• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦୁନିଆ ନ ଦେଖିବା ଆଗରୁ ଆଖି ବୁଜିଦେଲା କଅଁଳ ଶିଶୁ । ପର କରି ଚାଲିଗଲା ବର୍ଷକ ତଳେ ହାତ ଧରିଥିବା ପତ୍ନୀ । ହତଭାଗା ସ୍ୱାମୀ କ’ଣ ଆଉ କୋହ ସମ୍ଭାଳି ପାରୁଛି । କ୍ଲିନିକ୍‌ ବାହାରେ ବୁକୁଫଟା ଚିତ୍କାର କରୁଛି, ସ୍ତ୍ରୀ ଓ ଛୁଆକୁ ଫେରାଇ ଆଣିବାକୁ ଗୁହାରି କରୁଛି । ବାହାଘର ଆଲବମ୍‌କୁ ଛାତିରେ ଜାବୁଡି ଧରି ଲୁହ ଗୁଡାଉଛି । ମୋ ସ୍ତ୍ରୀ ଆଉ ଛୁଆକୁ ଫେରାଇ ଆଣିଦିଅ କହୁଛି ସ୍ୱାମୀ । ହେଲେ ସେମାନେ କ’ଣ ଆଉ ଫେରିବେ । ଏହି ଦୃଶ୍ୟ ଯିଏ ଦେଖିବ ନିଜ କୋହ ସମ୍ଭାଳି ପାରିବନି ।

ପତ୍ନୀର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଧାଇଁ ଆସିଥିଲେ ଗଞ୍ଜାମ ଡେଙ୍ଗାଓସ୍ତାରେ ଥିବା ଘରୋଇ କ୍ଲିନିକ୍‌କୁ । ହେଲେ ଏଇଠି ହିଁ ଉଜୁଡି ଯାଇଛି ସଂସାର । ଅଭିଯୋଗ ହୋଇଛି ଡାକ୍ତରଙ୍କ ଅବହେଳା ଯୋଗୁ ମା’ ଓ ନବଜାତକର ଜୀବନ ଚାଲିଯାଇଛି ।

ଇଏ ହେଉଛନ୍ତି ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳ କରାଖଣ୍ଡି ଗାଁର ବାବୁ ନାୟକ । ବର୍ଷକ ତଳେ ସିଙ୍ଗିପୁରର ରୋଜି ନାୟକଙ୍କୁ ବିବାହ କରିଥିଲେ । ବାବୁ ନାୟକ ଗୁଜୁରାଟରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ପରେ ମା’ ଘରକୁ ଚାଲି ଯାଇଥିଲେ । ୯ ମାସର ଗର୍ଭବତୀ ଝିଅର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଥିଲେ ତାଙ୍କ ଘର ଲୋକ । ତେବେ ହଠାତ୍‌ ସୋମବାର ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ରୋଜିଙ୍କୁ ଡେଙ୍ଗାଉସ୍ତାରେ ଥିବା ନର୍ସିଂହୋମ୍‌କୁ ଅଲ୍ଟ୍ରା ସାଉଣ୍ଡ କରିବାକୁ ଆଣିଥିଲେ ଘରଲୋକ ।

ଅଧିକ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା

ନର୍ସିଂହୋମ କର୍ତ୍ତୃପକ୍ଷ ନର୍ମାଲ ଡେଲିଭରି ହେବ ବୋଲି କହି ଆଡମିଶନ କରାଇଥିଲେ । ପରେ ବିନା ଡାକ୍ତରଙ୍କ ଉପସ୍ଥିତିରେ ଅସ୍ତ୍ରୋପଚାର ବି କରାଇଥିଲେ । ନର୍ସିଂହୋମର ଅବହେଳାରୁ ପ୍ରଥମେ ନବଜାତ ଓ ପରେ ମା’ର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛିନ୍ତି ସାହାରା ନର୍ସିଂହୋମ ମାଲିକ ।

ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ଉକ୍ତ ନର୍ସିଂହୋମକୁ ଯାଇ ଛାନଭିନ୍‌ କରିବା ସହ ତଦନ୍ତ ଜାରି ରଖିଛି ।