ଗୁପ୍ତଧନ ପାଇଁ ଅନୁଗୁଳ କିଆକଟା ନାବାଳକ ବଳି ସନ୍ଦେହ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଟୁସର ଗାଁ ମଙ୍ଗଳା କୋଠିର ପୂଜାରିଣୀ ରୀତାଞ୍ଜଳି ବାଘ ଓ ତାଙ୍କ ତିନି ପୁଅ ଦିବ୍ୟରଂଜନ, ଜ୍ୟୋତିରଂଜନ ଓ ସୌମ୍ୟରଂଜନ । ରୀତାଞ୍ଜଳିଙ୍କ ତିନି ପୁଅ ସମସ୍ତେ ସାବାଳକ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଏସପି ।
ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି । ମଙ୍ଗଳା କୋଠି, ଏହାର ଦାନବାକ୍ସ, ଟ୍ରଙ୍କ୍ ଆଦିକୁ ସିଲ୍ କରିଛି ପ୍ରଶାସନ । ଦେହ ଭଲ ରହୁନଥିବାରୁ କିଆକଟା ଥାନା ସୁବର୍ଣ୍ଣପୁରର ବାସନ୍ତୀ ବିଶ୍ୱାଳ ନିଜ ପୁଅ ସଂଜିତକୁ ନେଇ ଗତ ୨୨ ତାରିଖରେ ନିକଟସ୍ଥ ଟୁସର ଗାଁର ମଙ୍ଗଳା କୋଠିକୁ ଯାଇଥିଲେ । ଏହି ମଙ୍ଗଳା କୋଠି ଚଳାନ୍ତି ରୀତାଞ୍ଜଳି ବାଘ ।
Also Read
ଅଧିକ ପଢ଼ନ୍ତୁ: କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?
ରାତିରେ ମାଆ ବାସନ୍ତୀଙ୍କୁ ବାରଣ୍ଡାରେ ଶୋଇବାକୁ କହି ସଂଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲା ରୀତାଞ୍ଜଳି। ହେଲେ ସକାଳ ବେଳକୁ ସଂଜୀବ ନିଖୋଜ ହୋଇଯାଇଥିଲେ । ୨୪ ତାରିଖରେ ପୁଅ ନିଖୋଜ ଥିବା ସଂପର୍କରେ କିଆକଟା ଥାନାରେ ଏତଲା ଦେଇଥଲେ ମାଆ । ୨୮ ତାରିଖରେ ବୀଭତ୍ସ ଅବସ୍ଥାରେ ବାରେଣି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ସଂଜୀବଙ୍କ ମୃତଦେହ ମିଳିଥିଲା।
ସନ୍ଦେହ କରାଯାଉଛି- ହୁଏତ ତାଙ୍କୁ ବଳି ଦିଆଯାଇଛି । ପରିବାର ଲୋକେ ଏହା ବି ଅଭିଯୋଗ କରିଛନ୍ତି ଯେ, ପୋଲିସ ମୃତଦେହ ହସ୍ତାନ୍ତର କରିବା ବେଳେ ଆଖି, କିଡନି ଓ କେତେକ ଅଙ୍ଗ ପ୍ରତ୍ୟଙ୍ଗ ନ ଥିଲା । ଏହା ପଛରେ ଅଙ୍ଗ ଚାଲାଣ ରାକେଟ ଥିବାର ସନ୍ଦେହ ହେଉଛି ।