• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ନକଲି ସାର୍ଟିଫିକେଟକୁ ଦେଢରୁ ୨ ଲକ୍ଷ ଟଙ୍କା । ଅତ୍ୟଧିକ ଡିମାଣ୍ଡ ଥିଲେ, ୫ ଲକ୍ଷ ଟଙ୍କା । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଥିଲା ଫେକ୍ ସାର୍ଟିଫିକେଟର ଚେର । କିଛି ଜାଲ୍ ପ୍ରମାଣପତ୍ରଧାରୀ ଡାକବିଭାଗରେ ଚାକିରି କରିଥିବା ଖବର ଓଟିଭିରେ ପ୍ରସାରିତ ହେବା ପରେ, ଏହାର ଚେର ଖୋଜି ଖୋଜି ବଲାଙ୍ଗିରର ଏକ କୋଚିଂ ସେଣ୍ଟରରେ ପହଞ୍ଚିଛି ପୋଲିସ । ମାମଲାରେ କୋଚିଂ ସେଣ୍ଟର ମାଲିକ, କଂପ୍ୟୁଟର ଶିକ୍ଷକ ଓ ଜାଲ୍ ସାର୍ଟିଫିକେଟଧାରୀଙ୍କୁ ମିଶାଇ ୧୯ ଜଣ ଗିରଫ ହୋଇଛନ୍ତି । ତେଣେ କେନ୍ଦ୍ରାପଡ଼ା ରେ ବି ସାମ୍ନାକୁ ଆସିଛି ଜାଲ୍ ସାର୍ଟିଫିକେଟ ଘଟଣା ।

ବଲାଙ୍ଗିର ର ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସ । କୋଚିଂ ସେଣ୍ଟର ନାଁରେ ଏଠି ବର୍ଷ ବର୍ଷ ଧରି ଚାଲିଥିଲା ଫେକ୍ ସାର୍ଟିଫିକେଟର ବିରାଟ ସିଣ୍ଡିକେଟ୍ । ସିଣ୍ଡିକେଟର ଦୁଇ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ଆଲୋକ ଉଦଗାତା । ଚାକିରି ଆଶାୟୀ ଦେଢ଼ରୁ ୨ ଲକ୍ଷ ଟଙ୍କା ଦେଲେ, ଏମାନେ ଯୋଗାଇ ଦେଉଥିଲେ ଜାଲ୍ ସାର୍ଟିଫିକେଟ୍ । ଦର ୫ ଲକ୍ଷ ଟଙ୍କା ଯାଏଁ ବି ଯାଉଥିଲା । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ।

ମନୋଜଙ୍କ ଏହି କୋଚିଂ ସେଣ୍ଟରରୁ ୪୦ରୁ ଅଧିକ କଲେଜ ଓ ୟୁନିଭର୍ସିଟିର ପ୍ରାୟ ୫ ହଜାର ନକଲି ସାର୍ଟିଫିକେଟ୍ ଓ ୨୭ଟି ଜାଲ୍ ରବର ଷ୍ଟାମ୍ପ, ନଗଦ ୩ ଲକ୍ଷ ୬୭ ହଜାର ଟଙ୍କା ଜବତ ହେବା ପରେ, ପୋଲିସ ମନୋଜ ଓ ଆଲୋକଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ ନକଲି ସାର୍ଟିଫିକେଟ୍‌ଧାରୀ ବି ଅଛନ୍ତି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିପାରେ ।

ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ୨୦୧୨ରୁ କଂପ୍ୟୁଟର ଶିକ୍ଷକ ଥିଲେ ଆଲୋକ ଉଦଗାତା । ଆଲୋକଙ୍କ କାମ ଥିଲା କଂପ୍ୟୁଟରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଅବିକଳ ସାର୍ଟିଫିକେଟ୍ ଡିଜାଇନ କରିବା । ମନୋଜଙ୍କ ଦାୟିତ୍ୱ ଥିଲା ଦଲାଲ ଲଗାଇ ଗରାଖ ଯୋଗାଡ଼ କରିବା, ଫେକ୍ ସାର୍ଟିଫିକେଟ ବିକ୍ରି କରିବା ଓ ଟଙ୍କା ଆଦାୟ କରିବା । ସେମାନଙ୍କ ସହ କିଛି ବିଶ୍ୱବିଦ୍ୟାଳୟ କର୍ମଚାରୀ ମଧ୍ୟ ସଂଶ୍ଳିଷ୍ଟ ଥିବା ଜାଣିବାକୁ ପାଇଛି ପୋଲିସ । ଗତ ୨୩ ତାରିଖରେ ଓଟିଭିରେ ପ୍ରଥମେ ଡାକ ନିଯୁକ୍ତିରେ ଜାଲିଆତି ସଂପର୍କିତ ଖବର ବାଜିବା ପରେ, ୨୪ ତାରିଖରେ ଓଡ଼ିଶା ଛାଡ଼ିବା ଚକ୍କରରେ ଥିଲେ ମନୋଜ ଓ ଆଲୋକ । ହେଲେ ତା’ଆଗରୁ ପୋଲିସ ହାବୁଡ଼ରେ ପଡ଼ିଯାଇଥିଲେ ।

ତେଣେ କୋଚିଂ ସେଣ୍ଟରରୁ କଂପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ ସହିତ ପୂରା ଟଙ୍କା କାରବାରର କଚ୍ଚା ଚିଠା ଥିବା ଏକ ଡାଏରୀ ବି ଲାଗିଛି ପୋଲିସ ହାତରେ ।

କେବଳ ବଲାଙ୍ଗିର ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ ମଣ୍ଡଳରେ ଗ୍ରାମୀଣ ଡାକସେବକ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ନିଯୁକ୍ତିରେ ବି ଧରାପଡ଼ିଛି ନକଲି ମାଟ୍ରିକ ସାର୍ଟିଫିକେଟ୍ । ଭଦ୍ରକ ଜିଲ୍ଲା ଲୁଣିଆ ଗାଁର ଜଣେ ଯୁବତୀ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦରୁ ପଢ଼ି ଓଡ଼ିଆରେ ଶହେରୁ ୯୯ ମାର୍କ ପାଇଥିବା ଦର୍ଶାଯାଇଛି ଏହି ଫେକ୍ ମାର୍କସିଟରେ ।

ପଶ୍ଚିମରୁ ଉପକୂଳ ଓଡ଼ିଶା, କେଉଁଠି କେଉଁଠି ଲମ୍ବିଛି ନକଲି ସାର୍ଟିଫିକେଟର ଚେର ? କେଉଁ କେଉଁ ବିଭାଗ, କେଉଁ କେଉଁ ଦପ୍ତରରେ ଚୌକି ମାଡ଼ିବସିଛନ୍ତି ଜାଲିଆତି କରିଥିବା କ୍ୟାଣ୍ଡିଡେଟ୍ ? ଏସବୁର ଯେତେଶୀଘ୍ର ପର୍ଦ୍ଦାଫାସ ହେବ, ସେମାନଙ୍କ ପାଇଁ ଚାକିରି ନପାଇ ନିରାଶ ହୋଇଥିବା ମେଧାବୀ ପ୍ରାର୍ଥୀଙ୍କୁ ସେତେ ଶୀଘ୍ର ନ୍ୟାୟ ମିଳିବ ବୋଲି ମତ ପ୍ରକାଶ ପାଇଛି ।