ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍। ବାଲେଶ୍ୱରରେ ରହିଛି ବହୁ ତଳ ବିଶିଷ୍ଟ ୩ଟି କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍ ଓ ୪ଟି ପ୍ଲଟ୍।
ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ। ୨ କେଜି ରୂପା ବି ଜବତ ହୋଇଛି। ଏହାସହ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ବାଲେଶ୍ୱରରେ ୩ ମହଲା ବିଶିଷ୍ଟ ୨ଟି କୋଠା ଥିବାବେଳେ ଗୋଟିଏ ଦ୍ୱିତଳ ପ୍ରାସାଦ ବି ରହିଛି ।
ସେହିପରି ଭୁବନେଶ୍ୱର ଗୌତମ ନଗରରେ ୩ BHK ଫ୍ଲାଟ୍, ଓଲ୍ଡ ଟାଉନରେ ୩ BHK ଫ୍ଲାଟ୍ ଥିବା ଜଣାପଡ଼ିଛି । ବାଲେଶ୍ୱରରେ ୪ଟି ପ୍ଲଟ୍ ଥିବାବେଳେ ଅନ୍ୟ ବ୍ୟାଙ୍କ ଓ ବୀମାର ଭେରିଫିକେସନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି।
ବର୍ତ୍ତମାନ ଜୟନ୍ତୀ ବେହେରା ଭୁବନେଶ୍ୱର ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଅବସ୍ଥାପିତ ଅଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିଲା। ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା।