• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘଡ଼ିଏ କି ଦି ଘଡ଼ି ନୁହଁ । ଓଳିଏ କି ଦିନଟିଏ ବି ନୁହଁ । ଆଜିକୁ ଚାରି ଦିନ ହେଲା କଅଁଳ ପିଲାଟିଏ ନିଖୋଜ ହୋଇଯିବା ପରେ କିଏ ବା ଧୈର୍ଯ୍ୟ ଧରିପାରିବ ? ନାତିକୁ ନଦେଖି ରହିପାରୁନଥିବା ଜେଜେ ବାପା ନିବେଦନ କରୁଛନ୍ତି, ନାତିକୁ ଫେରାଇ ଆଣିବାକୁ । କହୁଛନ୍ତି, ତାବଦଳରେ ବରଂ ନିଜକୁ ସମୁଦ୍ରରେ ଫିଙ୍ଗିଦେବାକୁ ।

ଆଜିକୁ ୪ ଦିନ ବିତିଗଲା, ନୟାଗଡ଼ ଓଡ଼ଗାଁ ଥାନା କୁରାଳ ଗାଁର କାଳିଆ ପାତ୍ରଙ୍କ ୧୨ ବର୍ଷର ପୁଅ ଅମ୍ରିତର କୌଣସି ପତ୍ତା ମିଳୁନି । କୁଆଡ଼େ ଗଲା ଅମ୍ରିତ, ଶୀତ କାକର ବେଳେ କେଉଁଠି କେଉଁ ଅବସ୍ଥାରେ ପୁଅ ଅଛି । ମାଆ ମନ ଆଜି ବିକଳ ହେଉଛି । ଲୁହ ଶୁଖୁନି ଆଖିରୁ । ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।

ଅମ୍ରିତ ସପ୍ତମ ଶ୍ରେଣୀର ଛାତ୍ର । ଗତ ୧୫ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ଟ୍ୟୁସନ୍ ସାରି ସାଇକେଲ୍‌ରେ ଫେରୁଥିଲା । ଘରକୁ ପହଞ୍ଚିବାକୁ ଥିଲା ଆଉ ମାତ୍ର ୫୦ ଫୁଟ୍ ଦୂରତା । କିନ୍ତୁ ଦୁର୍ଭାଗ୍ୟ, ହଠାତ୍ ଘଟିଗଲା ଏକ ଅଘଟଣା । କୁଆଡ଼େ ଗାୟବ ହୋଇଗଲା ଅମ୍ରିତ । ତା’ସହ କଣ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରୁନି । କୁହାଯାଉଛି, ଅମ୍ରିତ ନିଖୋଜ ହେବା ପୂର୍ବରୁ ସେହି ଅଂଚଳରେ ଏକ ସନ୍ଦିଗ୍ଧ ଗାଡ଼ି ବୁଲୁଥିଲା । ସ୍ଥାନଟି ସବୁବେଳେ ନିଛାଟିଆ ରହୁଥିବାରୁ ଅମ୍ରିତକୁ ଅପହରଣ କରାଯାଇଥିବା ପରିବାର ଓ ପଡ଼ୋଶୀ ଆଶଙ୍କା କରିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ବି ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍ ଚଳାଇଛି । କିନ୍ତୁ ପତ୍ତା ମିଳିପାରିନି ।

 

ସେହି ନୟାଗଡ଼ ଜିଲ୍ଲାରେ ୫ ବର୍ଷିୟ ପରୀକୁ ଅପହରଣ ସହ ହତ୍ୟା ଅଭିଯୋଗ ଘଟଣା ଆଜି ବି ରାଜ୍ୟବାସୀଙ୍କ ମନରୁ ଲିଭିନି । ଯାଜପୁରର ପିହୁକୁ ତ ଆଜି ଯାଏଁ ଠାବ କରାଯାଇପାରିଲାନି । ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା ଏନ୍‌ସିଆର୍‌ବିର ତଥ୍ୟ ବି କହୁଛି, ଗତ ୬ ବର୍ଷରେ ରାଜ୍ୟରୁ ଏଭଳି ୧୬ ହଜାର ୬୫୪ ଶିଶୁଙ୍କ ପତ୍ତା ମିଳୁନି । ଉଦ୍‌ବେଗଜନକ କଥା ହେଉଛି ୨୦୨୦ରୁ ୨୦୨୧ ବର୍ଷକ ଭିତରେ ଶିଶୁ ନିଖୋଜ ଘଟଣା ୪୨% ବଢ଼ିଛି। ୨୦୨୦ରେ ୨,୮୯୯ ଏବଂ ୨୦୨୧ରେ ୪,୧୩୩ ଶିଶୁ ନିଖୋଜ ହୋଇଯାଇଛନ୍ତି । ଅର୍ଥାତ୍ ଦିନକୁ ହଜିଯାଉଛନ୍ତି ପାଖାପାଖି ୧୧ଜଣ ପିଲା । ଏମାନେ କୁଆଡ଼େ ଯାଉଛନ୍ତି ? ୟାପଛରେ ରୀତିମତ ଯୋଜନା ବଦ୍ଧ ଶିଶୁ ଚାଲାଣ ରାକେଟ୍ କାମ କରୁଛି କି ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ନିପାରିଲାପଣ ଭିତରେ ଅପେକ୍ଷା, ଅମ୍ରିତକୁ କେତେ ଶୀଘ୍ର ଉଦ୍ଧାର କରାଯାଇପାରୁଛି ।