• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମ୍ବଲପୁରରେ ହିଂସାକାଣ୍ଡ ପ୍ରି ପ୍ଲାନ୍ଡ଼ ଥିଲା’ । ଏସ୍‌ପିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଚର୍ଚ୍ଚା ଜୋର ଧରିଛି । ତାହେଲେ ପୋଲିସର ବିଫଳତା ପାଇଁ ସମ୍ବଲପୁରରେ ଘଟିଗଲା କି ଏତେବଡ଼ ହିଂସାକାଣ୍ଡ ? ଏଭଳି ପ୍ରଶ୍ନ ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।

ଏସ୍‌ପିଙ୍କ କହିବାନୁଯାୟୀ, ଯଦି ହିଂସାକାଣ୍ଡ ପୂର୍ବ ଯୋଜନା ଥିଲା, ତେବେ ପୋଲିସର ପ୍ରସ୍ତୁତି କାହିଁକି ସେଭଳି ନଥିଲା ? ହିଂସାକାରୀଙ୍କୁ ଦମନ କରିବା ପାଇଁ କି ପଦକ୍ଷେପ ନେଇଥିଲା ସମ୍ବଲପୁର ପୋଲିସ ? ଗୁଇନ୍ଦା ବିଭାଗ ପାଖରେ ଖବର ଥିଲା ତ ? କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଲର୍ଟ କରିବା ପରେ ବି ସମ୍ବଲପୁର ପୋଲିସ ସେଦିଗରେ ସଜାଗ ନଥିଲା କାହିଁକି ? କାରଣ ବିଗତ ବର୍ଷମାନଙ୍କରେ ହନୁମାନ ଜୟନ୍ତୀ ବେଳେ ଉତ୍ତେଜନାମୂଳକ ସ୍ଥିତି ଉପୁଜେ ଏବଂ ନିର୍ଦ୍ଧିଷ୍ଟ ସମ୍ବେଦନଶୀଳ ଅଞ୍ଚଳରେ ହିଁ ହିଂସାର ଆଶଙ୍କା ଥାଏ । ଏକଥା ନିଜେ ପୋଲିସ ବି ଜାଣିଛି । ଅଥଚ ସୁରକ୍ଷାକୁ କାହିଁକି କଡ଼ାକଡ଼ି କରାଯାଇନଥିଲା ? ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ବିଜେପିର ଫ୍ୟାକଟ ଫାଇଣ୍ଡିଂ ଟିମ୍ ରାଜ୍ୟ ସରକାର ଏବଂ ପୋଲିସ ଉପରକୁ ଦୋଷ ଲଦିଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି । ସମ୍ବଲପୁରରେ ଯେଉ ହିଂସାକାଣ୍ଡ ହେଲା, ତାକୁ ଚପାଇ ଦେବାକୁ ଶାସକ ଦଳ ବସିଛି । ସେ କହିଛନ୍ତି କଟକ, କେନ୍ଦ୍ରାପଡ଼ାରେ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହନୁମାନ ଜୟନ୍ତୀ ପାଳନ ହେଲା, ଅଥଚ ସମ୍ବଲପୁରରେ କାହିଁକି ଅବହେଳା ହୋଇଛି, ତାର ସ୍ପଷ୍ଟତା ରହିବା ଦରକାର । ଓଡ଼ିଶା ଜନସାଧାରଣ ବି ଜାଣିବା ଦରକାର ।

ସମ୍ବଲପୁରରେ ଆଜି ବି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସମ୍ବଲପୁର ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହଁ । ଯେତେ ଶୀଘ୍ର ସମ୍ଭବ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି । ଅପରପକ୍ଷେ ସମ୍ବଲପୁର ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି । ସେପଟେ ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ।

ସମ୍ବଲପୁର ହିଂସାକାଣ୍ଡକୁ ବିତିଲା ୫ ଦିନ । ତା’ମଧ୍ୟରୁ ୩ ଦିନ ପୂରିଲା ଲାଗୁ ହୋଇଥିବା କର୍ଫ୍ୟୁକୁ । ଦୈନିକ ୩-୪ ଘଣ୍ଟା ପାଇଁ କୋହଳ ହେଉଥିଲେ ବି ଗୃହବନ୍ଦୀ ଅବସ୍ଥାରେ ପଡ଼ିରହିଛନ୍ତି ଲୋକେ । ଏଭଳି ପରିସ୍ଥିତିକୁ ନେଇ ଜନତା ଅସନ୍ତୋଷ ଝାଡ଼ିଲେଣି । କର୍ଫ୍ୟୁ ଭିତରେ ଦରବୃଦ୍ଧିକୁ ନେଇ ଦହଗଞ୍ଜ ହେଉଛନ୍ତି ଲୋକେ । ସେପଟେ ସମ୍ବଲପୁର ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀ । ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

 

  • Reported by:
  • SANJAY JENA , Bhagirathi Sahu