ଗର୍ଭବତୀଙ୍କୁ ଗୁଳି କରି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଅଞ୍ଚଳରେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଘର କବାଟ ବାଡ଼େଇଥିଲେ । ତେବେ ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ସୂଚନା ମିଳିଛି ।
୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗୁଳିମାଡ଼ରେ ଗୁରୁତର ମହିଳାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମହିଳାଙ୍କ ବାମ ଛାତିରେ ଗୁଳି ବାଜିଛି ।
ଲୁଟ ଉଦ୍ଦେଶ୍ୟରେ ଆସି ଗୁଳିମାଡ଼ ହୋଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ଆଜିକାଲି ମାନବିକତା ମରିଯାଇଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ନୃଶଂସ ପାଲଟୁଛି ମଣିଷ । ନିଜର ସ୍ୱାର୍ଥ ସାଧନ ପାଇଁ କିଛି ବି କାମ କରିବାକୁ ପଛାଉ ନାହାନ୍ତି ନର ରାକ୍ଷସମାନେ ।
Also Read
ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା
ଆଉ ଏକ ଘଟଣା ଗତକାଲି ରାଉରକେଲାରେ ଦେଖିବାକୁ ମିଳିଥିଲା । ଦୁଷ୍କର୍ମ ବୟାନ୍ ନବଦଳାଇବାରୁ ପ୍ରେମିକାକୁ ଖଣ୍ତ ଖଣ୍ତ କରିଦେଲା ପ୍ରେମିକ । ଯାହାକୁ ଦିନେ ପ୍ରେମ କରୁଥିଲା ତାକୁ ହାଣିବାକୁ ହାତ କେମିତି ଗଲା । ଯାହାର ଆଖିରୁ ଲୁହ ଝରିଲେ, ଛାତିରୁ ଲହୁ ଝରିବା କଥା; ତାକୁ ହିଁ ଖଣ୍ତ ଖଣ୍ତ କରି କେମିତି କାଟିଲା ।
ଦୁଷ୍କର୍ମ ଅଭିଯୋଗ ନେଇ ମତ ବଦଳାଇବାକୁ ମନା କରିବାରୁ ନାବାଳିକାକୁ ଅପହରଣ କରି ହତ୍ୟା କରିଥିଲା ଅଭିଯୁକ୍ତ । ଝାରସୁଗୁଡ଼ାରୁ ଅପହରଣ ପରେ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଝାରସୁଗୁଡ଼ା ଏସପି । ପୋଲିସ ସୂଚନା ଅନୁସାରେ, ମୃତ ନାବାଳିକା ଅଭିଯୁକ୍ତ କନୁ କିଷାନ ବିରୋଧରେ କରିଥିଲେ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଜେଲ୍ ଯାଇ ବର୍ଷେ ତଳେ ଜାମିନରେ ଆସିଥିଲା । କଠୋର ଦଣ୍ଡ ଆଶଙ୍କା କରି ସେ ମତ ବଦଳାଇବାକୁ ନାବାଳିକାଙ୍କୁ ଚାପ ପକାଇଥିଲା ।
ହେଲେ ଏଥିରେ ନାବାଳିକା ରାଜି ନହେବାରୁ ଅପହରଣ କରି ରାଉରକେଲା-ଦେବଗଡ଼ ରାସ୍ତାରେ ହତ୍ୟା କରିଥିଲା । ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବାଲୁଘାଟ ସହ ତରକେରା ନାଳରେ ଫିଙ୍ଗିଥିଲା । ଅଭିଯୁକ୍ତ କୁନୁ କିଷାନକୁ ପଚରାଉଚରା କରିବା ସହ କ୍ରାଇମ୍ ସ୍ପଟକୁ ପ୍ରମାଣ ସଂଗ୍ରହ କରିଛି ପୋଲିସ । ହନୁମାନ ବାଟିକା ନିକଟ ଜଙ୍ଗଲରୁ ନାବାଳିକାର କଟା ହାତ-ଗୋଡ଼ ସହ ବାଲୁଘାଟ ନିକଟ ବ୍ରାହ୍ମଣୀ ନଦୀରୁ ବସ୍ତାରେ ଭର୍ତ୍ତି ମୃତଦେହ ଓ କଟା ମୁଣ୍ଡ ଉଦ୍ଧାର ହୋଇଛି ।