• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୁଚିକାଙ୍କୁ ରାଗିଂ ନେଇ ସୁରାକ ପାଇଲାନି ପୋଲିସ୍ । ୧୯୮ ଜଣ ଛାତ୍ରୀ, ସାଙ୍ଗ ଓ ସଂପର୍କୀୟଙ୍କୁ ପଚରାଉଚରା କଲା । ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଲା । ପୁଣି ମନସ୍ତତ୍ତ୍ୱବିତ୍‌ଙ୍କୁ ବି କଲେଜ ପଠାଗଲା । ତଥାପି ରୁଚିକା ଆତ୍ମହତ୍ୟାର ଖିଅ ପାଇପାରିଲାନି ପୋଲିସ ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ୧୧ ଦିନ ପରେ ପ୍ରେସମିଟ୍ କରି ଭୁବନେଶ୍ୱର ଡିସିପି କହିଛନ୍ତି, ରୁଚିକାଙ୍କୁ ରାଗିଂ ନେଇ କିଛି ବି ସୁରାକ ମିଳିନି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ଛାତ୍ରୀ ସ୍ୱୀକାର କରିନାହାନ୍ତି । ତଥାପି ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି । ଏପରିକି ପୋଲିସକୁ ସୂଚନା ଦେବାକୁ ଏକ ଗୁପ୍ତ ନମ୍ବର ଦିଆଯାଇଛି । କାହା ପାଖରେ କିଛି ତଥ୍ୟ ଥିଲେ ସେମାନେ ପୋଲିସକୁ ଜଣାଇ ପାରିବେ ବୋଲି ଡିସିପି କହିଛନ୍ତି । ରୁଚିକାଙ୍କ ମୋବାଇଲରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥାଇପାରେ ତେଣୁ ଡାଟା ରିଟ୍ରାଇଭ୍ ପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ରୁଚିକା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଇଡ୍ ନୋଟ୍ କଣ ଭୁଲ ? ରୁଚିକା ଯେଉଁ ୩ ଜଣ ସିନିୟରଙ୍କ କଥା ଲେଖିଥିଲେ ତାହା କଣ ମିଛ ? ରାଗିଂ ପ୍ରମାଣ ମିଳୁନଥିବା କହି ତଦନ୍ତ ବାଟବଣା ଉଦ୍ୟମ କରୁଛି କି ପୋଲିସ୍ ?

ସେପଟେ ଭୁବନେଶ୍ୱର ଡିସିପିଙ୍କ ଏହି ପ୍ରେସମିଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ରୁଚିକାଙ୍କ ବାପା ମାଆ । ସେମାନେ ପ୍ରଶ୍ନ କରିଛନ୍ତି ପୋଲିସ୍‌କୁ ଆଉ କଣ ସୁରାକ ଦରକାର ? ଜଣେ କଣ ସବୁକିଛି ଛାଡିକି ଯିବ ? ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ସହ ମୋବାଇଲ୍ ସିଙ୍ଗାପୁର ପଠାଯିବାର ପୋଲିସ୍ ବାହାନା କରୁଛି । କଲେଜ୍ ପ୍ରନିସିପାଲ୍, ସୁପରିଟେଣ୍ଡଣ୍ଟ ଏବଂ ୱାର୍ଡେନଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି କହିଛନ୍ତି ରୁଚିକାଙ୍କ ପରିବାର ଲୋକେ । ସେପଟେ ରୁଚିକାଙ୍କ ପାଇଁ ଧାରଣ ଦେଉଥିବା ଛାତ୍ର ସଂଗଠନ ମଧ୍ୟ ପୋଲିସର ତଦନ୍ତ ଏବଂ  ଡିସିପିଙ୍କ ବୟାନକୁ ବିରୋଧ କରିଛନ୍ତି । ପୋଲିସ୍ ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଛାତ୍ରସଂଗଠନ ।

ସେପଟେ ରୁଚିକାଙ୍କ ଗାଁ କଖଡିରେ ଆଜି ଏକାଦଶାହ କର୍ମ କରାଯାଇଛି । ରୁଚିକାଙ୍କୁ ଝୁରୁଛି ତାଙ୍କ ଗାଁ, ତାଙ୍କ ବନ୍ଧୁବାନ୍ଧବ, ତାଙ୍କ ସାଙ୍ଗସାଥୀ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ପୋଲିସ ଠିକରେ ତଦନ୍ତ କରୁ, ଦୋଷୀଙ୍କୁ ଦଣ୍ଡ ମିଳୁ ।