/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696521718.jpg)
Kapil Sharma, Mahadev AAP
ବଲିଉଡରେ ଇଡି ଝଡ଼। ମହାଦେବ ବେଟିଂ ଆପ୍ ମାମଲାରେ ଜଣେ ପରେ ଜଣେ ସେଲିବ୍ରିଟିଙ୍କୁ ସମନ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ପରେ କପିଲ ଶର୍ମା, ହୁମା କୁରେସୀ ଓ ହିନା ଖାନ୍ଙ୍କୁ ବି ଇଡିରେ ହାଜର ହେବାକୁ ସମନ କରାଯାଇଥିବା ସୂଚନା ମିଳିଛି ।
କଣ ଏହି ଗେମିଂ ଆପ୍ ମାମଲା ? କାହିଁକି ଏଥିରେ ସେଲିବ୍ରିଟିଙ୍କୁ ଜାଲରେ ଛନ୍ଦୁଛି ଇଡି ?
ସୂଚନା ଅନୁସାରେ, ଗତ ଫେବୃଆରୀରେ ଦୁବାଇରେ ଏକ ବିଳାସମୟ ବିବାହ ଉତ୍ସବ ହୋଇଥିଲା । ବିବାହ କରିଥିଲେ ସୌରଭ ଚନ୍ଦ୍ରକାର । ଏଥିରେ ୨ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ସମ୍ପୂର୍ଣ୍ଣ କାରବାର ନଗଦ ଟଙ୍କାରେ ହୋଇଥିଲା । ଏହା ଜଣାପଡ଼ିବା ପରେ, ସିଧାସଳଖ ଇଡି ସ୍କାନରକୁ ଆସିଥିଲେ ସୌରଭ ଏବଂ ସେ ପ୍ରମୋଟର ଥିବା ମହାଦେବ ବେଟିଂ ଆପ୍ ।
ମହାଦେବ ଅନଲାଇନ ବୁକ୍ ଆପ୍ ଅଧୀନରେ ୪-୫ଟି ବେଆଇନ ବେଟିଂ ୱେବସାଇଟ ଚାଲୁଥିଲା । ବେଆଇନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମନି ଲଣ୍ଡ୍ରିଂ ହେଉଥିଲା । ୟୁଏଇରେ ଏହାର ହେଡ୍ ଅଫିସ ଏବଂ ପ୍ରମୋଟର ମାନେ ଛତିଶଗଡ଼ ଭିଲାଇର । ସେମାନେ ଏଥିରୁ ଦିନକୁ ୨ଶହ କୋଟି ଟଙ୍କା ଲାଭ ଉପାର୍ଜନ କରୁଥିଲେ ବୋଲି ଦର୍ଶାଇଛି ଇଡି ।
ଗତମାସ ଏହି ମାମଲାରେ ୪୧୭ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା ଇଡି । ତେବେ ଏହି ଗେମିଂ ଆପ୍ରୁ ଉପାର୍ଜିତ ଅର୍ଥର ଏକ ବଡ଼ ଅଂଶ ଏହାର ବିଜ୍ଞାପନ ବାବଦରେ ଖର୍ଚ୍ଚ ହେଉଥିଲା ଏବଂ ରଣବୀର କପୁରଙ୍କ ସମେତ ବହୁ ବଲିଉଡ୍ ସେଲିବ୍ରିଟି ଏହି ବିଜ୍ଞାପନରେ ନଜର ଆସିଥିଲେ । ତେଣୁ ରଣବୀର କପୁରଙ୍କୁ ସମନ କରିଛି ଇଡି । ଏଥିସହ ଦୁବାଇର ବିବାହ ଉତ୍ସବରେ ଯୋଗ ଦେଇଥିବା କପିଲ ଶର୍ମା, ହୁମା କୁରେସୀ ଓ ହିନା ଖାନ୍ଙ୍କୁ ବି ସମନ୍ କରିଛି ଇଡି ।
ଅକ୍ଟୋବର ୬ରେ ପଚରାଉଚରା ପାଇଁ ରଣବୀରଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ଟି ସହରରେ ଏକ ଅନଲାଇନ୍ ଆପ୍ ‘ମହାଦେବ’ ସହ ଲିଙ୍କ୍ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି । ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)