Advertisment

କ୍ୟାରି ବ୍ୟାଗ ବିକ୍ରି କରିବାରୁ ସପିଙ୍ଗ ମଲ୍‌କୁ ଫାଇନ !

ଅଭିଯୋଗକାରୀ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Fine For Carry Bag

Fine For Carry Bag

ଆଇନ୍ ଆଗରେ ମହଙ୍ଗା ପଡ଼ିଲା ସପିଙ୍ଗ୍ ମଲ୍‌ର ମନମାନୀ ବ୍ୟବସାୟ। ଗ୍ରାହକଙ୍କୁ ମାତ୍ର ୬ ଟଙ୍କାର କ୍ୟାରି ବାଗ୍ ମାଗଣାରେ ନଦେଇ ମଲ କର୍ତ୍ତୃପକ୍ଷ ଗଣିବେ ୨୫ ହଜାରର ତଣ୍ଡ। କଟକର ଏକ ସପିଙ୍ଗ୍ ମଲ ଉପରେ ଏଭଳି ଜରିମାନା ଲଗାଇଛନ୍ତି ଜିଲ୍ଲା ଖାଉଟି କମିଶନ୍। ଡିସେମ୍ବର ୨୦୨୦ରେ କଟକ ବକ୍ସିବଜାର ଅଞ୍ଚଳର ପଦ୍ମଲୋଚନ ରାଉତ, ଦୋଳମୁଣ୍ଡାଇର ଏକ ସପିଙ୍ଗ ମଲରୁ ୨୪୯ ଟଙ୍କା ଦେଇ ଗୋଟିଏ ଟି ସାର୍ଟ କିଣିଥିଲେ।

Advertisment

ତେବେ ବିଲିଂ ସୟମରେ ମଲ କର୍ତ୍ତୃପକ୍ଷ କ୍ୟାରିବ୍ୟାଗ୍ ବାବଦକୁ ୬ ଟଙ୍କା କାଟି ରଖିଥିଲେ କିନ୍ତୁ ପଦ୍ମଲୋଚନ ଏହାକୁ ବିରୋଧ କରିବା ସତ୍ତ୍ୱେ ମଲ କର୍ତ୍ତୃପକ୍ଷ ଶୁଣିନଥିଲେ। ପରେ ୨୦୨୧ ଅଗଷ୍ଟ ୨ ତାରିଖରେ ଜିଲ୍ଲା ଖାଉଟି ଅଦାଲତରେ ମାମଲା ଦାଏଲ କରିଥିଲେ ପଦ୍ମଲୋଚନ। ଖାଉଟି ଅଦାଲତ ତାଙ୍କ ଆବେଦନକୁ ଗ୍ରହଣ କରି ଗତମାସ ୧୯ ତାରିଖରେ ଏ ମାମଲାରେ ରାୟ ଦେଇଛନ୍ତି।

ଅଭିଯୋଗକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ମଲ କର୍ତ୍ତୃପକ୍ଷ କ୍ୟାରିବ୍ୟାଗ୍ ପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି କେଉଁଠାରେ ସୂଚନା ଦେଇନଥିଲେ। ସେହିଭଳି କ୍ୟାରିବ୍ୟାଗ୍ ବାବଦକୁ ୬ ଟଙ୍କା ନିଆଯାଇଥିଲେ ବି କ୍ୟାରିବ୍ୟାଗ୍ ଉପରେ ଦାମ୍ ମଧ୍ୟ ଉଲ୍ଲେଖ ନଥିଲା। ସେପଟେ ମଲ କର୍ତ୍ତୃପକ୍ଷ ତାଙ୍କ ପକ୍ଷ ରଖିଥିଲେ ବି ଅଦାଲତ କିନ୍ତୁ ଏ ଦୁଇଟି ବିନ୍ଦୁ ଆଧାରରେ ଗ୍ରାହକଙ୍କ ସପକ୍ଷରେ ରାୟ ଦେଇଥିଲେ। ଆବେଦନକାରୀଙ୍କୁ ମାନସିକ ନିର୍ଯାତନା ପାଇଁ ୧୦ ହଜାର ଓ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୫ ହଜାରକୁ ମିଶାଇ ମୋଟ୍ ୨୫ ହଜାର ଟଙ୍କା ଜରିମାନା ଆସନ୍ତା ୩୦ ଦିନ ଭିତରେ ପୈଠ କରିବାକୁ ମଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହାପୂର୍ବରୁ ରାଜସ୍ଥାନର ଜୟପୁର ଓ ପଞ୍ଜାବ ଚଣ୍ଡିଗଡ଼ରେ କମ୍ପାନୀ ଲୋଗୋ ଥିବା କ୍ୟାରିବ୍ୟାଗକୁ ବାବଦକୁ ପଇସା କାଟିନେଇଥିବାରୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାହକଙ୍କୁ ଥର ୧୦ ହଜାର ଓ ଆଉଥରେ ୯ ହଜାର ଟଙ୍କା ଜରିମାନା ଦେଇଥିଲା ବାଟା କମ୍ପାନୀ ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା।

(କଟକରୁ ବିଶ୍ୱଜିତ ଆଚାର୍ଯ୍ୟ, ପ୍ରଭାତ ବିଷୋୟୀ ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Court Orders
Advertisment
Advertisment