Advertisment

ସେଇଟା ଜେଲ ନାଁ ହୋଟେଲ ? ଟଙ୍କା ଦେଲେ କଏଦୀଙ୍କୁ ମିଳୁଛି VIP ଟ୍ରିଟମେଣ୍ଟ..!

ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।

author-image
Satyendu Shekher Mishra
undefined

Jharpada Jail

ଝାରପଡ଼ା ଜେଲରେ ଚାଲିଛି କି ଗୁଣ୍ଡାରାଜ ? ବେଆଇନ ନିଶା କାରବାର ସହ କଏଦୀଙ୍କୁ ତଥାକଥିତ ଭିଆଇପି ଟ୍ରିଟମେଣ୍ଟ ପଛର ସିଣ୍ଡିକେଟ୍‌ରେ କିଏ ? ଗତକାଲି ଜଣେ ବିଚାରାଧିନ ବନ୍ଦୀଙ୍କୁ ହାଇଦର ପୁଅ ଓ ତା’ଗ୍ୟାଙ୍ଗର ଆକ୍ରମଣ ପରେ ଜେଲ୍ ବିଭାଗରେ ଏବେ ବଡ଼ ହଲଚଲ । ଖୋଦ୍ ଜେଲ୍ ଏଡିଜି ଓ ଡିଆଇଜି ଆଜି ଜେଲକୁ ଯାଇ ତନାଘନା କରିଛନ୍ତି। ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ସୁପରିଟେଣ୍ଡେଣ୍ଟଙ୍କ ଯାଏଁ ପଚରାଉଚରା କରିଥିବାବେଳେ କାଲି ଆକ୍ରମଣର ଶିକାର ସୌମ୍ୟକାନ୍ତ ମହାନ୍ତିଙ୍କ ହାତଲେଖା ଚିଠିକୁ ନେଇ ବଢ଼ିଛି ଚିନ୍ତା।

Advertisment

ଝାରପଡ଼ା ଜେଲରେ ଚାଲିଛି କ’ଣ ? ଜେଲ୍ କର୍ତ୍ତୃପକ୍ଷ ଓ କଏଦୀଙ୍କ ମଧ୍ୟରେ ଚାଲିଛି କି ମଧୁଚନ୍ଦ୍ରିକା? ଜେଲ୍ ଭିତରେ ବି ଗ୍ୟାଙ୍ଗଷ୍ଟରର ପୁଅର ଗ୍ୟାଙ୍ଗୱାର୍ । ସତ କହିବାରୁ ନିର୍ଦ୍ଧୁମ ମାଡ଼ ଖାଇଲେ ବିଚାରାଧୀନ ବନ୍ଦୀ । 

ଘଟଣାକୁ ନେଇ ହଲଚଲ୍ ପରେ ଜେଲ ବିଭାଗରେ ଏବେ ଚାଲିଛି ଧାଁ-ଧପଡ଼। ଝାରପଡ଼ା ଜେଲ୍‌ର ନିର୍ଦ୍ଦିଷ୍ଟ ସେଲରେ ବିଚାରାଧିନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତିଙ୍କୁ କାହିଁକି ହେଲା ଆକ୍ରମଣ ? ଚାଲିଛି ଖୋଳତାଡ଼। କାରାଗାରରେ ପହଞ୍ଚି ତଦନ୍ତ କରିଛନ୍ତି ଜେଲ୍ ଏଡିଜି ଅମିତାଭ ଠାକୁର ଓ କଟକ ଡିଭିଜନ ଡିଆଇଜି ଅନସୂୟା ଜେନା। କେମିତି ସେଲ୍ ଭିତରେ ପଶି ସୌମ୍ୟକାନ୍ତଙ୍କୁ ଆକ୍ରମଣ କଲେ ଗ୍ୟାଙ୍ଗଷ୍ଟାର ହାଇଦର ପୁଅ ମୁନା ଓ ତା’ର ସହଯୋଗୀ ? ସେହି ସମୟରେ କିଏ ଥିଲେ ଡ୍ୟୁଟିରେ? ଆକ୍ରମଣ ପଛର ଅସଲ କାରଣ କ’ଣ? ତାକୁ ନେଇ ଘଣ୍ଟାଚକଟା କରିବା ସହ ସିସିଟିଭି ଯାଞ୍ଚ କରିଛନ୍ତି ଜେଲ୍ ADG। 

