Saif Ali Khan stabbing case: ସୈଫଙ୍କୁ ଆକ୍ରମଣ କରି ଟଙ୍କା ନେଇ ଗାଏବ ହୋଇଯାଇଥାନ୍ତା ଅଭିଯୁକ୍ତ

ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।

ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।

ସୁସ୍ଥ ହୋଇ ହସ୍‌ପିଟାଲରୁ ଡିସଚାର୍ଜ ପରେ ନିଜ ଘରେ ପହଞ୍ଚିସାରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍  । ଗତ ୨୧ ତାରିଖରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୈଫ୍‌ । କିନ୍ତୁ ଘଟଣାକୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହାରି ଭିତରେ ଆକ୍ରମଣର କାରଣ କହିଛି ଅଭିଯୁକ୍ତ । ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଟଙ୍କା ପାଇଁ ଲୁଟ୍‌ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଏକ ରେଷ୍ଟୁରାଣ୍ଟରେ ମାସିକ ୧୩୦୦୦ ଟଙ୍କା ବେତନରେ ଚାକିରି କରିଥିଲା । ସିଏ ଏହି ଟଙ୍କାରୁ ୧୨୦୦୦ ଟଙ୍କା ନିଜ ମାଆଙ୍କ ଚିକତ୍ସା ପାଇଁ ବାଂଲାଦେଶ ପଠାଉଥିଲା । କିନ୍ତୁ ରେଷ୍ଟୁରାଣ୍ଟରୁ ଚୋରି କରି ଧରାପଡିବାରୁ ତାକୁ ଚାକିରି ହରାଇବାକୁ ପଡିଥିଲା ।

ଏହାପରେ ସେ ଜଣେ ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌ କରି କିଛି ଅର୍ଥ ଧରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା । ସେ ସୈଫ ଅଲ୍ଲୀ ଖାନଙ୍କ ବିଷୟରେ କିଛି ଜାଣିନଥିଲେ ମଧ୍ୟ ଜଣେ ଧନୀ ଲୋକଙ୍କ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲା । ସେ ପାଚେରୀରେ ଚଢି ଭିତରକୁ ପଶିଥିଲା ଓ ପଶିବା ସମୟରେ ଜଗୁଆଳି ଶୋଇଥିଲେ ବୋଲି ସେ କହିଛି । ଅଭିଯୁକ୍ତ ଦେଇଥିବା ବୟାନକୁ ନେଇ ଅଧିକ ଯାଞ୍ଚ ଜାରି ରଖିଛି ପୋଲିସ୍‌ ।  ଆକ୍ରମଣ ପରେ ସୈଫ୍‌ଙ୍କ ଶରୀରରେ ଥିବା ଛୁରୀର ୨.୫ ଇଞ୍ଚର ଏକ ଅଂଶ ବାହାର କରିଥିଲେ ଡାକ୍ତର । ତେବେ ଏହାରି ଭିତରେ ପୁଣି ପୋଲିସ୍‌କୁ ମିଳିଛି ନୂଆ ପ୍ରମାଣ । ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଯେଉଁ ଛୁରୀରେ ଆକ୍ରମଣ କରାଯାଇଥିଲା, ମୁମ୍ବାଇ ପୋଲିସ୍ ତାହାର ଆଉ ଏକ ଖଣ୍ଡ ମଧ୍ୟ ଉଦ୍ଧାର କରିଛି ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ଅଭିଯୁକ୍ତ ମହମ୍ମଦ ଶରିଫୁଲ ସୈଫଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲା । ଆକ୍ରମଣ କରିବା ସମୟରେ ଏହା ତିନି ଖଣ୍ଡ ହୋଇଯାଇଥିଲା । ଗୋଟିଏ ଖଣ୍ଡ ସୈଫ୍‌ଙ୍କ ପିଠିରେ ରହିଯାଇଥିଲା । ବଲିଉଡ ଅଭିନେତା ସୈଫ୍‌ଙ୍କ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ୍‌ ଅଧିକ ଛାନ୍‌ଭିନ ଜାରିରଖିଛି । ଗିରଫ ହୋଇଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ଶାହଜାଦ ପୋଲିସ୍‌ ନିକଟରେ ନିଜର ଅପରାଧ ସ୍ୱୀକାର କରିଛି । ଅଭିଯୁକ୍ତ ସୈଫଙ୍କୁ ଆକ୍ରମଣକରି ଫେରାର ହେବାପରେ ବାନ୍ଦ୍ରା ହ୍ରଦ ନିକଟରେ ଛୁରୀର ବଳକା ଅଂଶକୁ ଫିଙ୍ଗି ଦେଇଥିଲା । ପୋଲିସ ଅଭିଯୁକ୍ତକୁ ଜେରା କରିବା ସମୟରେ ଏସମ୍ପର୍କରେ ଜାଣିଥିଲା । ଏହାପରେ ପୋଲିସ୍‌ର ଏକ ଟିମ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ଦେଢ଼ ଘଣ୍ଟାର କସରତ ପରେ ଛୁରୀର ବଳକା ଅଂଶକୁ ଜବତ କରିଛି ମୁମ୍ବାଇ ପୋଲିସ୍ ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