• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହର ସ୍ୱପ୍ନ ଦେଖାଇ ଯୁବତୀଙ୍କ ସହ ଧୋକାବାଜି । ମାଟ୍ରିମୋନି ସାଇଟରୁ ପରିଚୟର ସପ୍ତାହକ ଭିତରେ ଯୁବକ ପାଲଟିଗଲେ ଚାର ସୋ' ବିସ୍ । କଟକ କ୍ୟାଣ୍ଟନମେଣ୍ଟ୍ ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ । ନାଁ ସୁଧାଂଶୁ ବେହେରା, ଘର ମଧୁପାଟଣା ଥାନା କଲ୍ୟାଣନଗର । ଆଉ ତାଙ୍କ ଠକାମୀ ଜାଲରେ ପଡ଼ିଛନ୍ତି ଜଣେ ଯୁବତୀ ।

ପୁରା ଘଟଣା ଥିଲା ଏମିତି । ରାଜଧାନୀରେ ରହୁଥିବା ଜଣେ ଯୁବତୀଙ୍କ ଅଭିଯୋଗ, ଗତ ସେପ୍ଟେମ୍ବରରେ ଏକ ମାଟ୍ରିମୋନି ସାଇଟରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପରିଚୟ। ପ୍ରଥମେ ଫୋନରେ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଚାଟିଂ । ଏହା ଭିତରେ ଯୁବତୀଙ୍କର କିଛି ଟଙ୍କା ଦରକାର ହେବାରୁ ଘରୋଇ ଫାଇନାନ୍ସ କମ୍ପାନୀରେ ସୁନା ବନ୍ଧକ ରଖି ଲୋନ୍ ପାଇଁ ଯୋଜନା କରୁଥିଲେ ଯୁବତୀ । ଏକଥା ସୁଧାଂଶୁ ଜାଣିବା ପରେ ତାଙ୍କ ନିକଟରେ ସୁନା ରଖି, ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ । ଆଉ ଏଥିରେ ରାଜି ହୋଇଯାଇଥିଲେ ଯୁବତୀ ଜଣକ ।

ଯୁବତୀଙ୍କ ଅଭିଯୋଗ, ମାଟ୍ରିମୋନି ସାଇଟରୁ ଦେଖାଚାହାଁ ପରେ ନିଜକୁ ଜଣେ ଆୟକର ଅଧିକାରୀ ଭାବେ ପରିଚୟ ଦେଇଥିଲା ସୁଧାଂଶୁ । ତାଙ୍କ କଥାରେ ଭରସା କରି ସେ ସମ୍ପର୍କ ଆଗକୁ ବଢାଇଥିଲେ । ଗତ ସେପ୍ଟମ୍ବର ୧୨ରେ ବାରବାଟୀ ଷ୍ଟାଡିୟମ ନିକଟ ସିବି ୱାନ୍ ଛକକୁ ଡାକି ସେଇଠୁ, ପ୍ରାୟ ୩୦ ଗ୍ରାମ ଓଜନର ସୁନା ଗହଣା ନେଇଥିଲା ସୁଧାଂଶୁ। ଆଉ ଟଙ୍କା ଆଣି ଆସୁଛି, କହି ଉଭାନ ହୋଇଯାଇଥିଲା ସୁଧାଂଶୁ ।

ଆଉ ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥିଲା ବ୍ଲାକ୍ ମେଲିଂ। ପ୍ରାଇଭେଟ୍ ଭିଡିଓ କଲ କର କିମ୍ବା ପ୍ରାଇଭେଟ୍ ଭିଡିଓ ପଠାଅ । ନହେଲେ ସୁନା ମିଳିବନି। ପରେ ଯୁବତୀ ବାଧ୍ୟ ହୋଇ କ୍ୟାଣ୍ଟନମେଣ୍ଟ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି, ଶିକ୍ଷିତ ଓ ଆଧୁନିକ ହୋଇ ବି ମାଟ୍ରିମୋନି ସାଇଟରୁ ମାତ୍ର ୭ ଦିନର ସମ୍ପର୍କ ଭିତରେ ଯୁବତୀ ଜଣକ ଯୁବକଙ୍କ ଉପରେ ଏତେ ଭରସା କଲେ କେମିତି ? ଏପଟେ ଅଭିଯୁକ୍ତର ଏ ଠକେଇ ଜାଲରେ ଏଇ ଜଣେମାତ୍ର, ନା ଆହୁରି ଅନେକ ଅଛନ୍ତି? ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁଛି ।

 

  • Reported by:
  • Biswajit Acharya