• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭେଣ୍ଡିଆ ପୁଅର ଅକାଳ ମରଣକୁ କେଉଁ ବାପା ବା ବରଦାସ୍ତ କରିପାରିବ । କେଉଁ ବାପା ବା ଛାତିକୁ ପଥର କରି ସହିପାରିବ ବଢ଼ିଲା ପୁଅର ବିୟୋଗକୁ । ନୂଆ ନୂଆ ଘର ସଂସାର କରିଥିବା ପୁଅର ମୃତ୍ୟୁରେ ଆଜି ଛାତି ଫାଟିଯାଉଛି, ଲୁହ ଆଉ କୋହରେ ବତୁରିଯାଉଛି ଆଖି । ଆମେ କହୁଛୁ ରାଉରକେଲାର ବନ୍ଧନା ଟପ୍ପୋଙ୍କ କଥା ।

ପୁଅ ଆନନ୍ଦ ଟପ୍ପୋଙ୍କୁ ନିଜର ବାନ୍ଧବୀ ମନଜିତ୍ ଟେଟେ ସହ ମିଶି ଅନ୍ତଜାର୍ତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବନ୍ଧନା । ପୁଅକୁ ଉଭୟେ ମିଶି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ହାତ ବାନ୍ଧି ତଣ୍ଟିଚିପିବା ସହ ହତ୍ୟା କରିଛନ୍ତି । ଆଉ ପୁଅର ସୁଇସାଇଡ୍ ନେଇ ମନଗଢ଼ା କାହାଣୀ ରଚିଥିବା ଅଭିଯୋଗ କରିଛନ୍ତି ବାପା ବନ୍ଧନା । ମନ୍‌ଜିତ ସହ କୌଣସି ଏକ ନିବିଡ଼ ସମ୍ପର୍କରୁ ପୁଅ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ଆନନ୍ଦଙ୍କ ବାପା ।

ବନ୍ଧନାଙ୍କ ଅଭିଯୋଗ, ବିବାହ ପରେ କୁଟୁରା ଥାନା ଭେଲୁଆଡିହି ଗାଁରୁ ଭୁବନେଶ୍ୱରକୁ ଆସିଥିଲେ ଆନନ୍ଦ । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏହି ଆପାର୍ଟମେଣ୍ଟରେ ବୀରେନ୍ଦ୍ର ଲାକ୍ରା, ବାନ୍ଧବୀ ମନଜିତ୍ ଟେଟେଙ୍କ ସହ ମିଶି ଆନନ୍ଦ ରହୁଥିଲେ । କିନ୍ତୁ ଫେବୃୟାରୀ ୨୮ରେ ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ଆନନ୍ଦଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ ।

ଖବରପାଇ ମାର୍ଚ୍ଚ ୧ରେ ଭୁବନେଶ୍ୱର ପହଞ୍ଚିଥିଲେ ପରିବାର ଲୋକେ । ଏହି ସମୟରେ ଆନନ୍ଦଙ୍କ ଆତ୍ମହତ୍ୟା ସଂପର୍କରେ କିଛି ଜାଣିନଥିବା କହିଥିଲେ ବୀରେନ୍ଦ୍ର ଏବଂ ବାନ୍ଧବୀ ମନଜିତ୍ । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ଇନ୍‌ଫୋସିଟି ଥାନାରେ ଏତଲା ଦେବାକୁ ଯାଇଥିଲେ ବି ଆନନ୍ଦଙ୍କ ବାପାଙ୍କ ଏତଲାକୁ ଗ୍ରହଣ କରିନଥିଲା ପୋଲିସ । ଏବେ ଘଟଣାକୁ ୪ ମାସ ପୁରିଥିଲେ ବି ଆନନ୍ଦଙ୍କର କାହିଁକି ମୃତ୍ୟୁ ହେଲା ସେନେଇ ପୋଲିସ ସ୍ପଷ୍ଟ କରୁନି କି ନ୍ୟାୟ ଦେଉନି ବୋଲି କହିଛନ୍ତି ଆନନ୍ଦଙ୍କ ବାପା ।

ଫେବୃୟାରୀ ୧୬ରେ ଆନନ୍ଦଙ୍କ ବିବାହ, ଫେବୃୟାରୀ ୧୮ରେ ଥିଲା ରିସେପ୍‌ସନ୍ । ରିସେପ୍‌ସନ୍‌କୁ ବୀରେନ୍ଦ୍ର ଲାକ୍ରା ବି ଯାଇଥିଲେ । ତେବେ କେଉଁ କାରଣ ପାଇଁ ଆନନ୍ଦଙ୍କର ଏଭଳି ମୃତ୍ୟୁ ହୋଇଛି  ? ଯଦି ଆନନ୍ଦ ଆତ୍ମହତ୍ୟା କରିଛନ୍ତି, ତାହେଲେ ଏହା ପଛର କାରଣ କଣ ? ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କ ବିରୋଧରେ ଏତେବଡ଼ ସଂଗୀନ ଅଭିଯୋଗ ସତ୍ତ୍ୱେ କାହିଁକି ସ୍ପଷ୍ଟ କରୁନି ପୋଲିସ ?

ଏଭଳି ନାନା ପ୍ରଶ୍ନ ଉଠୁଥିବା ବେଳେ ଏନେଇ ପୋଲିସ କିମ୍ବା ବୀରେନ୍ଦ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଆନନ୍ଦଙ୍କ ମୃତ୍ୟୁ ପରଠୁ ତାଲା ଝୁଲୁଛି ଫ୍ଲାଟ୍‌ରେ । ବୀରେନ୍ଦ୍ର କିମ୍ବା ମନଜିତ୍ କେହି ବି ଘଟଣା ପରଠୁ ଆଉ ସେହି ଫ୍ଲାଟକୁ ଆସୁନଥିବା କହିଛନ୍ତି ଆପାର୍ଟମେଣ୍ଟର ଜଣେ ସୁରକ୍ଷାକର୍ମୀ । ଘଟଣା ପଛରେ କାରଣ ଯାହା ବି ଥାଉ, ଏହି ରହସ୍ୟଜନକ ମୃତ୍ୟୁର ସତ୍ୟତାକୁ ପୋଲିସ କିନ୍ତୁ ସାମ୍ନାକୁ ଆଣିବା ଦରକାର ।