• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ଆସିଲା ନୂଆ ଟ୍ୱିଷ୍ଟ । ରୁଚିକାଙ୍କୁ ରାଗିଂ ନେଇ କିଛି ସୁରାକ ମିଳିନି କହିଲେ ଭୁବନେଶ୍ୱର DCP । ଏଯାବତ୍‌ ୧୯୮ ଛାତ୍ରୀ, ସଂପର୍କୀୟ ଓ ସାଙ୍ଗମାନଙ୍କୁ ପଚରାଉଚରା କରାଯାଇଥିବା କହିଛନ୍ତି ଡିସିପି । ହଷ୍ଟେଲ, କଲେଜ ଷ୍ଟାଫ୍‌ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି । ସେମିତି କିଛି ସୁରାକ ମିଳିନି, ଯେମିତି ରାଗିଂ ହୋଇଛି ବୋଲି କୁହାଯିବ । ପ୍ରେସ୍‌ମିଟ୍‌ କରି ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଡିସିପି ଆହୁରି କହିଛନ୍ତି, ‘ଆମେ ତଦନ୍ତ ଜାରି ରଖିଛୁ, ସବୁ ଦିଗରୁ ତଦନ୍ତ ଚାଲୁ ରହିଛି । ପୋଲିସକୁ ମାମଲା ସମ୍ପର୍କିତ ସୂଚନା ଦେବା ପାଇଁ ଆମେ ଏକ ନମ୍ବର ମଧ୍ୟ ଜାରି କରିଛୁ । କାହା ପାଖରେ କିଛି ତଥ୍ୟ ଥିଲେ, ଆମକୁ ଜଣାଇ ପାରିବେ ।’ ତେବେ ସବୁଠାରୁ ବଡ଼ କଥା ହେଲା ଡିସିପି କହିଛନ୍ତି ଯେ, ‘ରୁଚିକାଙ୍କ ମୋବାଇଲରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ । ତେଣୁ ମୋବାଇଲ ଡାଟା ପାଇବା ପାଇଁ ଆମେ ଚେଷ୍ଟା କରୁଛୁ ।’ ଡାଟା ରିଟ୍ରାଇଭ୍ କରିବା ପାଇଁ ରୁଚିକାଙ୍କ ମୋବାଇଲ ସିଙ୍ଗାପୁର ପଠାଯିବ ବୋଲି କହିଛନ୍ତି ଡିସିପି ।

ସେପଟେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ତାଙ୍କ ପରିବାର ଲୋକ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା ବିଦ୍ୟୁତ ଲତା ମହାନ୍ତି ଏହି ଧାରଣାରେ ବସିଛନ୍ତି । ଗତକାଲି ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଆଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା ।

ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମାକୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା। ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା । ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡି ଭର୍ତ୍ତି କରିଥିଲେ ପୋଲିସ ।