betting
ବଲାଙ୍ଗିର ସଇଁତଳାରେ ଧରାପଡ଼ିଲା ଅନଲାଇନ୍ ବେଟିଂ ଆପ୍ ର ମାଷ୍ଟରମାଇଣ୍ଡ୍। ସାମ୍ନାକୁ ଆସିଲା ତାର ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର ।
ଅନଲାଇନ ଜୁଆ ର ମାଷ୍ଟରମାଇଣ୍ଡ୍। ନାଁ- ଲକ୍ଷେଶ୍ବର ମଲ୍ଲିକ, ବିଏ ଯାଏଁ ପାଠପଢ଼ା, ଚାକିରିବାକିରି ନାହିଁ। ସଇଁତଳାରେ ଖୋଲିଛି ଷ୍ଟେଟବ୍ୟାଙ୍କର ଏଇ ଛୋଟିଆ କଷ୍ଟମର୍ ସର୍ଭିସ୍ ପଏଣ୍ଟ। ହେଲେ ଏସବୁ ଲୋକ ଦେଖାଣିଆ। ଅସଲ କାରବାର ଆଉକିଛି। ରମି ଓ ତିନପତ୍ତି ଭଳି ୫୦ଟି ବେଆଇନ ବେଟିଂ ଓ ଗାମ୍ବଲିଂ ଆପ୍ ଚଳାଇ, କୋଟି କୋଟିରେ ଖେଳୁଥିଲା ଲକ୍ଷେଶ୍ବର। ବଲାଙ୍ଗିର ଜିଲ୍ଲା ସଇଁତଳା ପାଇକସମରାର ଲକ୍ଷେଶ୍ବର ମଲ୍ଲିକକୁ ଗିରଫ କରିବା ପରେ, ତାର ଥାଟବାଟ ଦେଖି ତାଜୁବ ହୋଇଛି ପୋଲିସ। ଜାଣିବାକୁ ପାଇଛି, ଅନଲାଇନ ଗେମିଂରୁ ସେ ମାସକୁ ହାତଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା।
ଅଧିକ ପଢ଼ନ୍ତୁ: ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ
ମାତ୍ର ୨ ବର୍ଷ ଭିତରେ ଦୁଇ ଦୁଇଟି ୨ ମହଲା କୋଠା ବାଡ଼େଇଥିଲା। ଜମିବାଡ଼ି, କାର୍-ବାଇକ୍ ଆଦି କିଣି ଅୟସ କରୁଥିଲା। ଲକ୍ଷେଶ୍ବରକୁ ବଲାଙ୍ଗିର ପୋଲିସର ସାଇବର୍ ଟିମ୍ ଗିରଫ କରିବା ସହ, ନଗଦ ୭ ଲକ୍ଷ ଟଙ୍କା, ଆଇଫୋନ୍ ସମେତ ୧୪ଟି ଦାମୀ ମୋବାଇଲ, ୪ଟି ଲାପଟପ୍, ୨ଟି ପିଓଏସ୍ ମେସିନ, ଗୋଟିଏ ମହିନ୍ଦ୍ରା ଥାର୍, ପିକଅପ୍ ଭ୍ୟାନ୍, ଦାମୀ କେଟିଏମ୍ ବାଇକ, ବୁଲେଟ୍ ଓ ଗୋଟିଏ ସ୍କୁଟି ଜବତ କରିଛି। ତମାମ୍ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଚେକବୁକ୍ ଜବତ କରିବା ସହ ୨୫ ଲକ୍ଷ ଟଙ୍କା ଥିବା ଆକାଉଣ୍ଟକୁ ବି ଫ୍ରିଜ୍ କରାଯାଇଛି।
କେମିତି କମ୍ ଦିନରେ କୋଟିପତି ବନିଥିଲା ଲକ୍ଷେଶ୍ବର। କେମିତି ଚାଲେ ଅନଲାଇନ ଜୁଆର ଚକ୍ରବ୍ୟୁହ? ଏଥିରେ ଫସି କେମିତି ଲକ୍ଷଲକ୍ଷ ଟଙ୍କା ହରାନ୍ତି ସାଧାରଣ ଲୋକ। ବଲାଙ୍ଗିର ଏସପିଙ୍କ ସୂଚନା ଅନୁସାରେ, ୨୦୨୩ ପୂର୍ବରୁ ନିଜେ ଏଭଳି ଗେମିଂ ଆପ୍ ରେ ଲକ୍ଷେରୁ ୨ ଲକ୍ଷ ଟଙ୍କା ହରାଇଥିଲା ଲକ୍ଷେଶ୍ବର। ପରେ ୟୁଟ୍ୟୁବରୁ ଶିଖିଥିଲା ଟଙ୍କା କମେଇବାର ନୂଆ ଫର୍ମୁଲା। ଭିଆଇପି ରମି ନାଁରେ ଏକ ୱେବସାଇଟ୍ ଖୋଲି, ସେଥିରେ ୫୦ରୁ ଅଧିକ ଫେକ୍ ବେଟିଂ ଆପ୍ ହୋଷ୍ଟ୍ କରିଥିଲା। ଲୋକମାନେ ଅଧିକ ଟଙ୍କା ପାଇବା ଆଶାରେ ଏହିସବୁ ଆପ୍ ଡାଉନଲୋଡ୍ କରି ଟଙ୍କା ଲଗାଉଥିଲେ। ୟୁଜର୍ ଯେତେ ଟଙ୍କା ଲଗାଉଥିଲେ, ତାର ୧ ପ୍ରତିଶତ କମିଶନ ସିଧା ଆସୁଥିଲା ଲକ୍ଷେଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ। ପ୍ରତିମାସ ଅତିକମରେ ୫ ଲକ୍ଷ ଏବଂ କେଉଁ କେଉଁ ମାସରେ ୧୦ରୁ ୧୨ ଲକ୍ଷ ଟଙ୍କା ପାଉଥିଲା ଲକ୍ଷେଶ୍ବର। ସେ ଏହି ଧନ୍ଦାରୁ ମୋଟ୍ ୨ କୋଟି ଟଙ୍କା ପାଇଥିବା ବେଳେ, ଅନ୍ୟପଟେ ଟଙ୍କା ଲଗାଇଥିବା ସବୁ ଲୋକ କ୍ଷତି ସହିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇଥିବା ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ଲକ୍ଷେଶ୍ବରକୁ ଗିରଫ କରିବା ସହ, ଏହି ରାକେଟ୍ ପଛର ରିଙ୍ଗ୍ ମାଷ୍ଟରକୁ ବି ଖୋଜୁଛି ସାଇବର୍ ପୋଲିସ।
ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିର ଏକ ବଡ଼ ସେଗମେଣ୍ଟ ପାଲଟିଛି ବେଟିଂ ଆପ୍ ଓ ଫାଣ୍ଟାସି ଗେମିଂ। ରିପୋର୍ଟ କହୁଛି- ଭାରତରେ ପ୍ରାୟ ୩ଶହ ଅନଲାଇନ ଜୁଆ ପ୍ଲାଟଫର୍ମରେ ପ୍ରତିଦିନ ୧୪ କୋଟି ୟୁଜର୍ ଭାଗ ନେଉଥିବା ବେଳେ, ଆଇପିଏଲ୍ ଭଳି ବଡ଼ ବଡ଼ ଇଭେଣ୍ଟ ବେଳେ ଏହା ୩୭ କୋଟିକୁ ବି ଟପି ଯାଉଛି। ଏହା କେବଳ ଯୁବପିଢ଼ିଙ୍କ ଆର୍ଥିକ ସ୍ଥିତି ନୁହେଁ, ଶାରିରୀକ ଓ ମାନସିକ ସ୍ଥିତି, ଦୈନନ୍ଦିନ ଜୀବନ, ସାମାଜିକ ତଥା ପାରିବାରିକ ସଂପର୍କକୁ ବି ପ୍ରଭାବିତ କରୁଛି। ନିଶା ଏଭଳି ଘାରୁଛି ଯେ, ତଳିତଳାନ୍ତ ହୋଇଯାଉଥିଲେ ବି, ଋଣ କରି ଟଙ୍କା ଲଗାଉଛନ୍ତି ଅନେକ ଲୋକ। କାଳ ସାଜୁଛି ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାରର ଲୋଭ। ଏପଟେ ପବ୍ଲିକ୍ ଗାମ୍ବଲିଂ ଆକ୍ଟ, ୧୮୬୭ ଅନୁସାରେ ଜୁଆ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଅନଲାଇନ ବେଟିଂ ପାଇଁ ନିର୍ଦ୍ଦିଷ୍ଟ କୌଣସି ଆଇନ ନଥିବାରୁ ଗଳାବାଟ ବ୍ୟବହାର କରି ଗେମିଂ ଆପ୍ ନାଁରେ ଏସବୁର ବିଜ୍ଞାପନ ଓ ପ୍ରଚଳନ ଜାରି ରହିଥିବା ଅଭିଯୋଗ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/betting_1744901042.jpg)