• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ? ୬ ଦିନ ପରେ ଗିରଫ, ମାତ୍ର ୪ ଘଣ୍ଟାରେ ଜାମିନ୍ । ଯେଉଁ ମୂଳ ଅଭିଯୋଗ, ରାସ୍ତାରେ ରୋଡ୍ ରୋମିଓଙ୍କ ଛେଡ୍‌ଛାଡ୍ ପାଇଁ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିଲେ ମେଜର ଗୁରବଂଶ ଓ ତାଙ୍କ ବାନ୍ଧବୀ, ସେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୬ ଦିନ ଲାଗିଯିବା ଏବଂ  ଗିରଫଦାରୀର ମାତ୍ର ୪ ଘଣ୍ଟା ଭିତରେ ୭ ରୋଡ୍ ରୋମିଓ ଜାମିନ୍ ପାଇବାରେ ସକ୍ଷମ ହେଇଯିବା, ପୋଲିସର ଭୂମିକାକୁ ଆହୁରି ସନ୍ଦେହ ଘେରକୁ ଟାଣିଛି । ତେଣୁ ଖୋଦ୍ ଭରତପୁର ଥାନା ଭିତରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ବର୍ବର ଆଚରଣ ମାମଲାରେ ଏବେ ଯେମିତି କ୍ରାଇମବ୍ରାଞ୍ଚ ଉପରେ ଭରସା । ୟା ଭିତରେ ଗତକାଲି ବାନ୍ଧବୀଙ୍କ ପରେ ଆଜି ୧୨୦ ବାଟାଲିୟନ୍ ପରିସରରେ ମେଜର ଗୁରୁବଂଶ ସିଂଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

ଆଉ ଏପଟେ ପୋଲିସ ଡିଜି ୱାଇ.ବି ଖୁରାନିଆ ମଧ୍ୟ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ତଦନ୍ତ କେତେଦୂର ଗଲା, ଏହାର ଗତି କୁଆଡ଼େ ଯାଉଛି, ନିଲମ୍ବିତ ଥାନାଧିକାରୀ ଏବଂ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି ଏବେ ତା ଉପରେ ନଜର ।

ଘଟଣାକୁ ନେଇ ଆହୁରି ତେଜିଛି ରାଜନୀତି । କାଲି ବିଜୁ ମହିଳା ଜନତା ଦଳ ରାସ୍ତାକୁ ଓହ୍ଲାଇବା ପରେ ଆଜି ପ୍ରେସମିଟ୍ କରି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଜୋରଦାର ନିଶାନା କରିଛି ବିଜେଡି । ଥାନା ଭିତରର ଭିଡିଓ ବାହାରକୁ କେମିତି ଆସିଲା ? ବାର୍‌ର ସିସିଟିଭି ଫୁଟେଜ୍ ଓ ରାସ୍ତାରେ ଗଣ୍ଡଗୋଳର ଏଡିଟେଡ୍ ଭିଡିଓ କିଏ ଛାଡ଼ିଲା ? ମହିଳା ଜଣଙ୍କ ସାହସର ସହିତ ଦୁର୍ବୃତ୍ତଙ୍କୁ ସାମ୍ନା କରୁଥିବା ବେଳେ ତାଙ୍କୁ ଭିନ୍ନ ଢଙ୍ଗରେ କାହିଁକି ଚିତ୍ରଣ କରାଯାଉଛି? ଭଳି ପ୍ରଶ୍ନବାଣରେ ଛନ୍ଦିଛିବା ସହିତ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ।

ଏଥିସହିତ ଆସନ୍ତା ୨୪ତାରିଖରେ ଭୁବନେଶ୍ବରରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ହରତାଳର ଡାକରା ଦେଇଛି ଦଳ । ଯାହାର କଡ଼ା ଜବାବ ରଖି ବିଜେପି କହିଛି- ଭରତପୁର ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି । ନବୀନଙ୍କ ଭଳି ଚୁପ୍ ନ ରହି, ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରି ଏହା ଉପରେ ମୁହଁ ଖୋଲିଛନ୍ତି, ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ । ହେଲେ ବିଜେଡି ଏହାକୁ ଅଯଥା ରାଜନୀତିକରଣ କରି ନିଜ ଉପସ୍ଥିତି ଜାହିର କରିବାକୁ ଚାହୁଁଛି। ଅତୀତରେ ବିଜେଡି ରାଜଧର୍ମ ପାଳନ କରିଥିଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି କହିଛି ଶାସକ ଦଳ । ଏସବୁ ଭିତରେ କ୍ରାଇମବ୍ରାଞ୍ଚର ତଦନ୍ତରୁ କି ସତ ବାହାରୁଛି, ଘଟଣାକୁ ନେଇ ଚାଲିଥିବା ରାଜନୀତି କେଉଁ ମୋଡ଼ ନେଉଛି ତା ଉପରେ ନଜର।

OTV is now on Whatsapp

Join and get latest news update delivered to you via whatsapp

Join Now