• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କନଷ୍ଟେବଲ ଚାକିରି, ହେଲେ କୋଟି କୋଟିର ବ୍ୟବସାୟ ।

  • ଭିଜିଲାନ୍ସ ଖୋଲୁଛି ଚାକିରିରୁ ବହିଷ୍କୃତ ପ୍ରସନ୍ନଙ୍କ କଳାଧନ ଗୁମର ।

  • ଡୁମୁଡୁମାରେ ପ୍ରସନ୍ନଙ୍କ ଫର୍ଣ୍ଣିଚର ସୋ-ରୁମ୍ ।

ଭୁବନେଶ୍ୱର: ଚାକିରି କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର । ମନୀଷ ଅନୁରାଗ ହତ୍ୟା ମାମଲାରେ ବହିଷ୍କୃତ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ଅମାପ ସଂପତ୍ତି ଏବେ ପଦାକୁ ଆସିବାରେ ଲାଗିଛି । ହୋଟେଲ୍ ସାଉଥ୍ ସିଟି ଓ ବାର୍ ପରେ ତାଙ୍କ ଆୟବହିର୍ଭୁତ ସଂପତିର ଖୋଳତାଡ ଲାଗି ଆଜି ଏକାସାଙ୍ଗରେ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଆଉ ସାମ୍ନାକୁ ଆସିଥିଲା ଡୁମୁଡୁମାରେ ସ୍ପାର୍କ ନାଁରେ ଥିବା ତାଙ୍କ ଫର୍ଣ୍ଣିଚର ସୋରୁମ୍ । ଏହି ବିରାଟକାୟ ବିଲଡିଂର ଦାମ୍ ୨ କୋଟି ହୋଇଥିବା ବେଳେ ଏଠାରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ଅସବାବପତ୍ର ରହିଛି । ଯାହା ଦେଖିଲେ ଆପଣଙ୍କର ବି ଆଖି ଖୋସି ହୋଇଯିବ ।

ଡୁମଡୁଡୁମା ପ୍ରାଇମ୍ ଲୋକସନ ୧.୪୭ କୋଟି ମୂଲ୍ୟର ପ୍ଲଟରେ ଦଶମିକ ୨୫ ଏକର ଜମିରେ ୧୮ହଜାର ବର୍ଗଫୁଟ୍‌ର ଫର୍ଣ୍ଣିଚର ସୋ ରୁମ୍ । ଖାଲି ବିଲଡିଂର ଦାମ ଆଜି ତାରିଖରେ ଦୁଇ କୋଟି ଆଉ ଫର୍ଣ୍ଣିଚର ସୋ-ରୁମ୍‌କୁ ଦେଖିଲେ କେବଳ ବିଳାସପୂର୍ଣ୍ଣ ଓ ଦାମି ଆସବାବପତ୍ରରେ ଭର୍ତ୍ତି ହୋଇଛିି ଦୁଇଟି ହଲ । ଗୋଟିଏ ଡାଇନିଂ ଟେବୁଲର ଦାମ ଯଦି ୨ ଲକ୍ଷ ୩୮ ହଜାର, ଆକଳନ କରିପାରୁଥିବେ କେତେ ହେବ, ସୋ’ରୁମ୍‌ରେ ଥିବା ସବୁ ଫର୍ଣ୍ଣିଚରର ମୂଲ୍ୟ । ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ କନଷ୍ଟେବଳ ଚାକିରି କରି ଏତେ ଟଙ୍କା କୁଆଡୁ ଆଣିଲେ ଅଭିଯୁକ୍ତ ପ୍ରସନ୍ନ ? ବରିଷ୍ଠ ସାମ୍ବାଦିକ ନବୀନ ଦାଶଙ୍କ ପୁଅ ମନୀଷ ହତ୍ୟା ମାମଲାରେ ହୋଟେଲ ସାଉଥ୍‌ସିଟିର ଗୁମର ଖୋଲିବା ପରେ ଏବେ ଭିଜିଲାନ୍ସ ଜାଲରେ ପ୍ରସନ୍ନ । ଆଉ ତାଙ୍କ ପାପ ଅର୍ଜିତ ସଂପତ୍ତିର ଚିଠା କରୁଛି ଭିଜିଲାନ୍ସ ।

