Advertisment

ବିଭିନ୍ନ ଜେଲରେ ରେଡ୍, ବିପୁଳ ମାଦକ ଦ୍ରବ୍ୟ ଜବତ: ହୁଗୁଳି ଯାଇଛି କି ସୁରକ୍ଷା ବ୍ୟବସ୍ଥା ?

ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ?

author-image
Sujit kumar Swain
undefined

Mobile Inside Jail

ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍ ? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍‌ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।

Advertisment

ହୁଗୁଳି ଯାଇଛି କି ଜେଲ୍ ସୁରକ୍ଷା ବ୍ୟବସ୍ଥା ? ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ? ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ବଲାଙ୍ଗିର୍ ଜେଲ୍। ଯେଉଁଠି ବନ୍ଦୀ ଅଛନ୍ତି ବହୁ ଦୁର୍ଦ୍ଦାନ୍ତ ଅପରାଧୀ। କିନ୍ତୁ ଚର୍ଚ୍ଚାରେ ଏବେ ଡି’ବ୍ରଦର୍ସ ଗ୍ୟାଙ୍ଗର ମୁଖିଆ ସୁଶାନ୍ତ ଧଳସାମନ୍ତ। କାରଣ ସେ ଯେଉଁ ସେଲରେ ରହୁଛି, ସେହି ସେଲରୁ ମିଳିଛି ସ୍ମାର୍ଟଫୋନ ସହ ତିନି ତିନିଟି ଚାର୍ଜର। ଅର୍ଥାତ ଜେଲ ଭିତରେ ଆଉ ୨ଟି ମୋବାଇଲ୍ ବି ଥାଇପାରେ। କେବଳ ମୋବାଇଲ୍ କି ଚାର୍ଜର ନୁହଁ । ବିଡ଼ି, ସିଗାରେଟଠୁ ଆରମ୍ଭ କରି ବିପୁଳ ମାଦକ ଦ୍ରବ୍ୟ ମିଳିଛି ବଲାଙ୍ଗିର ଜେଲ୍ ଭିତରୁ। ତେବେ ମୋବାଇଲ୍ ବ୍ୟବହାର କରି ଜେଲର ଚାରିକାନ୍ଥ ଭିତରୁ ଧଳସାମନ୍ତ ଚଳାଉଥିଲା କି ବଟି ଆଦାୟର ଗୋଟି ଚାଳନା ? ନା ଅପରେଟ କରୁଥିଲା ନିଜର କ୍ରାଇମ୍ ନେଟୱାର୍କ ? ଏ ସଂପର୍କରେ ମୁହଁ ଖୋଲୁନଥିବା ଜେଲ ଅଧିକାରୀ କହିଛନ୍ତି, ମୋବାଇଲ୍ ମିଳିଛି। ପୋଲିସ ପାଖରେ ଅଭିଯୋଗ ହୋଇଛି। 

ସପ୍ତାହେ ତଳେ ଚକ୍ଷୁ ଚିକିତ୍ସା ପାଇଁ କଟକ ଯାଇଛି ସୁଶାନ୍ତ ଧଳସାମନ୍ତ। ତା’ଅନୁପସ୍ଥିତିରେ ବି ସେଲ୍ ଭିତରେ ସୁରକ୍ଷିତ ରହିଥିଲା ସେ ବ୍ୟବହାର କରୁଥିବା ମୋବାଇଲ। ଯାହାକୁ ଗତ ୨୩ ତାରିଖରେ ବଲାଙ୍ଗିର ଏସ୍.ପିଙ୍କ ଚଢ଼ାଉବେଳେ ଜବତ ହୋଇଥିଲା। କେବଳ ମୋବାଇଲ୍ ନୁହେଁ, ପୂର୍ବରୁ ଫଳମୂଳଠୁ ଆରମ୍ଭ କରି ନାନା ଖାଦ୍ୟ ଦ୍ରବ୍ୟ ଯୋଗାଇ ଦିଆଯାଉଥିଲା ସୁଶାନ୍ତ ଧଳସାମନ୍ତର ସେଲ୍ ଭିତରକୁ। ଆଉ ଏବେ ସାମ୍ନାକୁ ଆସିଛି ଅବାଧରେ ମୋବାଇଲ ବ୍ୟବହାରର ପ୍ରମାଣ। କେଉଁ ଆଧାରରେ ଏହି ଦୁର୍ଦ୍ଦାନ୍ତ ଧଳସାମନ୍ତକୁ ଯୋଗାଇଥିଲେ ମୋବାଇଲ ? କାହା ମାଧ୍ୟମରେ ଜେଲ୍ ଭିତରେ ଦିଆଯାଉଥିଲା ମୋବାଇଲ ସେବା ? ପୋଲିସର କହିବା କଥା, ଏହି ମୋବାଇଲ ଫୋନ ଏବେ ଲକ୍ ଅଛି। ଚିକିତ୍ସା ପାଇଁ କଟକ ଯାଇଥିବା ଧଳସାମନ୍ତ ବଲାଙ୍ଗିର ଫେରିଲା ପରେ ଲକ୍ ଖୋଲି ତଦନ୍ତ କରାଯିବ। 

Advertisment

କେବଳ ବଲାଙ୍ଗିର ନୁହଁ, ରାଜ୍ୟବ୍ୟାପି ଜେଲ୍ ଗୁଡ଼ିକରୁ ସାମ୍ନାକୁ ଆସୁଛି ହୁଗୁଳା ସୁରକ୍ଷାର ଚିତ୍ର। ଯେଉଁଠୁ ନନଷ୍ଟପ୍ ରେଡ୍ କରି ପୋଲିସ ଜବତ କରିଛି ମାଳ ମାଳ ମାଦକ ଦ୍ରବ୍ୟ। 

ଦଣ୍ଡ ବିଧାନ ସହ ଭୁଲ୍ ସୁଧାରିବାକୁ ଅପରାଧୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଜେଲରେ ରଖାଯାଏ। ସେଇଠି ଯଦି ବନ୍ଦୀ ଅୟସ ଜୀବନ ଜୀଇଁବ ଏବଂ ଅପରାଧର ନେଟୱାର୍କ ଭିଆଇବ, ତେବେ ଏମାନେ ସୁଧୁରିବେ କେମିତି ? ବନ୍ଦୀଙ୍କୁ ନିଶା ଓ ଅବକାରୀ ଦ୍ରବ୍ୟ ଯୋଗାଇବା କ’ଣ ଜେଲ୍ ସଂସ୍କାର ? ଏଭଳି ପ୍ରଶ୍ନ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ମାନବାଧିକାର କର୍ମୀ। 

Odisha Jails
Advertisment
Advertisment