Advertisment

ପାକିସ୍ତାନରେ ଅପରେଟ୍ ହେଉଛି ଓଡ଼ିଶା ସିମ୍; ଘଟଣା ପଛରେ ଓଡ଼ିଆ ଯୁବକଙ୍କ ସଂପୃକ୍ତି

ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
OTP sharing to Pak operatives

OTP sharing to Pak operatives

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଓଡ଼ିଶାରେ ସକ୍ରିୟ ଥିବା ସିମ୍ କାର୍ଡ ରାକେଟ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାର ହଜାରେରୁ ଅଧିକ ପ୍ରି-ଆକଟିଭେଟେଡ୍ ସିମ୍ ଅପରେଟ୍ ହେଉଛି ସୁଦୂର ପାକିସ୍ତାନରୁ । ସିମ୍ ଗୁଡ଼ିକୁ ଭାରତ ବିରୋଧୀ ଅପରେସନ ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଶିବିରରୁ ଅପରେଟ୍ କରାଯାଉଛି । ଯାଜପୁର ଜିଲ୍ଲାର ଜଣେ ଅଭିଯୁକ୍ତ ଧରାପଡ଼ିବା ପରେ ଏହି ତଥ୍ୟ ହାତେଇଛି କ୍ରାଇମବ୍ରାଞ୍ଚ STF । ତେବେ କେମିତି ଚାଲୁଛି ଏହି ସିମ୍ ରାକେଟ୍ ? କାହିଁକି ସାଧାରଣ ଓଡ଼ିଆ ଯୁବକ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଲିଙ୍କରେ ଆସୁଛନ୍ତି ?

Advertisment

ଆପଣଙ୍କ ମୋବାଇଲ ପାଇଁ ନେଉଛନ୍ତି କି ନୂଆ ସିମ୍ ? ସହଜରେ ଉପଲବ୍ଧ ହେଉଥିବା ନିର୍ଦ୍ଧିଷ୍ଟ କମ୍ପାନୀ ଗୁଡ଼ିକର ସିମ୍ କିଣିଛନ୍ତି କି ? ଯଦି ହଁ, ତେବେ ସାବଧାନ । ହୁଏତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଆପଣଙ୍କ ନାଁରେ ସିମ୍ କାର୍ଡକୁ ଅପରେଟ୍ କରୁଥାଇପାରେ, ଆପଣ ବି ଆସିଯାଇପାରନ୍ତି କ୍ରାଇମବ୍ରାଞ୍ଚର STF ସ୍କାନରରେ । କ୍ରାଇମବ୍ରାଞ୍ଚ STFର ଚାଞ୍ଚଲ୍ୟକର ଖୁଲାସା ପରେ ଏବେ ଏହି ଆଶଙ୍କା ମୁଣ୍ଡ ଟେକିଛି ।

ଯାଜପୁର ଜିଲ୍ଲା ବରି ବ୍ଲକ ରାମଚନ୍ଦ୍ରପୁର ଭୁରୁଙ୍ଗା ଗାଁର ଯୁବକ ପ୍ରୀତମ କର । ଯାହାଙ୍କୁ ଗିରଫ କରିଛି STF । STF ଏସ୍.ପିଙ୍କ କହିବା କଥା, ମୋବାଇଲ୍ ଏବଂ ସିମ୍ କାର୍ଡ ଦୋକାନ କରିଥିବା ପ୍ରୀତମ ଅତି ଚତୁରତାର ସହ ସଂଗ୍ରହ କରିଥିଲା ପ୍ରି-ଆକଟିଭେଟେଡ୍ ସିମ୍ । ଆଉ OTP ଜେନେରେଟ୍ କରି ଏହି ସିମକୁ ଭାରତରେ ସକ୍ରିୟ ISI ଏଜେଣ୍ଟଙ୍କୁ ଦେଇଦେଇଛି ଟଙ୍କା ବିନିମୟରେ । ବଡ଼ କଥା ହେଉଛି, ଗତବର୍ଷ ସଂଘଟିତ ମାଙ୍ଗାଲୋର ବୋମା ବିସ୍ଫୋରଣ ମାମଲାରେ ଓଡ଼ିଶାରୁ ଯାଇଥିବା ପ୍ରି-ଆକଟିଭେଟେଡ୍ ସିମ୍‌କାର୍ଡକୁ ବ୍ୟବହାର କରି ନିଜ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ଆତଙ୍କବାଦୀ । ଆଉ ପ୍ରିତମ ହିଁ ଯୋଗାଇଥିଲା ସେହି ସିମ୍ କାର୍ଡ । ଏମିତି କି ନିଜ ଲିଙ୍କରେ ଥିବା ISI ଏଜେଣ୍ଟଙ୍କ ସହିତ ଦୁଇ ଦୁଇ ଥର ବି ସେ ଭେଟିଥିଲା ।

