Advertisment

ବଢିଲା ବିରଞ୍ଚିଙ୍କ ଅଡ଼ୁଆ: ଅର୍ଥ କାରବାରର ତଦନ୍ତ କରିବ ED

ଇଡି ସ୍କାନରରେ କୋଟିପତି ପିଏସ ବିରଞ୍ଚି ସାହୁ। କେଉଁଠୁ ଆଣିଲେ ଏତେ ଟଙ୍କା ? ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ କି ? ଏମିତି ଅନେକ ରହସ୍ୟର ତଦନ୍ତ କରିବ ଇଡି।

author-image
Minati Mishra
ବଢିଲା ବିରଞ୍ଚିଙ୍କ ଅଡ଼ୁଆ: ଅର୍ଥ କାରବାରର ତଦନ୍ତ କରିବ ED

PS Biranchi Narayan Sahoo

ଭୁବନେଶ୍ୱର: ପୁଣି ହରଡ ଘଣାରେ ପଡିଲେ କୋଟିପତି ପିଏସ୍। ଇଡି ସ୍କାନରରେ ପଡ଼ିଛନ୍ତି କୋଟିପତି ପିଏସ୍ ବିରଞ୍ଚି ସାହୁ। ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)।  ମନି ଲଣ୍ଡରିଂ ଓ ଚାକିରି ଆଶାୟୀଙ୍କଠାରୁ ଅର୍ଥ ସଂଗ୍ରହ ନେଇ ତଥ୍ୟ ଉଗାଳିବ ଇଡି। କେଉଁ ଉତ୍ସରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । ଭିଜିଲାନ୍ସ ତଦନ୍ତ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ତଦନ୍ତ କରିବ।

Advertisment

 କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ ଗିରଫ କରିଥିଲା।  ଏହାପରେ ଗତକାଲି ଭିଜିଲାନ୍ସ ଟିମ୍ ଓଏସ୍ଏସ୍‌ପି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା,  କିରାଣୀରୁ କୋଟିପତି ପିଏସ୍ ବନିଥିବା ବାବୁ ବିରଞ୍ଚି ଖାଲି ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ନ ଥିଲେ, ଶିକ୍ଷିତ ବେକାରୀଙ୍କ ଆଗରେ ସେ ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଇ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି।  ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି। 

Advertisment

ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ରେଡ୍‌ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା। ସେହିଭଳି ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ ଆବେଦନ ପତ୍ର ଓ ଆଡ୍‌ମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ତା’ ସହିତ ୧୪ଟି ପ୍ଲଟ୍ ଓ ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘର ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଭିଜିଲାନ୍ସ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍‌ମିଟ୍ କାର୍ଡ ଜବତ କରାଯାଇଥିଲା। ତେବେ OSSC ଅଧ୍ୟକ୍ଷ କିନ୍ତୁ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ବିରଞ୍ଚିଙ୍କ ପତ୍ନୀ ଓ ଶଢ଼ୁଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ।  ପତ୍ନୀ ଏକ ବ୍ୟାଙ୍କର ବୀମା ଏଜେଣ୍ଟ ଭାବେ କାମ କରୁଥିଲେ ଏବଂ କମିଶନ ବାବଦକୁ ବର୍ଷକୁ ପାଉଥିଲେ ମୋଟା ଅଙ୍କର ଟଙ୍କା। ତେବେ ପତି-ପତ୍ନୀ ମିଶି କେମିତି ସାଢ଼େ ୩ କୋଟିରୁ ଅଧିକ ସଂପତ୍ତି ଅର୍ଜନ କଲେ ? OSSC ଜରିଆରେ ଚାକିରି ପାଇଥିବା କୌଣସି କର୍ମଚାରୀଙ୍କୁ ପଲିସି କରାଇଛନ୍ତି ପତ୍ନୀ?

ଏସବୁର ଉତ୍ତର ଖୋଜିବା ପାଇଁ ଭିଜିଲାନ୍ସ OSSCରୁ ଗତ ୧୦ ବର୍ଷର ତଥ୍ୟ କାଢ଼ିବ ବୋଲି ସୂଚନା ମିଳିଛି। ତାସହ ଶଢୁଙ୍କ ଘରୁ ମିଳିଥିବା ୧୩ ଲକ୍ଷ ଟଙ୍କାର ବି ଖୋଳତାଡ଼ କରୁଛି। ଆବଶ୍ୟକସ୍ଥଳେ ବିରଞ୍ଚିଙ୍କୁ ରିମାଣ୍ଡରେ ନେଇ କେଳେଙ୍କାରୀର କଳାଚିଠା ଖୋଲିବ ଭିଜିଲାନ୍ସ।  

Odisha News PS Biranchi Sahoo
Advertisment
Advertisment