Advertisment

'ଆତ୍ମହତ୍ୟା ନୁହେଁ, ମିଳିମିଶି ମାରିଦେଲେ'

ହଷ୍ଟେଲର ରୁମ ନମ୍ୱର ୩୦୫ର ସିଲିଂଫ୍ୟାନରେ ଝୁଲୁଥିଲା ଆଶାଙ୍କ ମୃତଦେହ। କିନ୍ତୁ ଆତ୍ମହତ୍ୟା ନୁହେଁ, ଏହି ହତ୍ୟା ବୋଲି ମୃତ ଛାତ୍ରୀଙ୍କ ସମ୍ପର୍କୀୟ

author-image
Chandan Shishu
Asha Meher Death Case

Asha Meher Death Case

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମନରୁ ନଲିଭୁଣୁ କଲେଜ ଛାତ୍ରୀ ଆଶା ମେହେର ସନ୍ଦେହଜନକ ମୃତ୍ୟୁ ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଗତକାଲି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସକମା ଗାଁ ଠାରେ ଥିବା ୟୁବୋଦୟ କଲେଜର ଲେଡିଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରୀ ଆଶା ମେହେରଙ୍କ ଝୁଳନ୍ତା ଶବ ଉଦ୍ଧାର କରାଯାଇଥିଲା। ପୋଲିସ ବିଲମ୍ୱିତ ରାତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଥିଲା। ଆଜି ବରଗଡ ଜିଲ୍ଲା ଦହେତା ଗାଁରୁ ପରିବାର ଲୋକେ ବଲାଙ୍ଗିରକୁ ପହଞ୍ଚିବା ପରେ, ଶବ ବ୍ୟବଚ୍ଛେଦକୁ ନେଇ ଦ୍ୱନ୍ଦ ଦେଖାଦେଇଛି।

Advertisment

ଥାନାରେ ଅଭିଯୋଗ ଦାଖଲ କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ। ଆଶା ମେହେରଙ୍କ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। କଲେଜ ଡାଇରେକ୍ଟର, ପ୍ରିନ୍ସିପାଲ, ୱାର୍ଡେନ ହତ୍ୟା କରିଥିବା ନେଇ ବଲାଙ୍ଗିର ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଆଶା ମେହେରଙ୍କ ବାପା ମହିରାମ ମେହେର। ମହିରାମଙ୍କ ସହିତ ଶତାଧିକ ଗ୍ରାମବାସୀ ଆସି ଏସପିଙ୍କୁ ଭେଟିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ମେଧାବୀ ଛାତ୍ରୀ ଆଶା ମହିରାମଙ୍କର ଏକମାତ୍ର ସନ୍ତାନ। ଆଶାଙ୍କ ଏଭଳି ବିୟୋଗ ମହିରାମଙ୍କ ସବୁ ଆଶା ସ୍ୱପ୍ନ ଭାଙ୍ଗିଦେଇଛି।

ଏନେଇ ଆଶାଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ ଜଣେ ହାତ କାଟିବା ପରେ ବ୍ୟାଣ୍ଡେଡ୍‌ ଗୁଡାଇ ଫ୍ୟାନ୍‌ରେ କିପରି ଆତ୍ମହତ୍ୟା କଲା। ଆଙ୍ଗୁଠିରେ ଲୁହାର ଅଂଶ ଲାଗିରହିଛି। ଫ୍ୟାନରେ ଏକାକୀ ଦଉଡ଼ି ବାନ୍ଧି ଆତ୍ମହତ୍ୟା କରିବା ଅସମ୍ଭବ। ପାଖରେ କୌଣସି ଟୁଲ୍‌ ବି ନାହିଁ। କୁଲର ଉପରେ ଚଢି ଆତ୍ମହତ୍ୟା କରିଥିଲେବି ଉପର ସାମଗ୍ରୀ ଅସଜଡା ହୋଇ ରହିଥାନ୍ତା କିନ୍ତୁ ସେଭଳି ହୋଇନାହିଁ। ଝିଅ ସୁସ୍ଥ ଥିବା ନେଇ କଲେଜ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ପରସମୟରେ ଆମକୁ ମେଡିକାଲ ଆସିବା ପାଇଁ କହିଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। କଲେଜ କର୍ତ୍ତୃପକ୍ଷ ମିଶିକି ମୋ ଭଉଣୀକୁ ମାରିଦେଇଛନ୍ତି। 

Advertisment

ହଷ୍ଟେଲର ରୁମ ନମ୍ୱର ୩୦୫ର ସିଲିଂଫ୍ୟାନରେ ଆଶାଙ୍କ ମୃତଦେହ ଝୁଲୁଥିଲା। ଆଶାଙ୍କ ମୃତଦେହର ବାମ ହାତରେ କଟାଦାଗ ଥିବା ବେଳେ ବ୍ୟାଣ୍ଡେଡ ଲାଗିଥିଲା। ହାତରୁ ରକ୍ତ ଝରୁଥିଲା। ତା ସହିତ ଶବ ଝୁଲିଥିବା ଫ୍ୟାନର ପ୍ଲେଟ ମଧ୍ୟ ବଙ୍କା ହୋଇନଥିଲା। ତେଣୁ ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି କହିଛନ୍ତି ମୃତ ଆଶାଙ୍କ ପରିବାର ଲୋକେ।

ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ଜଣାପଡିବ ବୋଲି କହିଛନ୍ତି ବଲାଙ୍ଗିର ଏସଡିପିଓ। ଏନେଇ କଲେଜ ଡାଇରେକ୍ଟର ଅମ୍ବରିଶ୍ ଦାସ କହିଛନ୍ତି ଯେ ଘଟଣା ଦିନ ଛାତ୍ରୀଙ୍କ କ୍ଲାସ ନଥିଲା। ଯଦି କ୍ଲାସ୍ ନଥିବ ତାହାହେଲେ ସେମାନେ ହଷ୍ଟେଲ ଯାଇ ପଢାପଢି କରିପାରିବେ। ସେହି ଅନୁସାରେ ସମ୍ପୃକ୍ତ ଛାତ୍ରୀଙ୍କ କ୍ଲାସ ନଥିବାରୁ ଗେଟ୍‌ ପାସ୍‌ ଦେଖାଇ ହଷ୍ଟେଲ ଭିତରକୁ ଯାଇଥିଲେ। ତେବେ ତାଙ୍କର ସହପାଠୀ ଖାଇବା ପାଇଁ ଡାକିବାକୁ ଗଲାବେଳେ ଛାତ୍ରୀ ଜଣକ ଝୁଲିଥିବାର ଦେଖିଥିଲେ। ଏହାପରେ ସଂଗେ ସଂଗେ ପୋଲିସ ଓ ଝିଅର ପରିବାରକୁ ଖବର ଦେଇଥିଲୁ। ପୋଲିସର ତଦନ୍ତରେ ଆମେ ସହଯୋଗ କରିବୁ। 

କଲେଜ କର୍ତ୍ତୃପପକ୍ଷ ପୁଲିସକୁ ଖବର ଦେବା ପରେ ବଲାଙ୍ଗିର ଏସ୍‌ଡିପିଓ, ଲୋଇସିଂହା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ମୃତ ଆଶାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପୁଲିସ ସୁଇସାଇଡ୍‌ ନୋଟ୍‌କୁ ଜବତ କରିଛି। ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ-“ସରି, ଭଲରେ ଥାଅ ପିଲେ….ବାଏ..” ଲେଖାଯାଇଥିବା ପୁଲିସ କହିଛି। ତେବେ ସୁଇସାଇଡ୍‌ ନୋଟ୍‌ଟି ଆଶାଙ୍କର କି ନୁହେଁ, ତାହା ଫୋରନସିକ ପରୀକ୍ଷା ପରେ ଜଣାପଡିବ ବୋଲି ପୁଲିସ କହିଛି।  

Bolangir Asha Meher
Advertisment
Advertisment