Advertisment

ପ୍ରଶ୍ନପତ୍ର ଲିକ୍‌ କରି ଶିକ୍ଷକ ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ

ବେଶ୍ ସୌଖୀନ ଜୀବନ ବିତାଉଥିବା ଗୋବିନ୍ଦଙ୍କୁ ଗତ ୧୯ ତାରିଖରେ ଗିରଫ କରିଛି ବାଲେଶ୍ବର ପୋଲିସ। କୋଟିପତି ଶିକ୍ଷକଙ୍କ ଗାଡି ଜବତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Question paper leak case

Question paper leak case

ଚାକିରୀ ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇବାକୁ ଲିକ୍ କରୁଥିଲେ ପ୍ରଶ୍ନପତ୍ର, ବଦଳରେ ଆଦାୟ କରୁଥିଲେ ଲକ୍ଷାଧିକ ଟଙ୍କା। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ। ଆଉ, ସେହି ଟଙ୍କାରେ ମଉଜ ମସ୍ତି କରିବା ସହ ସୌଖୀନ ଜୀବନ ବିତାଉଥିଲେ। OSSC ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଅଭିଯୋଗରେ ପୋଲିସ କିଛି ଶିକ୍ଷକଙ୍କୁ ବାନ୍ଧିବା ପରେ ତାଙ୍କ ଠାରୁ ପାଇଛି ଅମାପ ସମ୍ପତ୍ତିର ଖିଅ। ସେପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି, କାହିଁକି ସେମାନଙ୍କୁ ଆଜୀବନ OSSC ପରୀକ୍ଷାରୁ ବାସନ୍ଦ କରାନଯିବ, ତାର ଉତ୍ତର ଦେବାକୁ କୁହାଯାଇଛି।

Advertisment

ଫ୍ଲାଇଟରେ ଦେଶ ବିଦେଶ ବୁଲୁଥିଲେ। ଫାଇଭ୍ ଷ୍ଟାର ହୋଟେଲରେ ରହୁଥିଲେ, ଦାମୀ ଗାଡି ଚଢୁଥିଲେ। OSSC ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଅଭିଯୋଗରେ ଗିରଫ ଶିକ୍ଷକ ଗୋବିନ୍ଦ ତ୍ରିପାଠୀଙ୍କ ଖୋଲୁଛି ଗୁମର। କନ୍ଧମାଳ ବାଲିଗୁଡ଼ା ଶିର୍ଶିପାଙ୍ଗା ପ୍ରାଥମିକ ସ୍କୁଲର କନିଷ୍ଠ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ, ଶିକ୍ଷକ ଚାକିରିରେ କୋଟିପତି ବନିସାରିଛନ୍ତି। ଗଂଜାମ ବେଲଗୁଣ୍ଠାରେ ଗୋଟିଏ ଲୁଗା ଦୋକାନ ସହ ଅନେକ ସ୍ଥାନରେ ପ୍ଲଟ୍ ରହିଛି। ସାର୍, ଥର୍ ଓ ଇନୋଭା ଭଳି ଦାମୀ 
ଗାଡି ଚଢୁଛନ୍ତି।

ବେଶ୍ ସୌଖୀନ ଜୀବନ ବିତାଉଥିବା ଗୋବିନ୍ଦଙ୍କୁ ଗତ ୧୯ ତାରିଖରେ ଗିରଫ କରିଛି ବାଲେଶ୍ବର ପୋଲିସ। କୋଟିପତି ଶିକ୍ଷକଙ୍କ ଗାଡି ଜବତ କରିଛି। ଗତ ୪-୫ ବର୍ଷ ହେଲା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅନେକ ପରିକ୍ଷାର୍ଥୀଙ୍କଠାରୁ ଗୋବିନ୍ଦ, ପ୍ରଶ୍ନପତ୍ର ବାବଦକୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ପୋଲିସ ସୂଚନା ପାଇଛି। ଏବେ ଜବତ ସମ୍ପତ୍ତିକୁ ତଦନ୍ତ ପରିସରକୁ ଆଣି ଖୋଳତାଡ଼ କରୁଛି ବାଲେଶ୍ବର ପୋଲିସ୍। 

Advertisment

ଟଙ୍କା ପାଇଁ ପ୍ରଶ୍ନପତ୍ର ଲିକ୍ କରି ବନ୍ଧା ହୋଇଥିବା ଆଉ ଜଣେ ଶିକ୍ଷକ ହେଲେ ଯାଜପୁର କୋଲଣଗିରି ପଂଚାୟତ ପର୍ବତ ପଣଶୁଆ ଗାଁର ସୁଶାନ୍ତ ସାହୁ। ୫ ବର୍ଷ ହେଲା ଧର୍ମଶାଳା ରଥିଆ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି। ତେବେ ଏହି ୫ ବର୍ଷର ଚାକିରି ମଧ୍ୟରେ ସାର୍, ଜାରକାର ଦୁବଗାଡିଆରେ ମୂଲ୍ୟବାନ ଜମି କିଣି ତିନି ମହଲା ଘର କରିସାରିଛନ୍ତି।

ସେହିପରି ବାଲେଶ୍ବର ସୋର ଅଂଚଳର ଦୁଇ ଜଣ ବ୍ୟକ୍ତି ବି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହୋଇଛନ୍ତି। ଜଣେ ଶିରାପୁର ଗାଁର ପ୍ରସନ୍ନଜିତ୍ ସାହୁ ଏବଂ ଅନ୍ୟ ଜଣେ ଗୁଡ ଅଂଚଳର ବଟକୃଷ୍ଣ ବେହେରା। ଏପଟେ ଜେଇ ସିଭିଲ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC। କାହିଁକି ସେମାନଙ୍କୁ ଆଜୀବନ OSSC ପରୀକ୍ଷାରୁ ବାସନ୍ଦ କରାନଯିବ, ତାର ଉତ୍ତର ଦେବାକୁ କୁହାଯାଇଛି। 

OSSC ଅଧ୍ୟକ୍ଷ ଅଭୟ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଆଉ ୩୭ ପରୀକ୍ଷାର୍ଥୀଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି। ଯିଏ ବି OSSCର କୌଣସି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଭୟ। ପ୍ରଶ୍ନପତ୍ର ଲିକକୁ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଆସନ୍ତା ସେପଟେମ୍ବର ୩ ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ OSSC ଜେଇ ସିଭିଲ ମେନ୍ ପରୀକ୍ଷା। 

ତେବେ ଏଥର ପରୀକ୍ଷାରେ ସଂପୂର୍ଣ୍ଣ ସ୍ବଚ୍ଛତା ରଖିବା ଉପରେ OSSC ଧ୍ୟାନ ଦେବା ସହ ପରୀକ୍ଷାରେ ପୋଲିସ ମୁତୟନ କରିବାକୁ ଆଶାୟୀ ଦାବି କରିଛନ୍ତି। ତେବେ OSSCର ବିନା ସଂପୃକ୍ତିରେ ଏତେ ବଡ ଦୁର୍ନୀତି ହୋଇପାରିବନି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଏସବୁ ଭିତରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏଯାଏଁ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି।

OSSC
Advertisment
Advertisment