ଏବେ ସୁଦ୍ଧା ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତି ମଧ୍ୟରେ ଡୁମ୍‌ଡୁମା ସାଙ୍ଗକୁ ଖୋର୍ଦ୍ଧା ନୂଆପଡ଼ାରେ ପ୍ରସନ୍ନଙ୍କ ୪୫ ଲକ୍ଷର ଫ୍ଲାଟ୍ ମଧ୍ୟ ଠାବ କରାଯାଇଛି । ଏହାସହ ଭୁବନେଶ୍ୱର ସୁନ୍ଦରପଦାରେ ସ୍ତ୍ରୀ ନାଁରେ ୨୪ ଲକ୍ଷର ଫ୍ଲାଟ୍ । ୪ଟା ୪ ଚକିଆ ଗାଡ଼ି ସହ ୨୧ଟି ବ୍ୟାଙ୍କ ପାସ୍‌ବୁକ୍ ଠାବ । ପ୍ରସନ୍ନଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ବୀମା ରସିଦ ଠାବ । ଦାମୀ ପ୍ଲଟ୍‌ ଓ ଶୋ ରୁମ୍ ପାଇଁ କେଉଁଠୁ ଟଙ୍କା ଆସିଲା ତଦନ୍ତ ଜାରି ରହିଛି ।

ଡୁମ୍‌ଡୁମା ଜମିର ଦାମ ଢେର ଅଧିକ ଥିଲେ ମଧ୍ୟ ୨୦୧୯ରେ ପ୍ରସନ୍ନ ଏହାକୁ ଅଣ୍ଡରଭାଲ୍ୟୁଏସନ କରି କିଣିଥିବା ନଜରକୁ ବି ଆସିଛି । ଖାଲି ଡୁମୁଡୁମା ନୁହେଁ, କଳ୍ପନାଛକରେ ଥିବା ନିଜ କ୍ୱାଟର ନିକଟ ଜମିକୁ ଜବରଦଖଲ କରି ସେଠାରେ ବେଆଇନ ଭାବେ ୮ଟି ରୁମ୍ ତିଆରି କରି ଭଡା ଦେଇଥିବା ଅଭିଯୋଗ ହୋଇଛି । ତେବେ ହୋଟେଲ ସାଉଥ୍‌ସିଟିରେ ଚାଲିଥିବା ବେଆଇନ ବେପାରରୁ ପ୍ରସନ୍ନ ଏସବୁ ସଂପତ୍ତି ଅର୍ଜନ କରିଛି, ନା ତା ବ୍ୟବସାୟରେ କେଉଁ ବଡ଼ ବଡିଆଙ୍କ କଳାଟଙ୍କା ଲାଗିଛି ? ଭିଜିଲାନ୍ସ ତାର ଖିଅ ଖୋଜୁଛି ।

ବାର୍, ହୋଟେଲ ଓ ଫର୍ଣ୍ଣିଚର ସୋ-ରୁମ୍ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇ କୋଟି କୋଟିର ବିଜିନେସ୍ କରୁଥିଲା ପ୍ରସନ୍ନ । ସମସ୍ତେ ଦେଖୁଥିଲେ, ସମସ୍ତେ ଜାଣୁଥିଲେ, ତେବେ ଜାଣି ଅଜଣା ସାଜିଥିଲେ । ମାତ୍ର ମନିଷ ଅନୁରାଗ ହତ୍ୟା ମାମଲା ପ୍ରସନ୍ନର କଳା କାରନାମାର ଗୁମର ଖୋଲି ଦେଇଛି ।

 

(ରିପୋର୍ଟର: ଆଲୋକ ମହାନ୍ତି)