• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସମ୍ବଲପୁରରୁ ଧରାପଡ଼ିଲେ ଛାତ୍ରୀଙ୍କୁ ଧରି ଫେରାର ଟୁ୍ୟସନ୍ ସାର୍ 

  • ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍ 

  •  ଅଇଁଠାପାଲି ଅଞ୍ଚଳରେ ଚଢ଼ାଉ କରି ଗିରଫ କଲା ପୋଲିସ୍

ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ  ଆଜି ସମ୍ବଲପୁରରୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତ ଜଣକ ଅଇଁଠାପାଲି ଅଞ୍ଚଳରେ ଥିବା ଖବର ପାଇଥିଲା ପୋଲିସ୍ । ଏହାପରେ ପୋଲିସ ଚଢ଼ାଉ କରି ଟ୍ୟୁସନ୍ ସାର୍ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିଛି । ଭୁବନେଶ୍ୱର ପୋଲିସ୍ ପହଞ୍ଚିବା ପରେ ୨ ଛାତ୍ରୀଙ୍କୁ ହସ୍ତାନ୍ତର କରାଯିବ ।

ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଜଣେ ଟ୍ୟୁସନ୍ ସାର୍ ଗୋପାଳକୃଷ୍ଣ ବାଡ଼ତିୟା ନାବାଳିକା ଦୁଇ ଛାତ୍ରୀଙ୍କୁ ଧରି କେଉଁ ଆଡ଼େ ଚାଲି ଯାଇଥିଲେ । ଘଣ୍ଟା ଘଣ୍ଟା ଧରି ହୋମ୍ ଟ୍ୟୁସନ୍ କରୁଥିବା ଯୋଗୁଁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ପରିବାରଲୋକେ । ଏହାକୁ ନେଇ ଉତକ୍ଷିପ୍ତ ହୋଇ ଦୁଇ ପିଲାଙ୍କୁ ନେଇ ଫେରାର ମାରିଥିଲେ ଟ୍ୟୁସନ୍ ସାର୍ ।

 

ସୂଚନା ଅନୁସାରେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ଜଣେ ବ୍ୟକ୍ତି ନାବାଳିକା ଦୁଇ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ହେଲେ ଅଧିକ ସମୟ ଟ୍ୟୁସନରେ ଦେଉଥିବାରୁ ଅଭିଭାବକଙ୍କ ସନ୍ଦେହ ବଢ଼ିଥିଲା । ନିଜ ଘରେ ନରହି ହୋମ୍ ଟ୍ୟୁସନରେ କାହିଁକି ଏତେ ସମୟ ରହୁଛନ୍ତି କହି ଅଭିଭାବକ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଟ୍ୟୁସନ୍ ସାର୍ ନିଜ ଭୁଲ ହୃଦୟଙ୍ଗମ କ’ଣ କରିବେ ଓଲଟି ରାଗି ଯାଇ ଧମକ ବି ଦେଇଥିଲେ ।

ହେଲେ ଗତ ରବିବାର ଦିନ ଏସବୁର ସୀମା ଟପିଥିଲା । ଅଭିଭାବକଙ୍କ କିଛି ସମୟର ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଥିଲେ ଟ୍ୟୁସନ ସାର । ତେବେ ଏନେଇ ଭୁବନେଶ୍ୱରରେ ବଡ଼ଗଡ଼ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତକାଲି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହା ଛଡ଼ା ଦୁଇ ଜଣ ଛାତ୍ରୀଙ୍କ ଏକ ହାତ ଲେଖା ମଧ୍ୟ ସେମାନଙ୍କ ରୁମରୁ ମିଳିଥିଲା । ଯେଉଁଥିରେ ସେମାନେ ୮ ଦିନ ପରେ ଫେରିବେ ବୋଲି ଉଲ୍ଲେଖ ଥିଲା ।