• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜରାସ୍ତାରେ ମାତିଛନ୍ତି ଲୁଟେରା । କୌଣସି ମୁହୁର୍ତ୍ତରେ, ଯେ କେହି ବି ପଡ଼ିଯିବେ ଲୁଟେରାଙ୍କ ହାବୁଡ଼ରେ । କେନ୍ଦୁଝର ଜିଲ୍ଲାରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଟଙ୍କା ପାଇଁ ଯେଭଳି ଢଙ୍ଗରେ ଅପହରଣ କରାଗଲା, ତାକୁ ନେଇ ସମସ୍ତେ ଏବେ ଆତଙ୍କିତ ।

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ । ପାଖରେ ଟଙ୍କା ନଥିବା କହିବାରୁ ଯାଚ୍ଛାତା ଗାଳି କଲେ ଦୁର୍ବୃତ୍ତ । ଭୟଙ୍କର ବିପଦରୁ ଅଳ୍ପକେ ବର୍ତ୍ତି ଭୟ ଆଉ ଆତଙ୍କରେ ରହିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ । ତାଙ୍କ ଘର କେନ୍ଦୁଝର ତେଲକୋଇ କମଳାଙ୍ଗ ଗାଁରେ ।

ଝାରସୁଗୁଡ଼ାରେ ପୁଅ ନିକଟରେ ରହୁଥିବା ଅସୁସ୍ଥ ପତ୍ନୀଙ୍କୁ ଭେଟି ଘରକୁ ଫେରୁଥିବାବେଳେ ଲୁଟେରାଙ୍କ ଶିକାର ହୋଇଥିଲେ ରବୀନ୍ଦ୍ର । ସୌଭାଗ୍ୟକୁ ଜୀବନ ବଞ୍ଚିଗଲା, ଅର୍ଥ ବି ବଞ୍ଚିଗଲା । କିନ୍ତୁ ଘଣ୍ଟାଏ-ଦେଢ଼ଘଣ୍ଟା ଧରି ଲୁଟେରା ଯେଭଳି ଆତଙ୍କରାଜ୍ ଭିଆଇଲେ, ତାକୁ ବଖାଣିବା ବେଳକୁ ଥରିଯାଉଛି ରବୀନ୍ଦ୍ରଙ୍କ ସର୍ବାଙ୍ଗ । 

ସମୟ ଦିନ ପ୍ରାୟ ୧୨ଟା । ଏକ କାରରେ ଝାରସୁଗୁଡ଼ାରୁ କମଳାଙ୍ଗ ଗାଁକୁ ୪୯ ନମ୍ବର ଜାତୀୟ ରାଜପଥରେ ଏକୁଟିଆ ଫେରୁଥିଲେ ରବୀନ୍ଦ୍ର । କଲା ଟୋଲ୍‌ ଗେଟ୍ ନିକଟରେ କାର୍ ରଖି ପରିଶ୍ରା ଯାଇଥିଲେ । ଠିକ୍ ଏହି ସମୟରେ ବାଇକ୍‌ରେ ଆସିଲେ ୩ ଦୁର୍ବୃତ୍ତ । କିଛି ବୁଝିବା ଆଗରୁ କାର ପଛପଟେ ବସାଇ ରବୀନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ଲୁଟେରା ମାଗିଥିଲା ଟଙ୍କା । ଆଉ ଜଣେ ଦ୍ରୁତଗତିରେ ଚଲାଇଥିଲା କାର୍ ।

ପାଖରେ ଯାହା ପଇସାପତ୍ର ଅଛି, ତୁରନ୍ତ ଦେବାକୁ କହିଥିଲେ ୨ ଲୁଟେରା । କିନ୍ତୁ ରବୀନ୍ଦ୍ର ମନା କରିଦେବା ପରେ ଭୁଜାଲି ଓ ପିସ୍ତଲରେ ମାଡ଼ ମାରିଥିଲେ । ଏହାପରେ ଏଟିଏମ୍ କାର୍ଡ ନେଇ ମାଗିଥିଲେ ପାସ୍ଓ୍ୱାର୍ଡ । ସେଥିରେ ବି ଟଙ୍କା ନଥିବା କହିଥିଲେ ରବୀନ୍ଦ୍ର । ଏପରିକି ଝାରସୁଗୁଡ଼ାରୁ ପୁଅଠାରୁ ମୋବାଇଲ୍‌ରେ ଟଙ୍କା ମଗାଇବାକୁ ଲୁଟେରା ଧମକ ଦେଇଥିଲେ । ପ୍ରାୟ ୨୦ କିଲୋମିଟର ଯାଏଁ ଜାରି ରହିଥିବା ଏଭଳି ଆତଙ୍କରାଜ ଭିତରେ ପାଲଲହଡ଼ା ପରେ ପରେ କାର୍‌ଟି ପଙ୍କଚର୍ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ଆଉ ତେଲକୋଇ ନୂଆଡିହ ପାଖରେ ଷ୍ଟେପ୍‌ନୀ ବଦଳ ବେଳେ ମାଡ଼ିବସିଲେ ସ୍ଥାନୀୟ ଲୋକ । ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଲେ ।