• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବଢ଼ିଲା ପ୍ରଦୀପଙ୍କ ପାଇଁ ଅଡ଼ୁଆ । ପୁଣି ଘରେ ପଶିଲା ଭିଜିଲାନ୍ସ । ବିବାଦୀୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । କେବଳ ବିଧାୟକଙ୍କ ଘରେ ନୁହେଁ ବରଂ ତାଙ୍କ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି । ଏକକାଳୀନ ୧୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ଆଜି ସକାଳ ୬ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିବା ସୂଚନା ମିଳିଛି ।

୨୦୦୯ରୁ ୨୦୨୦ ମଧ୍ୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୬୫ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ସେହି ନିର୍ଦ୍ଦେଶ ଆଧାରରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏହି ଚଢ଼ାଉରେ ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି ଓ ୧୭ ଜଣ ଡିଏସ୍‌ପିଙ୍କ ସହିତ ଅନ୍ୟମାନେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜେଲ୍‌ରୁ ବେଲରେ ବାହାରିବା ପରେ ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତରେ ପିଟିସନ୍‌ ଦାଖଲ କରିଥିଲେ ପ୍ରଦୀପ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

୧୨ ଜୁନ୍‌ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନାମରେ ଥିବା ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ ପ୍ରଦୀପ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରୁ ଗିରଫ ହୋଇ ଜେଲରେ ଥିଲେ ଗୋପାଳପୁରର ଏହି ଟାଣୁଆ ବିଧାୟକ।