ପ୍ରଥମେ ପତ୍ନୀ କହିଲେ ‘ମୋ ସ୍ୱାମୀ ଟ୍ରେନ୍ ଦୁର୍ଘଟଣାରେ ମରିଯାଇଛନ୍ତି । ମୋତେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଉ ।’ ଆଉ ଏବେ ସେହି ମୃତ ସ୍ୱାମୀ, ପତ୍ନୀଙ୍କ ନାଁରେ ଥାନାରେ ଦେଇଛନ୍ତି ଏତଲା । ଆଉ ଦାବି କରିଛନ୍ତି ପତ୍ନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେ କହିଛନ୍ତି ‘ମୁଁ ମରିନି । ଟଙ୍କା ଲୋଭରେ ପତ୍ନୀ ଏଭଳି କାଣ୍ଡ ଭିଆଇଛନ୍ତି ।’
Also Read
ପୁରା ଘଟଣାଟି ହେଲା...
ଗତ ଦୁଇ ଦିନ ହେବ ଏକ ଖବର ଚାରିଆଡ଼େ ଜୋରଦାର ଭାଇରାଲ ହେଉଥିଲା । ତାହା ହେଲା, ଜଣେ ମହିଳା ପୋଲିସ ପାଖରେ ପହଞ୍ଚି, ଅଜଣା ଶବକୁ ନିଜ ସ୍ୱାମୀ ବୋଲି କହି ସରକାରଙ୍କ ଅନୁକମ୍ପା ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ । ଆଉ ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।
ଆଉ ଏବେ ସେହି କାହାଣୀରେ ଆସିଛି ଟ୍ୱିଷ୍ଟ । ଉକ୍ତ ମହିଳାଙ୍କ ସ୍ୱାମୀ ବଞ୍ଚିଛନ୍ତି ଆଉ ପତ୍ନୀଙ୍କ ବିରୋଧରେ ଏବେ ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି ଟ୍ରେନ ଦୁର୍ଘଟଣାରେ ସହାୟତା ରାଶି ହଡ଼ପ ପାଇଁ ଜୀବିତ ସ୍ୱାମୀକୁ ମୃତ ଦର୍ଶାଇଛନ୍ତି ପତ୍ନୀ । ଖୋଦ ସ୍ତ୍ରୀ ଗୀତାଞ୍ଜଳିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ମାଣିଆବନ୍ଧ ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ବିଜୟ ଦତ୍ତ । ଗତ ୧୩ ବର୍ଷ ହେଲା ସ୍ତ୍ରୀ ତାଙ୍କଠାରୁ ଅଲଗା ରହିବା ସହ ବିଭିନ୍ନ ସମୟରେ ମିଛ ମାମଲା କରି ଅସୁବିଧାରେ ପକାଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସ୍ୱାମୀ ।
ଟ୍ରେନ ଦୁର୍ଘଟଣା ପରେ ସରକାର ସହାୟତା ରାଶି ଘୋଷଣା କରିଥିଲେ । ଆଉ ଏହାକୁ ପାଇବା ପାଇଁ ଗୀତାଞ୍ଜଳି ବାଲେଶ୍ୱର ଯାଇ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାସନକୁ ଦର୍ଶାଇ ସହାୟତା ରାଶି ଦାବି କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପ୍ରଶାସନର ସଂଦେହ ହୋଇଥିଲା । ଏହାପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାଣିଆବନ୍ଧ ଥାନାରେ ସ୍ୱାମୀ ବିଜୟ ଦତ୍ତ ନିଜେ ଏତଲା ଦେଇଛନ୍ତି ।