/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702126688.jpg)
Rats nibble eyes
ଝାନସୀ ମେଡିକାଲ କଲେଜର ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ଏକ ଶବର ଆଖିକୁ ମୂଷା ଖାଇ ଦେଇଥିବାର ଖବର ଏବେ ସାମ୍ନାକୁ ଆସିଛି । ତେବେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ମୃତ ଦେହର ଅସମ୍ମାନ ଦେଖି ମୃତକଙ୍କ ପରିବାର ସେଠାରେ ଅସନ୍ତୋଷ ଜାହିର କରିବା ସହ ପାଟିତୁଣ୍ଡ କରିଥିଲେ। ପରେ ସେମାନଙ୍କୁ ହସ୍ପିଟାଲ କର୍ତ୍ତୁପକ୍ଷ ବହୁ ବୁଝାସୁଝା କରିବା ପରେ ମୃତକଙ୍କ ପରିବାର ଲୋକ ଶାନ୍ତ ପଡ଼ିଥିଲେ। । ଏହା ସହ ଘଟଣାର ଯାଞ୍ଚ ପାଇଁ ମେଡିକାଲ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ସଞ୍ଜୟ ଜୈନ ବୁଧବାର ସନ୍ଧ୍ୟାରେ ବିଷ ପିଇଦେଇଥିଲେ । ଏହା ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଝାନସୀ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଶବ ଗୃହରେ ରଖଯାଇଥିଲା। ଶବ ଗୃହରେ ରଖିବାର କିଛି ସମୟ ପରେ ଯେତେବେଳେ ପରିବାର ଲୋକ ସଞ୍ଜୟଙ୍କୁ ଦେଖିଥିଲେ ସେତେବେଳେ ତାଙ୍କ ଦୁଇ ଆଖି ନ ଥିବା ଦେଖିବାକୁ ପାଇଥିଲେ। ଯାହାପରେ ପରିବାର ଲୋକ ସେଠାରେ ପାଟିତୁଣ୍ଡ କରିଥିଲେ।
ତେବେ ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଜୈନ ପହଞ୍ଚିଥିଲେ। ବିବାଦ ବଢ଼ିବା ପରେ ମେଡିକାଲ କଲେଜର ସିଏମ୍ଏସ୍ ଡକ୍ଟର ସଚିନ୍ ମହୋର ଶବ ଗୃହ ନିକଟରେ ପହଞ୍ଚିଥିଲେ। ଏମିତି ଘଟଣାର ଆଉ ଯେପରି ପୁନରାବୃତ୍ତି ନ ହେବ ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସେ ଆଶ୍ୱସନା ଦେଇଥିଲେ। ଯାହାଫଳରେ ପରିବାର ଲୋକ ଶାନ୍ତ ପଡ଼ିଥିଲେ।
ସୂଚନା ଅନୁସାରେ ମୃତ ଦେହର ଆଖିକୁ ମୂଷାମାନେ ଖାଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ଗୃହର ଝରକାରେ କୌଣସି ଜାଲି ନଥିଲା। ଯେଉଁଥିପାଇଁ ମୂଷାମାନେ ଭିତରକୁ ସହଜରେ ପ୍ରବେଶ କରିଥିଲେ। ସେହିପରି ମୃତଦେହ ରଖାଯାଇଥିବା ବାକ୍ସ ମଧ୍ୟ ଭାଙ୍ଗି ଯାଇଥିଲା। ଯାହାଫଳରେ ମୂଷାମାନେ ସହଜରେ ମୃତ ଦେହ ପାଖରେ ପହଞ୍ଚିଥିଲେ ଏବଂ ଆଖି ବାହାର କରି ନେଇଯାଇଥିଲେ। ତେବେ ଝାନସୀ ମେଡିକାଲ କଲେଜରେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)