ଚଳନ୍ତା ଟ୍ରେନରେ ବର୍ବରତା । ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ ପରେ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ । ଏହି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁରେ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ଘଟଣାକୁ ନେଇ ତାମିଲନାଡୁରେ ସୃଷ୍ଟି ହୋଇଛି ରାଜନୈତିକ ବିବାଦ । ଶାସକ ଡିଏମକେ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି । ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖି ଛାନଭିନ୍ ଚଳାଇଛି ।
ସୂଚନା ମୁତାବକ, ପୀଡିତା ମହିଳା ୪ ମାସର ଗର୍ଭବତୀ । ସେ କୋଏମ୍ବାଟୁରର ଏକ କପଡା କମ୍ପାନିରେ କାମ କରନ୍ତି । ଗତକାଲି ମହିଳା ଜଣକ ଆନ୍ଧ୍ରପ୍ରଦେଶର ଚିତ୍ତୋର ଯିବାକୁ ତିରୁପତି ଇଣ୍ଟରସିଟି ଏକ୍ସପ୍ରେସରେ ଚଢିଥିଲେ । ଅଭିଯୋଗ ଅନୁସାରେ ସେହି ଟ୍ରେନରେ ଯାତ୍ରା କରୁଥିବା ଦୁଇ ଜଣ ଅଜ୍ଞାତ ଦୁର୍ବୃତ୍ତ ତାଙ୍କୁ ଯୌନ ଶୋଷଣ କରିଥିଲେ । ମହିଳା ଟଏଲେଟ୍ ଯିବା ସମୟରେ ସେ ଦୁହେଁ ତାଙ୍କ ପଛରେ ଯାଇଥିଲେ ଏବଂ ସେଠାରେ ଯୌନ ଶୋଷଣ କରିଥିଲେ । ପୀଡିତା ସାହାଯ୍ୟ ଲାଗି ଆକୁଳ ଚିତ୍କାର କରିବାରୁ କୁପ୍ପମ ନିକଟରେ ଦୁଇ ଅଭିଯୁକ୍ତ ତାଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିଲେ ।
ଅଧିକ ପଢ଼ନ୍ତୁ : ଭିଡିଓ କଲ୍ରେ ଝୁଲୁଥିଲା ଶବ, ୪ ବର୍ଷର ଝିଅ କହିଲା- 'ମାଆକୁ ଟାଙ୍ଗିଦେଲେ ବାପା...'
ମହିଳା ଟ୍ରେନରୁ ପଡିଯିବା କାରଣରୁ ତାଙ୍କ ହାତଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭେଲ୍ଲୋର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାରେ ହେମରାଜ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ସିସିଟିଭି ଯାଞ୍ଚ କରାଯାଉଛି ।
ଏଆଇଏଡିଏମକେ ସାଧାରଣ ସମ୍ପାଦକ ଇଡାପ୍ପାଡି କେ ପଲାନିସ୍ୱାମୀ ଏହି ଘଟଣାକୁ ତୀବ୍ର ନିନ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, ''ଚଳନ୍ତା ଟ୍ରେନରେ ଜଣେ ଗର୍ଭବତୀଙ୍କ ଯୌନ ଶୋଷଣ ପରେ ଧକ୍କା ଦିଆଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏହା ଲଜ୍ଜାର ବିଷୟ ଯେ, ତାମିଲନାଡୁରେ ମହିଳାମାନେ ସୁରକ୍ଷିତ ଭାବେ ରାସ୍ତାରେ ଚାଲିପାରିବେନି, ସ୍କୁଲ କଲେଜ କିମ୍ବା କର୍ମକ୍ଷେତ୍ରକୁ ଯାଇପାରିବେନି ଏବଂ ଟ୍ରେନରେ ଯାତ୍ରା କରିପାରିବେନି ।''