• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳୁଛି ଲାଞ୍ଚ ନେବାର ଟ୍ରେଣ୍ଡ । ଆଗଭଳି ଆଉ ହାତାହାତି ନୁହେଁ, ବରଂ ମିଡ଼ିଲମ୍ୟାନଙ୍କୁ ମାଧ୍ୟମ କରି ଏବଂ ଡିଜିଟାଲ୍ ମୋଡକୁ ଅସ୍ତ୍ର କରି ଚାଲିଛି ଲାଞ୍ଚ କାରବାର । ବ୍ଲାଙ୍କ ଚେକ୍‌ରେ ୧୨ ଲକ୍ଷ ନେଇ କରଞ୍ଜିଆ ତହସିଲଦାରଙ୍କ ଗିରଫଦାରୀ ପରେ ଏବେ ଚର୍ଚ୍ଚାରେ ଟାଟା ପାୱାରର ୨ କର୍ମଚାରୀ । ଯେଉଁମାନେ ଫୋନ୍ ପେ’ରେ ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି, ଚାକିରୀରୁ ବି ନିଲମ୍ବିତ ହୋଇଛନ୍ତି । ତେବେ ପ୍ରମାଣ ଲୁଚାଇବାକୁ ଯାଇ ଏଭଳି ଡିଜିଟାଲ ଫଣ୍ଡା ଆପଣାଉଥିବା ଲାଞ୍ଚୁଆ ବାବୁ ମାନଙ୍କ ପାଇଁ କିନ୍ତୁ ସତର୍କବାଣୀ ଶୁଣାଇଛି ଭିଜିଲାନ୍ସ ।

ଆଉ ହାତଗୁଞ୍ଜା ନୁହେଁ କି ଟେବୁଲ ତଳିଆ କାରବାର ନୁହେଁ । ଡିଜିଟାଲ ଜମାନାର ସରକାରୀ ବାବୁ ଏବେ ଫୋନ ପେ’ ଜରିଆରେ ଗରମ୍ କରୁଛନ୍ତି ପକେଟ। ହାତାହାତି ଲାଞ୍ଚ ନେଲେ କାଳେ ଧରାପଡ଼ିଯିବେ, ତେଣୁ ପତ୍ରେ ପତ୍ରେ ଯାଉଥିବା ପୋଲିସକୁ ଡାଳେ ଡାଳେ ଯାଇ ଲାଞ୍ଚୁଆ ବାବୁ ଏବେ ଦେଖାଉଛନ୍ତି ଚକମା ।

ତରୁଣ ରଞ୍ଜନ ନାୟକ ହେଉଛନ୍ତି ସାରା ଓଡ଼ିଶାକୁ ଆଲୁଅ ଦେଖାଉଥିବା ଟାଟା ପାୱାରର କିରାଣୀ । ବାବୁଙ୍କ ବିରୋଧରେ ଅଭିଯୋଗ, ବିଜୁଳି ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ନେଇଥିଲେ ୧୦ ହଜାର ଟଙ୍କା । ତା ପୁଣି ଫୋନ ପେ’ରେ । କେବଳ ତରୁଣ ନୁହଁନ୍ତି । ଟାଟା ପାୱାରର ଆଉ ଜଣେ କିରାଣୀ ଶୈଳଜା ମୁଦୁଲି ବି ଡିଜିଟାଲ୍ ଫର୍ମୁଲାରେ ନେଉଥିଲେ ଲାଞ୍ଚ । ଶେଷରେ ଅଭିଯୋଗ ପରେ ଉଭୟଙ୍କୁ ବାନ୍ଧିଛି ଭିଜିଲାନ୍ସ ।

ସେପଟେ TPCODL ପ୍ରେସବିବୃତ୍ତି ଜରିଆରେ କହିଛି, ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରି କମ୍ପାନୀ ପକ୍ଷରୁ ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ପରେ ଅଭିଯୁକ୍ତଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଠିକ୍‌ ସେହିଭଳି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ, ଜାତୀୟ ରାଜପଥ ସଂପ୍ରସାରଣରେ ଜମି ହରାଇଥିବା ବିସ୍ଥାପିତଙ୍କଠାରୁ ୨ଟି ବ୍ଲାଙ୍କ ଚେକ୍ ଜରିଆରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତ ଅକଟୋବର ୨୭ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ବି ଟଙ୍କା ଲୁଚାଇବାକୁ ଆପଣାଇଥିଲେ ଡିଜିଟାଲ୍ ଫଣ୍ଡା। ୧ କୋଟି ୭୫ ଲକ୍ଷ ଟଙ୍କାକୁ କ୍ରିପଟୋ କରେନ୍ସିରେ ଲୁଚାଇ ଚର୍ଚ୍ଚାକୁ ଆସିଥିଲେ ।

ଅନୈତିକ ଉପାୟରେ ଅର୍ଜିତ ଧନସମ୍ପତ୍ତିକୁ ଏବଂ ନିଜକୁ ସୁରକ୍ଷା ଦେବାକୁ ଉଦ୍ୟମରତ ଏକାଧିକ ଲାଞ୍ଚୁଆ ବାବୁଙ୍କ ଏଭଳି ଅଦୃଶ୍ୟ ତରିକାକୁ ଦେଖି ତାଜୁବ ଭିଜିଲାନ୍ସ। ତେଣୁ ଡିଜିଟାଲକୁ ଅସ୍ତ୍ର କରି ହେଉ କିମ୍ବା ଅନ୍ୟ କୌଣସି ପନ୍ଥାରେ ହେଉ, ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ଭିଜିଲାନ୍ସ ଚେତାବନୀ ଶୁଣାଇଛି ।

ସିଧାସଳଖ ଧରାନପଡ଼ିବା ପାଇଁ ଏବଂ ଭିଜିଲାନସ ହାବୁଡ଼ରୁ ବର୍ତ୍ତିବା ପାଇଁ ଏଭଳି ଡିଜିଟାଲ ଫଣ୍ଡା ଲାଞ୍ଚୁଆ ବାବୁଙ୍କୁ କ’ଣ ସୁରକ୍ଷା ଦେଇପାରିବ ? କାହିଁକି, ଡିଜିଟାଲ୍ ମୋଡକୁ ବାଛୁଛନ୍ତି ଲାଞ୍ଚଖୋର ଅଧିକାରୀ ?

  • Reported by:
  • GAUTAM PANDA , ALOK MOHANTY , CHANDAN PAIKRAY , DEEPAK MAHANTA