• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ୫ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି । ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରି ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ନିକଟରେ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ ।

ଅଜି ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରଥମେ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ସେଠାରେ ମେଡିକାଲ ଚେକ୍‌ଅପ୍ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଗିରଫ ରେଳ କର୍ମଚାରୀମାନେ ହେଲେ, ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାର ।

ତିନି ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୪ ଏବଂ ୨୦୧ ଲାଗିଛି । ଅର୍ଥାତ ଏମାନେ ଜାଣିଥିଲେ ଏଭଳି ଦୁର୍ଘଟଣା ଘଟିବ । କିନ୍ତୁ ଏତେ ଲୋକ ଯେ ମରିଯିବେ, କିମ୍ବା ଏତେ ଲୋକଙ୍କୁ ମାରିଦେବେ, ସେନେଇ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ତେବେ ସେ ଯାହା ବି ହେଉ, ଏମାନଙ୍କ ଭୁଲ୍ ପାଇଁ ହିଁ ଏଭଳି ଟ୍ରାଜେଡି ଘଟିଥିବା ଦର୍ଶାଇ ସିବିଆଇ ଏହି ୩ ଜଣଙ୍କୁ ଗିରଫ କରିଛି ।

ଅନ୍ୟପଟେ ଗିରଫ ଏହି ୩ ଜଣଙ୍କ ତ୍ରୁଟିରୁ ହିଁ ବାହାନଗାରେ ଟ୍ରେନ୍ ଟ୍ରାଜେଡି ହୋଇଥିବା କୁହାଯାଉଛି । ତଦନ୍ତକାରୀ ସଂସ୍ଥାର ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ୩ ଅଭିଯୁକ୍ତଙ୍କ ତ୍ରୁଟି ପାଇଁ ହିଁ ଦୁର୍ଘଟଣା ଘଟିଥିଲା । ତେଣୁ ଜାଣିକି ମୃତ୍ୟୁ ମୁହଁକୁ ଠେଲିଦେବା ଅଭିଯୋଗରେ ଗିରଫ କରାଯାଇଛି ୩ ଜଣଙ୍କୁ । CRS ମଧ୍ୟ ତଦନ୍ତ ରିପୋର୍ଟରେ ମନୁଷ୍ୟକୃତ ତ୍ରୁଟି ଦର୍ଶାଇଥିଲେ । ଉଦ୍ଦେଶ୍ୟମୂଳକ ପ୍ରମାଣିତ ହେଲେ ଏହି ୩ ଜଣଙ୍କ ବିରୋଧରେ ରୁଜୁ ହେବ ହତ୍ୟା ମାମଲା ।

ସୂଚନା ଥାଉ କି ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟାରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣା ପରେ ସିବିଆଇକୁ ମାମଲାର ତଦନ୍ତ ଭାର ଦିଆଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ସିବିଆଇ ଘଟଣାସ୍ଥଳ, ରିଲେ ରୁମ୍, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଓ ଟ୍ରାକରେ ଘନ ଘନ ଯାଂଚ୍ କରିଥିଲା । ତଦନ୍ତ ସମୟରେ ସେକ୍ସନ ଇଂଜିନିୟର ମହମ୍ମଦ ଆମିର ଖାନଙ୍କୁ ଅଟକ ରଖି ଜେରା କରିଥିଲା ସିବିଆଇ । ସେପଟେ ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ଉଲ୍ଲେଖ ରହିଥିଲା ।

ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ସହ ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ଅଣଦେଖା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ପ୍ରାଣହାନୀ ହୋଇଥିଲା ।