• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର ବିଝାଂରପୁର ଥାନା ମଧୁସୁଦନପୁର ଗାଁର ବହୁ ଚର୍ଚିତ ପିହୁ ନିଖୋଜ ମାମଲାରେ ପୋଷ୍ଟର ମାରିଲା ପୋଲିସ । ପିହୁ ସଂପର୍କରେ ସୂଚନାଦାତାଙ୍କୁ ପୋଲିସ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ବିଝାଂରପୁର ପୋଲିସ ପକ୍ଷରୁ ଥାନା ସହ ବିଭିନ୍ନ ଛକ ଜାଗାରେ ପୋଷ୍ଟର ମରାଯାଇଛି ।

୨ ବର୍ଷିୟା ଶିଶୁ ପିହୁ ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ ନିଖୋଜ ହୋଇଯାଇଛି । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କିଛି ଲୋକ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ପିହୁ ନିଖୋଜକୁ ଇତିମଧ୍ୟରେ ୨ ବର୍ଷ ବିତିଯାଇଛି । ଅଥଚ କୌଣସି ସନ୍ଧାନ ପାଉନି ପୋଲିସ । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଥିବା ପିହୁର ମାଆ ମୋନାଲିସା ବାରମ୍ବାର ସିବିଆଇ ତଦନ୍ତ ଦାବି କରିଛନ୍ତି । 

ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ନଦେଲେ ଧାରଣାରେ ବସିବାକୁ ବି ମୋନାଲିସା ଚେତାବନୀ ଦେଇଥିଲେ । ଏପରିକି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି ମୋନାଲିସା । ତେବେ ସିବିଆଇକୁ ମାମଲା ହସ୍ତାନ୍ତର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧୀନରେ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇବାକୁ କହିଥିଲେ ଆୟୋଗ ଅଧ୍ୟକ୍ଷା । ଶେଷରେ ଆଜି ପିହୁକୁ ଉଦ୍ଧାର ଲାଗି ପୋଲିସ ଆରମ୍ଭ କରିଛି ଅଭିଯାନ । ଯେଉଁ ବ୍ୟକ୍ତି ସହାୟତା ଓ ସୂଚନା ଦେବେ, ତାଙ୍କୁ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ତଦନ୍ତକୁ ଆଗକୁ ନେବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ବିଝାଂରପୁର ଥାନା ଅଧିକାରୀ ।