/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627745232.jpg)
CROREPATI PS
ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ପିଏସ୍ଙ୍କ ଧନକୁ ନେଇ ସାରା ରାଜ୍ୟରେ ହଇଚଇ। ୩ୟ ଶ୍ରେଣୀ କର୍ମଚାରୀ। ଦରମା ପାଖାପାଖି ୬୦ ହଜାର।ହେଲେ କେବଳ ସରକାରୀ ଚାକିରୀରେ କେଉଁଠୁ ଆସିଲା ଅଚଳାଚଳ ସମ୍ପତ୍ତି ? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ଜଣେ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ କେମିତି ବନିଗଲେ କୋଟିପତି ? ଆଖି ଖୋସି ହୋଇଗଲା ଭଳି ଅମାପ ସମ୍ପତ୍ତି ଅର୍ଜନ କରିବାର ବାଟ କେଉଁଠୁ ପାଇଲେ ବାବୁ ବିରଞ୍ଚି ? ଖୋଦ୍ OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର ବି ଆଶ୍ଚର୍ଯ୍ୟ। ଖାଲି ଆଶ୍ଚର୍ଯ୍ୟ ନୁହଁନ୍ତି, ଭିଜିଲାନ୍ସ ହାତରେ ଦୁର୍ନୀତିର କଳାଚିଠା ଲାଗିବା ପରେ ପିଏସ୍ଙ୍କ ସମ୍ପତ୍ତି ଠୁଳ ପଛରେ ଅସତ୍ ଉପାୟର ଗନ୍ଧ ବାରିଛନ୍ତି।
ତାସହ ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ? ବିରଞ୍ଚିଙ୍କ ଏହି କେଳେଙ୍କାରୀ ପଛର ବଡ଼ମୁଣ୍ଡ କିଏ ? OSSC ଅଧ୍ୟକ୍ଷ କହିଛନ୍ତି ଅଫିସ ବାହାରେ କିଏ କେଉଁ ବାଟରେ କାହାକୁ ଠକି କଣ କରୁଥିବେ ସେ ଜାଣିନାହାଁନ୍ତି। ଦୀର୍ଘଦିନ ଧରି ଏହା ଚାଲିଥାଇପାରେ ବୋଲି ଆଶଙ୍କା କରିଛନ୍ତି OSSC ଅଧ୍ୟକ୍ଷ।
ନିଜ ପିଏସ୍ଓଙ୍କ ଘରେ ଭିଜିଲାନ୍ସ ରେଡ୍ ସଂପର୍କରେ ଗତକାଲି OSSC ସଦସ୍ୟ ଜଗନ୍ନାଥ ଲେଙ୍କା ନିଜର କୌଣସି ନେଣଦେଣ ନାହିଁ ବୋଲି କହିଥିଲେ। ହେଲେ ନିଜ ଅଧସ୍ତନ ବ୍ୟକ୍ତିଗତ ସଚିବଙ୍କ କାରନାମା ସମ୍ପର୍କରେ ଜାଣିପାରିଲେନି କେମିତି ? ନିଜ କାର୍ଯ୍ୟକାଳ ସମୟରେ କୋଟିପତି ବିରଞ୍ଚିଙ୍କ ଏହି କେଳେଙ୍କାରୀର ସାମାନ୍ୟତମ ସୁରାକ୍ କେମିତି ପାଇପାରିନଥିଲେ OSSC ଅଧ୍ୟକ୍ଷ ? ବିରଞ୍ଚିଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ OSSC ଅଧ୍ୟକ୍ଷ କହିଛନ୍ତି- ବିରଞ୍ଚିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ।
ଗତଦୁଇ ଦିନ ଭିତରେ ଭିଜିଲାନ୍ସ ହାତରେ ଲାଗିଲାଣି କଟକ ଓ ଭୁବନେଶ୍ୱରର କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି। ଗତକାଲି ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ ହୋଇଥିଲା। ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟ ଦାମୀ ସାମଗ୍ରୀ ବି ଜବତ ହୋଇଥିଲା। ଆଜି ଆଉ ୧୦ ଲକ୍ଷର ବ୍ୟାଙ୍କ ଡିପୋଜିଟ୍ ମିଳିଛି। ଆଉ ଅଧିକାଂଶ ସଂପତ୍ତି ପତ୍ନୀଙ୍କ ନାଁରେ ରହିଛି। ଗତକାଲି ବିରଞ୍ଚିଙ୍କ ଶାଳକଙ୍କ ଘରୁ ବି ମିଳିଥିଲା ୧୩ ଲକ୍ଷ ଟଙ୍କା। ତେଣୁ ସେମାନେ ବି ଭିଜିଲାନ୍ସ ସ୍କାନର୍ରେ ଅଛନ୍ତି। ତେବେ ଭିଜିଲାନ୍ସ ନିର୍ଦ୍ଦେଶ କହିଛନ୍ତି OSSC ସଦସ୍ୟଙ୍କ ପିଏସ୍ଙ୍କ ଘରୁ ଅଚଳାଚଳ ସଂପତ୍ତି ମିଳିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଅଧିକ ତର୍ଜମା କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଉ ୬ ମାସ ପରେ ଅବସର ନେଇଥାନ୍ତେ ବିରଞ୍ଚି ସାହୁ। ତାପୂର୍ବରୁ ସାମ୍ନାକୁ ଆସିଥିବା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଉ କାହା ନାଁ ସାମ୍ନାକୁ ଆସୁଛି, ତାକୁ ଏବେ ଅପେକ୍ଷା।
ରିପୋର୍ଟ: ଟି.ଗୌରୀଶଙ୍କର, ଆଲୋକ ମହାନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)