• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ ସ୍ୱାମୀର ଷ୍ଟିଙ୍ଗ୍‌ ଅପରେସ୍‌ନ କଲେ ପତ୍ନୀ । ଧରିଲେ ରେଡ୍‌ ହାଣ୍ଡେଡ୍ । କଥାଟା ଆଶ୍ୱର୍ଯ୍ୟ ଲାଗୁଥିଲେ ବି ସତ । ଏମିତି କିଛି ଘଟଣା ଘଟିଛି ଇନ୍ଦୋର ଜିଲ୍ଲାରେ । ଇନ୍ଦୋର ପୋଲିସ ବିଭାଗର ସ୍ୱତନ୍ତ୍ର ବ୍ରାଞ୍ଚ ଉପରିସ୍ଥ ଅଧିକାରୀ ହେଉଛନ୍ତି ସତ୍ୟମ ବାହାଲ । ତାଙ୍କ ବିରୋଧରେ ତାଙ୍କ ପତ୍ନୀ କରିଥିଲେ ଷ୍ଟିଙ୍ଗ୍‌ ଅପରେସନ୍‌ । ଆଉ ପତ୍ନୀଙ୍କ ମାୟା ଜାଲରେ ଫସିଗଲେ ପୋଲିସ ସ୍ୱାମୀ । ଆଉ ପ୍ରମାଣ ସହ କୋର୍ଟରେ ହାଜର ହେଲେ ପତ୍ନୀ । କୋର୍ଟ ବି ପତ୍ନୀଙ୍କ ସପକ୍ଷରେ ଦେଲେ ରାୟ ।

ତେବେ ପୁରା ଘଟଣାଟି ହେଲା, ୨୦୧୯ରେ ସତ୍ୟମ ବାହାଲ ଏବଂ ମନୀଷା ପରସ୍ପରକୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ । ଏମିତିକି ମନୀଷାଙ୍କୁ ଯୌତୁକ ଜନିତ ନିର୍ଯାତନା ବି ଦେଉଥିଲେ ସତ୍ୟମଙ୍କ ପରିବାର ଲୋକେ । ଫଳରେ ପୋଲିସ ଜନଶୁଣାଣୀରେ ଅଭିଯୋଗ କରିଥିଲେ ପତ୍ନୀ ମନୀଷା । ହେଲେ କୌଣସି ସୁଫଳ ମିଳିନଥିଲା । ସେଠାରେ ନିରାଶ ହୋଇଥିଲେ ମନୀଷା ।

ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ କୋର୍ଟ ସମସ୍ତ ଘଟଣା ଶୁଣିବା ପରେ ପୋଲିସ ସତ୍ୟମ ବାହାଲଙ୍କୁ ଦୋଷୀ ବୋଲି ବିବେଚନା କରିଥିଲେ । ଏହାସହ ପତ୍ନୀଙ୍କ ଭରଣ ପୋଷଣ ପାଇଁ ମାସିକ ୭ ହଜାର ଟଙ୍କା ଦେବାକୁ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମନୀଷା ଶ୍ୱଶୁର ଘର ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିବା ବେଳେ ସ୍ୱାମୀ ସତ୍ୟମ ବାହାଲଙ୍କ ବିରୋଧରେ ମଧ୍ୟ ଠୋସ୍ ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିଥିଲେ । ସବୁଠୁ ବଡ଼ କଥା ହେଲା ଏହି ପ୍ରମାଣ ମନୀଷା ନିଜେ ଷ୍ଟିଙ୍ଗ୍‌ ଅପରେସନ୍‌ କରି ଯୋଗାଡ଼ କରିଥିଲେ ।

ବିବାହର କିଛି ଦିନ ପରେ ମନୀଷା ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ସତ୍ୟମ ବାହାଲଙ୍କ ନାରୀଙ୍କ ପ୍ରତି ଦୁର୍ବଳତା ରହିଛି । ଅର୍ଥାତ୍‌ ସ୍ୱାମୀଙ୍କ ଚରିତ୍ର ପ୍ରତି ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଏକ ଉପାୟ ପାଞ୍ଚିଥିଲେ । ଅନ୍ୟ ଜଣେ ମହିଳା ସାଜି ସ୍ୱାମୀ ସତ୍ୟମ୍‌ଙ୍କ ସହ ସୋସିଆଲ ମିଡିଆରେ ଚାଟିଂ ଆରମ୍ଭ କରିଥିଲେ । ପ୍ରଥମେ ମନୀଷା ଏକ ଫେକ୍‌ ଫେସ୍‌ବୁକ୍‌ ଆଇଡି ଖୋଲି ସତ୍ୟମ୍‌ଙ୍କୁ ରିକ୍ୱେଷ୍ଟ ପଠାଇଥିଲେ । ମନୀଷା ନିଜକୁ ସିଙ୍ଗିଲ ଝିଅ ବୋଲି ଦର୍ଶାଇ ସତ୍ୟମଙ୍କ ସହ ଚାଟିଂ ଆରମ୍ଭ କରିଥିଲେ । ଆଉ ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଭୀର ହୋଇଥିଲା ।

ସତ୍ୟମ ବିବାହିତ ହୋଇ ମଧ୍ୟ ସୋସିଆଲ ମିଡିଆରେ ନିଜକୁ ସିଙ୍ଗଲ ବୋଲି କହୁଥିଲେ । ଏମିତିକି ଚାଟିଂରେ ମନୀଷାଙ୍କ ସହ ସତ୍ୟମ୍‌ ଅଶ୍ଲିଳ କଥା ହେବାକୁ ମଧ୍ୟ ପଛାଇ ନଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା, ଏମିତି କିଛି ଦିନ କଥା ହେବା ପରେ ଏକ ହୋଟେଲ ରୁମ୍‌ରେ ଦେଖା ହେବେ ବୋଲି ଉଭୟ କଥା ହେଲେ ।

ତେବେ ଏହି ସବୁ ଚାଟିଂର ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିଥିଲେ ମନୀଷା । ଯାହାଫଳରେ କୋର୍ଟଙ୍କ ରାୟ ମନୀଷାଙ୍କ ସପକ୍ଷରେ ଯାଇଥିଲା ଏବଂ ସତ୍ୟମ୍‌ ଚରିତ୍ର ଭଲ ନୁହେଁ ବୋଲି କୋର୍ଟ ଜାଣିବାକୁ ପାଇଥିଲେ ।