/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695743787.jpg)
Assistant Collector
କେମିତି ହେଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ଲେଡି ଓଆରଏସଙ୍କ ମୃତଦେହ ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ୟା ଭିତରେ ଘଟଣାକୁ ୭ ଦିନ ବିତିଯାଇଥିଲେ ବି ପୋଲିସର ହାତଖାଲି, ସାମ୍ନାକୁ ଆସିପାରୁନି ମୃତ୍ୟୁ ପଛର ରହସ୍ୟ । ଏପଟେ ମୃତ୍ୟୁ ପଛର କାରଣ ପର୍ଦ୍ଦାଫାସ ଦାବିରେ ବିକ୍ଷୋଭ ଓ ଗଣଆନ୍ଦୋଳନ । ଆଜି ରାଉରକେଲା ଏଡିଏମ୍ ଅଫିସ ଆଗରେ ଏଭଳି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଆଦିବାସୀ।
ସୁସ୍ମିତାଙ୍କ ମୃତ୍ୟୁପାଇଁ ସେମାନେ ସିଧା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ଘଟଣା ପଛର ସତ କାଢ଼ିବାକୁ ସିବିଆଇ ତଦନ୍ତ ଦାବି କରିଛି ଆଦିବାସୀ ସଂଘ । ସେପଟେ ସୁସ୍ମିତାଙ୍କ ପରିବାର ଲୋକେ ବି ସମାନ ଅଭିଯୋଗ ଆଣି ଘଟଣା ପାଇଁ ଜିଲ୍ଲାପାଳ ଓ ଏଡିଏମଙ୍କୁ ଦାୟୀ କରିଛନ୍ତି। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ଚାପ, ସମ୍ପୂର୍ଣ୍ଣ ଘଟଣା ଜାଣି ସୁଦ୍ଧା ସେମାନଙ୍କୁ ନଜଣାଇବା ଏବଂ ଘଟଣା ପରେ ଏବେ ପ୍ରଶାସନ ନିରବ ରହୁଥିବାରୁ ସେମାନଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ସୁସ୍ମିତାଙ୍କ ପରିବାର ଲୋକେ।
ଏଣେ ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଦିଗ ସାମ୍ନାକୁ ଆସିବା ପରେ ସେ ଦିଗରେ ବି ତଦନ୍ତ କରୁଛି ପୋଲିସ। ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ଏପଟେ ସେହିଦିନ ହିଁ ଏଡିଏମ ଅଫିସରେ ଏକ ବୈଠକ ଥିଲା। ତେବେ ସକାଳୁ ଘରୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ ସୁସ୍ମିତା।
ତେଣୁ ଝିଅର ନିଖୋଜ ନେଇ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ ଖୋଜାଖୋଜି ପରେ ସେ ରେଲୱେ ଷ୍ଟେସନ ପାଖ ଏକ ହୋଟେଲରେ ରହୁଥିବା ଜାଣିବାକୁ ମିଳିଥିଲା। ଉଭୟ ପୋଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ ବି ସେ ରାଜି ହୋଇନଥିଲେ। ଆଉ ଏହାର ଦୁଇ ଦିନ ପରେ ଅର୍ଥାତ, ୧୯ ତାରିଖରେ ରାଉରକେଲା ସେଞ୍ଚୁରି ପାର୍କର ଏକ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।
ପ୍ରଶ୍ନ ଉଠୁଛି ୧୬ ତାରିଖରେ ସୁସ୍ମିତା ଭଲରେ ଅଫିସ ଆସି ସଂଧ୍ୟାରେ ଘରକୁ ନଯାଇ ହୋଟେଲରେ ରହିବା ପଛର କାରଣ କଣ ? ଘର ଲୋକେ ତାଙ୍କୁ ହୋଟେଲରେ ଭେଟିବା ପରେ ସେ ଘରକୁ ଯିବାକୁ କାହିଁକି ରାଜି ହୋଇନଥିଲେ ? ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଏଡିଏମଙ୍କ ପକ୍ଷରୁ କଣ ତାଙ୍କ ଉପରେ ପ୍ରବଳ ଚାପ ଥିଲା କି? ଯଦି ହଁ, ଜିଲ୍ଲାପାଳ ଓ ଏଡିଏମଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୋଲିସ? ଏପଟେ ସୁସ୍ମିତାଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଥିଲେ ବି ତାଙ୍କ ବେକର ଦାଗ କେଉଁଠୁ ଆସିଲା ତାକୁ ବି ନେଇ ଉଠିଛି ପ୍ରଶ୍ନ। ସେପଟେ ଏ ମାମାଲାରେ ଜିଲ୍ଲାପାଳ ଓ ଏଡିଏମଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସେମାନଙ୍କ ପତିକ୍ରିୟା ମିଳିପାରିନି।
#ସୁସ୍ମିତା_ମୃତ୍ୟୁ_ସସ୍ପେନ୍ସ
କେମିତି ହେଲା ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଂଜଙ୍କ ମୃତ୍ୟୁ । ସପ୍ତାହେ ପରେ ବି ଥମୁନି ସସପେନସ୍ । ସିବିଆଇ ତଦନ୍ତ ଦାବିରେ ଶହ ଶହ ଆଦିବାସୀ ମହିଳାଙ୍କ ଏଡିଏମ୍ ଅଫିସ୍ ଘେରାଉ । ଡିଏସପିଙ୍କ ସୂଚନା, ସବୁ ଆଙ୍ଗେଲରୁ ଚାଲିଛି ଇନକ୍ୱାରି#Odisha#Rourkela#OTVpic.twitter.com/b05gOXpixD— ଓଟିଭି (@otvkhabar) September 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)