• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଣ ଟଙ୍କାର ଚାପ, ପାରିବାରିକ ବିବାଦ ନା ଆଉ କିଛି ? ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ରହସ୍ୟ କଣ ? ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍‌ସିକ୍ ଲାବକୁ ପଠାଇବା ସହ ସିସିଟିଭି ଫୁଟେଜକୁ ସିଜ୍ କରିଛି କମିଶରେଟ୍ ପୋଲିସ୍ । ସେହିଭଳି ଧର୍ମେନ୍ଦ୍ରଙ୍କ ଘର ଉପର ମହଲାରେ ରହୁଥିବା ରୋଷେୟାଙ୍କ ପରିବାରକୁ ବି ସ୍କାନନରେ ରଖିଛି । ତେଣେ ଘଟଣାରେ ପୁଣିଥରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ମନ୍ତ୍ରୀ ସମୀର ଦାଶ ଏ ଅଭିଯୋଗ ନେଇ ମୁହଁ ଖୋଲିନାହାନ୍ତି ।

ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ରହସ୍ୟ ଖୋଲିବ କି ଜବତ ମୋବାଇଲ ? ମୃତ ଧର୍ମେନ୍ଦ୍ର ଓ ତାଙ୍କ ପଡ଼ୋଶୀଙ୍କ ସିିସିଟିଭି ଫୁଟେଜରୁ ମିଳିବ କି ଘଟଣା ପଛର ସତ୍ୟାସତ୍ୟ ? ଧର୍ମେନ୍ଦ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ୩୬ ଘଣ୍ଟା ବିତିଯାଇଥିବା ବେଳେ ମିଳିଥିବା ଦୁଇ ବଡ଼ କ୍ଲୁ ନେଇ ଛାନଭିନ୍ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି କହିଛନ୍ତି, ଗତକାଲି ସନ୍ଧାନୀ କୁକୁର ଦ୍ୱାରା ସ୍ୱିଚ୍ ଅଫ୍ ଅବସ୍ଥାରେ ମିଳିଥିବା ଧର୍ମେନ୍ଦ୍ରଙ୍କ ଦୁଇ ମୋବାଇଲ ଫୋନକୁ ଯାଞ୍ଚ୍ ପାଇଁ ରାଜ୍ୟ ଫୋରେନ୍ସିକ୍ ଲାବକୁ ପଠାଯାଇଛି । ସେହିଭଳି ଘଟଣା ସ୍ଥଳର ସିସିଟିଭି ଡିଭାଇସକୁ ବି ସିଜ୍ ହୋଇଛି । ଘଟଣା ଦିନ ରାତିରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାର ଉପର ଘରେ ରହୁଥିବାରୁ ସେମାନଙ୍କୁ ବି ସ୍କାନରରେ ରଖିଛି ପୋଲିସ ।

ସେପଟେ ଧର୍ମେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହାକୁ ସିଧାସଳଖ ହତ୍ୟା ବୋଲି କହି ଗତକାଲିଠୁ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ଆସୁଥିବା ବିଜେପି ଆଜି ଗୋପ୍ ଥାନା ଘେରାଉ କରିଥିଲା । ଥାନା ଆଗରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦଳ ଦାବି କରିଛି ।

ସେପଟେ ଘଟଣା ପଛରେ ମନ୍ତ୍ରୀଙ୍କ ଭୂମିକାକୁ ଦାୟୀ କରି ଆଜି ଭୁବନେଶ୍ୱର ଡିସିପିଙ୍କୁ ଏକ ଦାବିପତ୍ର ଦେଇଛି ରାଜ୍ୟ କଂଗ୍ରେସ । ଦଳ ଦାବି କରିଛି ଯେ, ଧର୍ମେନ୍ଦ୍ର ମୃତ୍ୟୁ ପଛରେ ବଡ଼ ଧରଣର ଅର୍ଥ କାରବାର, ପରକୀୟା ପ୍ରୀତି ଏବଂ ରାଜନୈତିକ ବିରୋଧାଭାସ ଭଳି ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି । ତେଣୁ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଉ ବୋଲି କଂଗ୍ରେସ କହିଛି ।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଚର୍ଚ୍ଚା ସାମ୍ନାକୁ ଆସୁଥିବାରୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ର ଘରେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୋବାଇଲ ଘରଠୁ କିଛି ଦୂର ଆଉ ଏକ ସ୍ଥାନରୁ ମିଳିଲା କେମିତି ? ରାତି ଅଧରେ ସିସିଟିଭି ଫୁଟେଜରେ ଆସୁଥିବା ଲୋକ କିଏ ଓ କାହିଁକି ଆସିିଥିଲେ ? ଧର୍ମେନ୍ଦ୍ର ୮୦ ଲକ୍ଷ ଟଙ୍କା ଋଣ ଭାରରେ ଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ଋଣ ସେ କାହାଠୁ ଓ କଣ ପାଇଁ ଆଣିଥିଲେ ? ଧର୍ମେନ୍ଦ୍ରଙ୍କ ମୋବାଇଲରେ ଦୁଇଟି ଭିଡିଓକୁ ସେ ସାର୍ବଜନୀନ କରିବାକୁ ନିବେଦନ କରିଥିବାରୁ ଏବେ ସେ ନିର୍ଦ୍ଦିଷ୍ଟ ଭିଡିଓର ସ୍ଥିତି କଣ ? ଏସବୁ ଘଟଣାରୁ ପର୍ଦ୍ଦା ହଟାଇବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ । ଏସବୁ ଭିତରେ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ତାଙ୍କ ପୁତୁରା କେଉଁ ପରିସ୍ଥିତିରେ ଘର ଛାଡ଼ିଦେଲେ ସେ ସମ୍ପର୍କରେ ପୋଲିସ ତଦନ୍ତ କରୁ ବୋଲି ଦାବି କରିଛନ୍ତି ତାଙ୍କ ଶ୍ୱଶୁର ।