• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ବଡ଼ ମେଡିକାଲ ମୁଣ୍ଡରେ ପୁଣି ପିଲା ଚୋରି କଳଙ୍କ । ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ହେବାକୁ ସ୍ୱପ୍ନ ଦେଖୁଥିବା ପୂର୍ବାଞ୍ଚଳର ଏହି ପ୍ରମୁଖ ସରକାରୀ ମେଡିକାଲ କଲେଜ ହସ୍ପିଟାଲରୁ ଛୁଆ ଚୋରିର ରୀତିମତ ଷଡ଼ଯନ୍ତ୍ର । ଗତକାଲି SCBର ହାଇସିକ୍ୟୁରିଟି SNCU ଭିତରୁ ଏକ ନଜଜାତ ଶିଶୁକନ୍ୟା ଗାଏବ ପରେ ସାମ୍ନାକୁ ଆସିଛି ପିଲା ଚୋରି ଘଟଣା ପଛର କଳା କାହାଣୀ ।

ପୁରା ଘଟଣା ଦେଖିବା ଯଦି, SCB SNCU ଭିତରେ ଚିକିତ୍ସାଧୀନ ଥିଲେ ପୁରୀ ଚନ୍ଦନପୁର ଅଞ୍ଚଳର ତୋଫାନ କୁମାର ଜେନାଙ୍କ ନବଜାତ ଶିଶୁକନ୍ୟା । ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ହସ୍ପିଟାଲ ବେଡ୍‌ରେ ତାଙ୍କ ଝିଅ ନଥିବା କଥା ତାଙ୍କୁ ଫୋନରେ ଜଣାଇଥିଲେ ଦାୟିତ୍ୱରେ ଥିବା କର୍ମଚାରୀ । ଏନେଇ ସେ ତୁରନ୍ତ ମଙ୍ଗଳବାଗ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ଛାନଭିନ୍ । ଘଟଣା ବିଜୁଳି ବେଗରେ ପ୍ରଘଟ ହେବା ପରେ ରାତି ପ୍ରାୟ ୮ଟା ବେଳକୁ କଟକ ପ୍ରତାପନଗରୀ ଅଞ୍ଚଳର ଏକ ଦମ୍ପତି ଚୋରି ଛୁଆକୁ ଫେରାଇବାକୁ ଆସିବା ପରେ ଘଟଣାରେ ଆସିଥିଲା ଟ୍ୱିଷ୍ଟ ।

ଚୋରି ଛୁଆକୁ ଫେରାଇବାକୁ ଆସିଥିବା ଦମ୍ପତି ସଫେଇ ଦେଇଛନ୍ତି ଯେ, ମାସେ ତଳେ କଟକ ବଡ଼ ମେଡିକାଲରେ ସେମାନଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ସେ ବି SNCUରେ ଚିକିତ୍ସାଧୀନ ଥିଲା । ତେବେ ଗତକାଲି ଡିସଚାର୍ଜ ବେଳେ ସେମାନେ ଭୁଲରେ ସେମାନଙ୍କ ଶିଶୁପୁତ୍ର ବଦଳରେ ଶିଶୁକନ୍ୟାକୁ ନେଇଛନ୍ତି । ଶିଶୁଟି କନ୍ୟା ବୋଲି ଜାଣିବା ପରେ ଫେରାଇବାକୁ ମେଡିକାଲ ଆସିଛନ୍ତି ।

ଏପଟେ ପୋଲିସ ଓ ଏସ୍‌ସିବି କର୍ତ୍ତୃପକ୍ଷ ମହିଳାଙ୍କ ବୟାନକୁ ଛାନଭିନ୍ ପରେ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଆଶ୍ଚର୍ଯ୍ୟର କଥା, ମହିଳା ଜଣକ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଏକ ଓପିଡି ଟିକେଟ୍ ଓ ଏକ ଡିସଚାର୍ଜ ସାର୍ଟିଫିକେଟ୍ ବି ପ୍ରସ୍ତୁତ କରିଥିଲେ । ତେବେ ଡିସଚାର୍ଜ ସାର୍ଟିଫିକେଟଟି ନକଲି ବୋଲି ଜଣାପଡ଼ିଥିବାରୁ ଛୁଆ ଚୋରି ଯୋଜନାବଦ୍ଧ ଥିଲା ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି ।

କଟକ ବଡ଼ ମେଡିକାଲରୁ ଏ ସୁଚିନ୍ତିତ ପିଲା ଚୋରି ଘଟଣା ସାମ୍ନାକୁ ଆସିବା, ମେଡିକାଲ କର୍ମଚାରୀ ତଥା ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପୁଣି ପଦାରେ ପକାଇଛି । ଏପଟେ ପ୍ରଶ୍ନ ଉଠୁଛି, ହାଇ ସିକ୍ୟୁରିଟି ଜୋନ୍‌ରେ ଥିବା SNCU ଭିତରୁ ପିଲା ଚୋରି ସମ୍ଭବ ହେଲା କେମିତି ? ମହିଳା ଜଣକ SNCU ଭିତରକୁ ଯିବାକୁ ପାସ୍ ପାଇଲେ କିଭଳି ? ଡୁପ୍ଲିକେଟ୍ ଡିସଚାର୍ଜ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ପିଲାକୁ ଏତେ ସହଜରେ ନେଇଯିବା ପଛରେ ମେଡିକାଲର କେଉଁ କର୍ମଚାରୀ ସାମିଲ ନାହାନ୍ତି ତ ? ଏପଟେ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।