• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ଘଟଣାରେ ଜଣକ ମୃତ୍ୟୁ ପରେ ଅନ୍ୟ ଜଣଙ୍କୁ ପିଟି ମାରିଦେଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କାତରା ଛକରେ ଦୁର୍ଘଟଣାକୁ ନେଇ ଏଭଳି ତୁମୁଳ କାଣ୍ଡ ଘଟିଛି । ସ୍କର୍ପିଓ ଧକ୍କା ଦେବାରୁ ସ୍କୁଟିରେ ଯାଉଥିବା ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ସେଠାରୁ ଫେରାର ହୋଇଯାଇଥିଲେ । ତେଣୁ ସବୁ ରାଗ ସୁଝିଥିଲା ଗାଡ଼ିରେ ବସିଥିବା ଅନ୍ୟ ୨ ଜଣଙ୍କ ଉପରେ । ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଗୋଷାଣୀପାଳ ଗାଁର ହରିହର ସେଠୀ ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ପାନ ଦୋକାନ କରିଥିଲେ । ମଧ୍ୟାହ୍ନରେ ଖାଇବା ପାଇଁ ସ୍କୁଟିରେ ଘରକୁ ଫେରୁଥିଲେ । ତେବେ ୪୯ନଂ ଜାତୀୟ ରାଜପଥର କାତରା ନଦୀ ବ୍ରିଜ୍‌ ଛକରେ ସମ୍ମୁଖରୁ ଆସୁଥିବା ସ୍କର୍ପିଓ, ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହରିହରଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଦୁର୍ଘଟଣା ପରେ ଚାଳକ ସ୍କର୍ପିଓ ଛାଡ଼ି ପଳାଇଯିବାରୁ ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓ ଭିତରେ ବସିଥିବା ମେଗା ଜଳ ସେଚନ ପ୍ରକଳ୍ପରେ କାମ କରୁଥିବା ମଣ୍ଟିକଲ୍‌ ଲିମିଟେଡ୍‌ କମ୍ପାନୀର ଦୁଇ କର୍ମଚାରୀ ସତ୍ୟନାରାୟଣ ନନ୍ଦ ଓ ଫୁଲ୍‌ଚନ୍ଦ୍ର ଶର୍ମାଙ୍କୁ ଗାଡ଼ି ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫୁଲ୍‌ଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି । ସତ୍ୟନାରାୟଣଙ୍କ ଘର କେନ୍ଦୁଝର ଜିଲ୍ଲାରେ ।