Advertisment

କଟକର ଗତକାଲି ପର୍ଦ୍ଦାଫାସ ହୋଇଥିଲା ଆନ୍ତଃରାଜ୍ୟ ସିମ୍ ରାକେଟ । ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ମଧ୍ୟରୁ ୭ ହେଉଛନ୍ତି ଏକ ପ୍ରତିଷ୍ଠିତ ଘରୋଇ ଟେଲିକମ ସଂସ୍ଥାର କର୍ମଚାରୀ । ସେମାନଙ୍କ ଠାରୁ ଜବତ ହୋଇଥିଲା ୧୬ଟି ମୋବାଇଲ୍ ଏବଂ ବିଭିନ୍ନ କମ୍ପାନୀର ୮ଶହଟି ସିମ୍ କାର୍ଡ । ତା’ମଧ୍ୟରେ ଥିଲା ୩୧୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ । ଏଭଳି ଭାବେ ଘରୋଇ ଟେଲିକମ୍ କମ୍ପାନୀର ଅସାଧୁ କର୍ମଚାରୀଙ୍କୁ ହାତ କରି ପ୍ରି- ଆକ୍ଟିଭେଟେଡ୍ ସିମ୍ ରାକେଟ ଚଳାଉଛନ୍ତି ରାଜ୍ୟର କିଛି ଅଭିଯୁକ୍ତ ।

ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ । ଦେଶ, ବିଦେଶ ସହ ISI ଏଜେଣ୍ଟଙ୍କ ପାଖକୁ ପଠାଇ ସିମ୍ ପିଛା ହଜାରେରୁ ୩୦ ହଜାର ଟଙ୍କା ଯାଏଁ ପାଇଥାଆନ୍ତି । ଏହି ଲିଙ୍କରେ ପ୍ରୀତମକୁ ମିଶାଇ ଇତିମଧ୍ୟରେ ନୟାଗଡ଼ ଓ ଯାଜପୁର ଜିଲ୍ଲାରୁ ୫ଜଣ ଯୁବକଙ୍କୁ ଗିରଫ କରିସାରିଛି STF । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି STF ଏସପି ।

ସବୁଠୁ ବଡ଼ କଥା ହେଉଛି, ଏହି ସିମ କାର୍ଡ ରାକେଟରେ ସାମିଲ ହେଉଛନ୍ତି ସାଧାରଣ ଓଡ଼ିଆ ଯୁବକମାନେ । ଯେଉଁମାନେ ଜାଣତରେ ହେଉ କି ଅଜାଣତରେ କେଇଟା ଟଙ୍କା ପାଇଁ ଆସିଯାଉଛନ୍ତି ISI ଲିଙ୍କରେ । ଦେଶ ବିରୋଧୀ ଭଳି ସଂଗୀନ କାର୍ଯ୍ୟ କଳାପରେ ରହୁଛନ୍ତି ସଂପୃକ୍ତ । ଯାହାକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଥିବାବେଳେ ଏହାର କାରଣ କ’ଣ ? କେମିତି ଏହାକୁ ରୋକାଯାଇପାରିବ ? ସାଧାରଣ ଓଡ଼ିଆ ଯୁବକଙ୍କୁ ଏଭଳି କାର୍ଯ୍ୟରେ ନିୟୋଜନ ପଛରେ ଆଉ କିଏ ଅଛନ୍ତି କି ମାଷ୍ଟରମାଇଣ୍ଡ ? ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ ।

Advertisment
Advertisment