• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ସାରା ରାଜ୍ୟରେ ମମିତା ମେହେର ହତ୍ୟା ଘଟଣା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁଠି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରି ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିରୋଧୀ ବିକ୍ଷୋଭ ପ୍ରଦଶନ କରିଛନ୍ତି । ଖାଲୁ ସେତିକି ନୁହେଁ ଏହି ଘଟଣାରେ ଜାଳତୀୟ ମହିଳା କମିଶନ ମଧ୍ୟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ସେ ମଧ୍ୟ ମନ୍ତ୍ରୀଙ୍କୁ  ବହିଷ୍କାର କରିବାକୁ କହିଛନ୍ତି ।

ତେବେ ଏହି କ୍ରମରେ ସାରା ରାଜ୍ୟରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ତେଣୁ ଦିହବ୍ୟଶଙ୍କରଙ୍କ ସରକାରୀ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘର ବାହାରେ ପୋଲିସ ଛାଉଣୀ ହୋଇ ରହିଛନ୍ତି । ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଆଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ତେବେ ପୋଲିସ ଛାଉଣି ସତ୍ତ୍ୱେ ଛାତ୍ର କଂଗ୍ରେସ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କରାଯାଇଛି । ଛାତ୍ରକଂଗ୍ରେସର କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ । ଖାଲି ସେତିକି ନୁହେଁ ତାଙ୍କ ଘରେ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀମାନେ । ଏହି ସମୟରେ ପୋଲିସ କର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ସମସ୍ତଙ୍କୁ ପୋଲିସ ସେଠାରୁ ଉଠାଇ ନେଇଥିଲା ।

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଭିଯୋଗ ଥିବା ସତ୍ତ୍ୱେ ମନ୍ତ୍ରୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଆଗରେ ବିକ୍ଷୋଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚୁଡ଼ି ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ତେବେ ନବୀନ ନିବାସ ଭିତରକୁ ପଶିବା ଲାଗି ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । 

ଖାଲି ସେତିକି ନୁହେଁ ନବୀନ ନିବାସ ଆଗରେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି । ମହାଲିଙ୍ଗ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କର୍ମୀମାନେ ବିକ୍ଷୋଭ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି । ନବୀନ ନିବାସକୁ ଧସେଇ ପଶିବା ଲାଗି ଉଦ୍ୟମ କରିବା ବେଳେ ପୋଲିସ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ସମେତ ୨୦ ଜଣ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା ।

ସେହିଭଳି ବଲାଙ୍ଗିର ଏସ୍‌ପି ଅଫିସ ସାମ୍ନାରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । ଏସ୍‌ପି ଅଫିସ୍ ଆଗରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାଂସଦ ସଙ୍ଗୀତା ସିଂଦେଓଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିକ୍ଷୋଭ କରିଛନ୍ତି । ଏସ୍‌ପି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।  ପରେ ସାଂସଦ ସଂଗୀତା ସିଂହଦେଓଙ୍କ ସହ ଏକ ଟିମ ଯାଇ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛି । 

ସେପଟେ ଏହି ଘଟଣାରେ ଆସନ୍ତାକାଲି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।