Advertisment

ଏକ ଠକେଇ କେଶରେ ବିଚାରାଧୀନ ବନ୍ଦୀ ଥିବା ସୌମ୍ୟକାନ୍ତ କିଛିଦିନ ତଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ବା DLSAଙ୍କୁ ଚିଠି ଲେଖି ଜେଲ୍ ଭିତରର ଗୁମର ଜଣାଇଥିଲେ। ଯେଉଁଥିରେ ରହିଛି, ନିଶା ବେପାର ସହ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟର ରେଟ୍ ଚାର୍ଟ। ଜେଲ୍ ଭିତରେ ଗଞ୍ଜେଇ, ବିଡି ଗୋଟା ୨୦୦ ଟଙ୍କା, ଭିଆଇପି ଟ୍ରିଟମେଣ୍ଟ ପାଇଁ ୫୦ ହଜାର, ଟେଲିଫୋନ୍ ପାଇଁ ୫ ହଜାର ସହ ମାସିକ ବିଲ୍, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମରେ କୁଲର ଓ ଭଲ ଖାଦ୍ୟ ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଛି।

ଏଭଳି ଚିଠି ପରେ ଗତ ଶନିବାର DLSA ଅଧିକାରୀ ଅଚାନକ ଜେଲରେ ଚଢ଼ଉ କରି ମୋବାଇଲ ସହ ନିଶା ଦ୍ରବ୍ୟ ଜବତ କରିଥିଲେ। ଆଉ ଏହାର ଠିକ୍ ଦିନକ ପରେ ଅର୍ଥାତ ଗତକାଲି ସୌମ୍ୟକାନ୍ତଙ୍କ ଉପରେ ହୋଇଛି ଆକ୍ରମଣ। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାର ସହଯୋଗୀ ସୌମ୍ୟକାନ୍ତଙ୍କୁ ଆକ୍ରମଣ ସହ ଲହୁଲୁହାଣ କରିଥିବା ଅଭିଯାଗ ହୋଇଛି।

ଏସବୁ ଭିତରେ ଆହତ ସୌମ୍ୟଙ୍କ ପତ୍ନୀ କ୍ୟାମେରା ସାମ୍ନାକୁ ଆସି ଘଟଣା ଘଟିବାର ୫ ଘଣ୍ଟା ପରେ ବି କାହିଁକି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। 

ଝାରପଡ଼ା ଜେଲରେ ୯୯୧ ଜଣ ବନ୍ଦୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ଏଠାରେ ରହୁଛନ୍ତି ୧୨ଶହ ୩୨ ଜଣ। ଅର୍ଥାତ କ୍ଷମତାଠାରୁ ୨୪୮ ଜଣ ଅଧିକ। ତାଭିତରେ ଅଛନ୍ତି ହାର୍ଡକୋର୍ ଅପରାଧୀ ବିକ୍ରମ ମଲ୍ଲିକ, ରବି ରାଓ ଓ କାଦିର ଖାନ୍ ଓରଫ୍ ମୁନ୍ନା। ତେବେ ଜେଲଗୁଡ଼ିକରେ ଏଭଳି ବେଆଇନ କାର୍ଯ୍ୟକଳାପ ନୂଆ ନୁହେଁ। କିଛିଦିନ ତଳେ ବଲାଙ୍ଗୀର ଜେଲରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲରୁ ମିଳିଥିଲା ମୋବାଇଲ୍। ବାରମ୍ବାର ଜେଲ୍ ଭିତରେ ଏଭଳି ଘଟଣା ପରେ ପ୍ରଶ୍ନ ଉଠୁଛି, ଜେଲଗୁଡ଼ିକ ଏବେ ଅପରାଧୀଙ୍କ ପାଇଁ ପାଲଟିଯାଇଛି କି ଭୂସ୍ବର୍ଗ ? ତେବେ ଜେଲ୍ ଏଡିଜି କହିଛନ୍ତି, ସମସ୍ତ ଘଟଣାର ତଦନ୍ତ କରାଯିବ।

ଜେଲ୍ ଡିଜି ଏ.ଏମ୍.ପ୍ରସାଦ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ମୂରବୀ ଶୁନ୍ୟ ହୋଇପଡିଛି ଜେଲ୍ ବିଭାଗ। ଜେଲ ଦାୟିତ୍ୱରେ ଅଛନ୍ତି ଏକାଧିକ ପଦବିରେ ଥିବା ଅତିରିକ୍ତ ଡିଜି ଅମିତାଭ ଠାକୁର୍।

Ganja Seized Drug Peddlers Jharpada Jail Tobacco Products
Advertisment
Advertisment