ ଆଇନ୍। ବିଲ୍ ଆସିଲେ ଅପରାଧୀଙ୍କ ସହ ହାତ ମିଳାଇଥିବା ସରକାରୀ କର୍ମଚାରୀ ବି ଫସିବେ। ଆଇନ ବିଭାଗକୁ ରାଜ୍ୟ ସରକାରଙ୍କ ଏ ସମ୍ପର୍କିତ ଚିଠା ପ୍ରସ୍ତାବ ପରେ ଚାଲିଛି ଚର୍ଚ୍ଚା। ଆଲୋଚନା ଆଇନକୁ ସଠିକ୍ ଢଙ୍ଗରେ ପୋଲିସ କାର୍ଯ୍ୟକାରୀ କଲେ ହିଁ ଅସମାଜିକ ତତ୍ତ୍ୱ ସାବାଡ଼ ହେବେ ବୋଲି ସାଧାରଣ ଜନତା କହିଥିବାବେଳେ ଅପରାଧୀଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବା ସବୁଠୁ ବଡ଼ କାମ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ଓ ଆଇନଜୀବୀ।

Advertisment

ହଠାତ୍ କାହିଁକି ସରକାରଙ୍କର ଏଭଳି ପଦକ୍ଷେପ? ତାକୁ ନେଇ କଳ୍ପନା-ଜଳ୍ପନା ଭିତରେ ଚର୍ଚ୍ଚାରେ ଏସବୁ ଚିତ୍ର। କେଉଁଠି ହାତରେ ମାଉଜର ଧରି ଫାଙ୍କା ଫାୟାରିଂ ତ ପୁଣି କେଉଁଠି ଦାନ୍ତରେ ଦୁର୍ବୃତ୍ତ କାମୁଡୁଛି ଖଣ୍ଡା। ପୁରା ଗ୍ୟାଙ୍ଗ ଷ୍ଟାଇଲରେ ବି ଚାଲି ନିକଟରେ ଗୁଣ୍ଡା ଓ ବଦମାସଙ୍କର ଏଭଳି କିଛି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ହଇଚଇ। ଦୃଶ୍ୟ ଦେଖି ରକ୍ତ ଚରିତ୍ର ଗ୍ୟାଙ୍ଗର କିଛି ବଦମାସଙ୍କୁ କମିଶନରେଟ୍ ପୋଲିସ କାବୁ କରିବା ପରେ ସେମାନଙ୍କ ଅନ୍ୟ ସାଥୀଙ୍କୁ ଖୋଜୁଛି।

ସେହିପରି ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଯାହାର ସଦ୍ୟତମ ଭିଡ଼ିଓ ଆସିଛି ଭୁବନେଶ୍ୱର ନହରକଣ୍ଟାରୁ। ଦୀପାବଳୀ ଚାନ୍ଦା ନଦେବାରୁ ଏକ ପରିବାର ଉପରେ ୫ ଦୁର୍ବୃତ୍ତ କରିଛନ୍ତି ମରଣାନ୍ତକ ଆକ୍ରମଣ। ଥାନାରେ ଏତଲା ପରେ ପୋଲିସ୍ ଚଳାଇଛି ତନାଘନା। ସେମିତି ଗତ ସପ୍ତାହରେ ଶୈଳଶ୍ରୀ ବିହାରରେ ମା ଝିଅଙ୍କୁ ଛୁରା ମାଡ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡ, ଅଗଷ୍ଟରେ ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଓ ଜୁଲାଇରେ ମାଷ୍ଟରକ୍ୟାଣ୍ଟିନ ଛକରେ ୫ ଜଣଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ।

Advertisment

ଏସବୁ ଘଟଣା ପରେ ଗୁଣ୍ଡାଗିରି ବେଧଡ଼କ୍ ବଢୁଥିବା ହୃଦୟଙ୍ଗମ କରିଛି ଗୃହ ବିଭାଗ। ସଂଗଠିତ ଅପରାଧ ରୋକିବାକୁ ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ବିଲ୍-୨୦୨୧ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ଓଡିଶା ସରକାର। ବିଶେଷକରି କଟକ-ଭୁବନେଶ୍ୱର ପାଇଁ ଏହି ଆଇନ୍ ଅଧିକ କାମରେ ଲାଗିବ ଯାହାକୁ ସାଧାରଣଜନତା ସ୍ୱାଗତ କରିଥିଲେ ବି ପୋଲିସ ନୂଆ ଆଇନ୍‌କୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଦରକାର ବୋଲି କହିଛନ୍ତି।

କେତେ ଫଳପ୍ରଦ ହେବ ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ବିଲ୍-୨୦୨୧? ଆଇନ ବିଭାଗର ତର୍ଜମା ପରେ ସଂଶୋଧନ ପାଇଁ କ୍ରାଇମବ୍ରାଞ୍ଚକୁ ଗୃହ ବିଭାଗ ପଠାଇଥିବା ଡ୍ରାଫ୍ଟ ବିଲ୍ କଣ ସବୁ ରହିଛି ବ୍ୟବସ୍ଥା ? ଲୋକଙ୍କୁ ଭୟଭୀତ କଲେ, ଧମକାଇ ଟଙ୍କା ଆଦାୟ କଲେ ଓ ଅନ୍ୟର ସଂପତ୍ତିକୁ କ୍ଷତି ପହଞ୍ଚାଇଲେ କିମ୍ବା ସମାଜରେ ବିଶୃଙ୍ଖଳା କଲେ ତାକୁ ଗୁଣ୍ଡାଗିରି ବୋଲି ଧରାଯିବ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ। ଦୋଷ ପ୍ରମାଣିତ ହେଲେ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ ରହିଛି।

ଏସବୁ ମାମଲା ପରିଚାଳନା ପାଇଁ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋର୍ଟ। ଏମିତି କି ଦରକାର ପଡିଲେ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ବି ଆଇନରେ ପ୍ରାବଧାନ ରହିବ। ସାକ୍ଷୀମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ତେବେ ଖାଲି ଆଇନ୍ ଆଣିଦେଲେ ସମସ୍ୟା ସମାଧାନ ହୋଇଯିବନି, ଅପରାଧୀଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ଓ ବରିଷ୍ଠ ଆଇନଜୀବୀ। ଏବେ ଅପେକ୍ଷା କେବେ ଆସୁଛି ଗୁଣ୍ଡା ନିରୋଧୀ ଆଇନ ? ଅସାମାଜିକ ଓ ବଦମାସ କେତେ ପରିମାଣରେ ହେଉଛନ୍ତି ସାବାଡ୍ ? 

ରିପୋର୍ଟ: ସୌମ୍ୟରଞ୍ଜନ ସାହୁ

Bhubaneswar Odisha Government Gunda Bill
Advertisment
Advertisment