• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୋର ଚୋରି କରେ, ପୋଲିସ ଗିରଫ କରେ । ଆଉ ଜେଲରେ ରହିବା ପରେ ଚୋର ସୁଧୁରିଯାଏ । ଜେଲ ଦଣ୍ଡ ପାଇବା ପରେ ଚୋର ଚୋରି କରିବାକୁ ଡରେ । ଏହା ତ ଏକ ସାଧାରଣ କଥା । କିନ୍ତୁ ବାସ୍ତବରେ ଏବେ ଦେଖିବାକୁ ଗଲେ ଯଦି ଚୋର ଧରାପଡ଼ି ଜେଲ ଯାଉଛି, ତେବେ ଭିତରୁ ବାହାରିବା ପରେ ସେ ବଡ଼ ଚୋର ପାଲଟିଯାଉଛି । ଜେଲ୍‌କୁ ଯାଇ ସୁଧୁରିବା ପରିବର୍ତ୍ତେ ସେ ଛୋଟମୋଟ ଚୋରଙ୍କର ସରଦାର ପାଲଟିଯାଉଛି । କେବଳ ଚୋରି କ୍ଷେତ୍ରରେ ନୁହେଁ ଯେକୌଣସି ବ୍ୟକ୍ତି ଅପରାଧ ଘଟାଇ ଜେଲ ଯାଉଛି, ତେବେ ସେଠୁ ବାହାରିବା ପରେ ସେ ବଡ଼ ଅପରାଧୀ ପାଲଟିଯାଉଛି ।

ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବାରିପଦାରୁ । ଜଣେ ଚୋର ଚୋରି କରି ଧରାପଡ଼ିବା ପରେ ଜେଲ୍‌ ଗଲା । ଆଉ ସେଠାରୁ ବାହାରି ଚୋରି ବନ୍ଦ କରିବା ପରିବର୍ତ୍ତେ ସେ ଆହୁରି ତିକ୍ଷ୍ନ ହୋଇଗଲା । ଚୋରିର ନୂଆ ନୂଆ ତରିକା ଆପଣାଇଲା । ଏମିତିକି ଚୋରି ନକଲେ ତାର ଭାତ ହଜମ ହେବନି କହିଲେ ଅତ୍ୟୁକ୍ତି ହେବନି । ଚୋରି କରିବା ସତେ ଯେମିତି ତାର ନିଶା ପାଲଟିଗଲା । ବାରମ୍ବାର ଚୋରି କରି ଧରାପଡ଼ିବା ପରେ ବି ସେ ଚୋରି କରିବା ବନ୍ଦ କରିନାହିଁ । ଏବେ ପୁଣି ଥରେ ଚୋରି ଧରି ଉକ୍ତ ଚୋର ପୋଲିସ ଦ୍ୱାରା ଗିରଫ ହୋଇଛି । ଏଥର ଜେଲ୍‌ରୁ ବାହାରିବା ପରେ ସେ ଚୋରି କରୁଛି ନା ନାହିଁ, ତା’ଉପରେ ସମସ୍ତଙ୍କ ନଜର ।

ଏବେ ସୁଦ୍ଧା ଉକ୍ତ ଚୋର ବିରୋଧରେ ୪୪ଟି ମାମଲା ରହିଛି । ପୂବରୁ ୩୭ଟି କେସ୍‌ କରି ଜେଲ୍‌ ଦଣ୍ଡ ଭୋଗି ସାରିଥିବା ବେଳେ ଏବେ ଆଉ ୭ଟି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । ସବୁଠାରୁ ବଡ଼ କଥା ହେଲା ଜେଲ୍‌ରୁ ବାହାରିବା ପରେ ସେ ଛୋଟ ଚୋରରୁ ବଡ଼ ଚୋର ପାଲଟିଯାଇଛି । ଆଉ ଚୋରି କରିବା ପାଇଁ ଏକ ଟିମ୍‌ ଗଠନ କରିଛି । ଏହି ଟିମ୍‌କୁ ସେ ଚୋରି କରିବା ପାଇଁ ନୂଆ ଷ୍ଟାଇଲ୍‌ର ତାଲିମ୍‌ ମଧ୍ୟ ଦେଉଛି । ବିଭିନ୍ନ ସ୍ଥାନକୁ ଯାଇ ଏହି ଟିମ୍‌ ଅତି ନିଖୁଣତାର ସହ ଚୋରି କରିଥାନ୍ତି । ଏମାନଙ୍କ ଟାର୍ଗେଟ୍‌ରେ ଅଧିକାଂଶ ସମୟରେ ଗହଣା ଦୋକାନ, ଧନି ଲୋକଙ୍କ ଘର, ଦାମୀ ବାଇକ୍‌ ଆଦି ରହିଥାଏ ।

ତେବେ ବାରିପଦା ପୋଲିସକୁ ନାକେଦମ୍‌ କରି ରଖିଥିବା ଏହି ଚୋର ଟିମ୍‌ ଶେଷରେ ଧରା ପଡ଼ିଛି । ରିଙ୍ଗ ମାଷ୍ଟର ସହ କିଛି ଟିମ୍‌ ମେମ୍ବରଙ୍କୁ ବାରିପଦା ଟାଉନ୍‌ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏବେ ସାତ ଚୋରି ଘଟଣାର ସମ୍ପୃକ୍ତ ଛଅ ଜଣ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ବାରିପଦା ଟାଉନ ଥାନାରେ ସଦର ଏସଡିପିଓ କେକେ ହରିପ୍ରସାଦ ଓ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ପୋଲିସର କହିବାନୁଯାୟୀ ଗତ ଜାନୁଆରୀ ୩୦ ତାରିଖରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରୁ ଗୋଟାଇ ରାତିରେ ଦୁଇଟି ଗହଣା ଦୋକାନରୁ ଚୋରି ହୋଇଥିଲା । ପୋଲିସ ଆଖପାଖର ସିସିଟିଭି ଓ ବିଭିନ୍ନ ମୋବାଇଲର କଲ୍‌ ରେକର୍ଡକୁ ଯାଞ୍ଚ କରିବା ପରେ ୬ ଜଣ ଚୋରଙ୍କୁ  ଧରିବାରେ ସଫଳ ହୋଇଛି । ଏଥିରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବାଦଲ ମୁଖୀ, ଅଭିଷେକ ପାତ୍ର, ମଙ୍ଗଲୁ ମୁଖୀ, ରାଜା ମୁଖୀ, ମନୋଜ କୁମାର ଦାସ ଓ ଅନ୍ୟ ଜଣେ ନାବାଳକ । ଏମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ହେଉଛି ବାଦଲ ମୁଖୀ । ଯାହା ନାଁରେ ୪୪ ଚୋରି କେସ୍ ରହିଛି । ପୋଲିସ ଏମାନଙ୍କଠାରୁ ୨୦ଗ୍ରାମ ସୁନା ଅଳଙ୍କାର, ୨୫୦ଗ୍ରାମ ରୁପା ଅଳଙ୍କାର, ଟିଭି, ଗ୍ରାଇଁଡର, ୧୦ଟି ମୋବାଇଲ ଫୋନ, ମାରଣାସ୍ତ୍ର ସହ ଏକ ଦାମୀ ବାଇକ ଜବତ କରିଛି ।