• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ମ୍ୟାନେଜର ପ୍ରତାପ ସାମଲ । ଗତକାଲିଠାରୁ ଭିଜିଲାନ୍ସ ପକ୍ଷରୁ ପ୍ରତାପଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଆଜି ତାର ଆକଳନ ସରିଛି । ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି । ଏବେ ଉଭୟ ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ପ୍ରତାପ ହେଉଛନ୍ତି OPHWCର ଡେପୁଟି ମ୍ୟାନେଜର ।

ସୂଚନାଯୋଗ୍ୟ, ପୋଲିସ୍ ହାଉସିଂ କର୍ପୋରେସନରେ ସରକାରୀ ଚାକିରି କରିଛନ୍ତି ପ୍ରତାପ । ହେଲେ ଅମାପ ସମ୍ପତ୍ତିର ମାଲିକ । ନିଜ ନାଁରେ କମ୍, ସ୍ତ୍ରୀ ଓ ପିଲାଙ୍କ ନାଁରେ ଲମ୍ବା ତାଲିକାର କୋଠା ଓ ପ୍ଲଟ୍ ରହିଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହୋଇଛି ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା । ଖାଲି ସେତିକି ନୁହେଁ, ଭିଜିଲାନ୍ସ ଟିମକୁ ଦେଖି ପଡ଼ିଶା ଘର ଛାତକୁ ପ୍ରତାପ ଫିଙ୍ଗି ଦେଇଥିଲେ ୨୦ଲକ୍ଷ ଟଙ୍କା । ଏହି ୨୦ ଲକ୍ଷ ଟଙ୍କା ସହ ମୋଟ ୩୮ଲକ୍ଷ ଟଙ୍କା ତାଙ୍କ ଘରୁ ଜବତ ହୋଇଛି । ପ୍ରତାପ ସାମଲ ନାମକ ଏହି କୁବେର ସରକାରୀ ବାବୁ ଜଣକ ଟଙ୍କା ଓ କୋଠାବାଡ଼ିର ହିସାବ ଦେଇ ପାରୁନଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି ।

ଆଖି ତରାଟିଲା ଭଳି ସଂପତ୍ତି ଅର୍ଜିଛନ୍ତି ରାଜ୍ୟ ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ପ୍ରତାପଙ୍କ ଆୟବହିର୍ଭୁତ ଅଚଳାଚଳ ସମ୍ପତ୍ତିର ସୁରାଗ୍ ପାଇ ଗତକାଲି ଅଚାନକ ପ୍ରତାପଙ୍କ ଭୁବନେଶ୍ୱର ଘର ସମେତ ୧୨ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଆଉ ତାପରେ ମିଳିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି ।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ଟି ଟିମ୍ ଆଜି ଅଚାନକ୍ କୁବେର ଅଫିସର ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରକୁ ଖେଦି ଯାଇଥିଲେ । ତେବେ ଭୋରୁ ହିଁ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଟିମକୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଦୁଆର ଖୋଲି ନଥିଲେ ପ୍ରତାପ । ଆଉ ସେ ସମୟ ଭିତରେ ୨୦ଲକ୍ଷ ଟଙ୍କା ଏକ ପେଟିରେ ଭର୍ତ୍ତି କରି ପଡ଼ିଶା ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ଟିମ୍ ପ୍ରତାପଙ୍କ ଘର ଭିତର ଓ ବାହାର ସର୍ଚ୍ଚ କରୁଥିବାବେଳେ ପଡ଼ିଶା ଘର ଛାତରେ ଟଙ୍କା ଭର୍ତ୍ତି ପେଟିକୁ ଦେଖି ଜବତ କରିଥିଲେ । ଏପଟେ ଘର ଭିତରେ କାଗଜପତ୍ର ଖାନତଲାସୀ ବେଳେ ମିଳିଥିଲା ଅମାପ ସମ୍ପତ୍ତିର ସନ୍ଧାନ ।

ପ୍ରତାପ ଚାଲାକି କରି ନିଜ ପତ୍ନୀ ଓ ପୁଅ ନାଁରେ ବହୁ ସମ୍ପତ୍ତି କିଣିଛନ୍ତି । ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ପ୍ରତାପଙ୍କର ଆଇଆରସି ଭିଲେଜ ଏନ୍-୬ରେ ଅଛି ୨ଟି ମୂଲ୍ୟବାନ କୋଠା, ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଜୟଦେବ ବିହାରରେ ୨ଟି କୋଠା ସହ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ରହିଛି ୧୫ଟି ପ୍ଲଟ । ତାସହ ସରକନ୍ତରା ଓ ଗୋଠପାଟଣାରେ ବି ଘର ଅଛି । ସେହିପରି ପୁଅ ପ୍ରୀତମ ସାମଲଙ୍କ ନାଁରେ ଅଛି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ପ୍ଲଟ୍ ସାଙ୍ଗକୁ ଗୋଟିଏ ଫ୍ଲାଟ୍ । ବଡ଼ କଥା ହେଲା କୁବେର ପ୍ରତାପ ନିଜ ନାଁରେ କମ୍ ସ୍ତ୍ରୀ ଓ ପିଲାଙ୍କ ନାଁରେ ରାଜଧାନୀରେ କୋଠା ଓ ପ୍ଲଟ ରଖିଥିବାବେଳେ ତାଙ୍କ ନାଁରେ ଭଦ୍ରକ ଜିଲ୍ଲାରେ ରହିଛି ଗୋଟିଏ ବିଲଡିଂ ସମେତ ୫ଟି ପ୍ଲଟ୍ ।

ତେବେ ପୋଲିସ ହାଉସିଂ କର୍ପୋରେସନରେ ଜଣେ ଏଷ୍ଟିମେଟର ଭାବେ ଚାକିରି ଆରମ୍ଭ କରି କେମିତି ୩୩ ବର୍ଷ ଭିତରେ ଠୁଳ କଲେ ଏତେ ପରିମାଣର ସଂପତ୍ତି ? ପ୍ରତାପଙ୍କ ପାପ ଆୟର ପେଡ଼ି ଖୋଲିବା ପରେ ଏବେ ପ୍ରଶ୍ନ-ବିନା ବଡ଼ବଡ଼ିଆଙ୍କ ସହଯୋଗିତାରେ କଣ ଏତେ ବଡ଼ କଳାଧନ ସାମ୍ରାଜ୍ୟ ସମ୍ଭବ ? ୧୯୮୮ରେ କେନ୍ଦ୍ରାପଡ଼ାରୁ ଚାକିରି ଆରମ୍ଭରୁ ଭୁବନେଶ୍ୱର ପର୍ଯ୍ୟନ୍ତ, ଚାକିରି ଅବଧି ଭିତରେ ଯେଉଁଠି ରହିଛନ୍ତି, ସବୁଠି ଦୁର୍ନୀତି କରି ନାହାନ୍ତି ତ ? ଏସବୁର ସଠିକ୍ ଖୋଳତାଡ଼ କରାଯିବା ଦରକାର ବୋଲି କହିଛନ୍ତି ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ।